ଡାକ୍ତରଙ୍କ ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଧମକ
ଏନ୍ଏମ୍ସି ବିରୋଧରେ ଧର୍ମଘଟ ତୀବ୍ର: ଜେଡି(ୟୁ), କଂଗ୍ରେସର ସମର୍ଥନ
ନୂଆଦିଲ୍ଲୀ: ନ୍ୟାସନାଲ ମେଡିକାଲ କମିସନ୍ (ଏନ୍ଏମ୍ସି) ବିଧେୟକକୁ ବିରୋଧ ପୂର୍ବକ ସାରା ଦେଶରେ ଡାକ୍ତରଙ୍କ ଧର୍ମଘଟ ଜାରି ରହିଛି। ଶନିବାର ସ୍ଥାନୀୟ ସଫଦରଜଙ୍ଗ ହସ୍ପିଟାଲ, ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ) ଓ ରାମ ମନୋହର ଲୋହିଆ ହସ୍ପିଟାଲର ଡାକ୍ତରମାନେ ରାସ୍ତାକୁ ଓହ୍ଲାଇ ଆସି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସେମାନଙ୍କୁ ଧର୍ମଘଟ ଛାଡ଼ି କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦେଶ ଦେବା ସହ ଏହାର ଅମାନ୍ୟ ହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଶୁଣାଇଛନ୍ତି। ଯେଉଁମାନେ ଧାର୍ଯ୍ୟ ସମୟରେ କାର୍ଯ୍ୟରେ ଯୋଗ ନ ଦେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି। ବିହାରରେ ଡାକ୍ତରଙ୍କ ଧର୍ମଘଟକୁ ଶାସକ ଦଳ ନୀତୀଶ କୁମାରଙ୍କ ଜେଡି(ୟୁ) ଏବଂ ବିରୋଧୀ ଦଳ କଂେଗ୍ରସ ପକ୍ଷରୁ ପୂର୍ଣ୍ଣ ସମର୍ଥନ ଜ୍ଞାପନ କରିବାରେ ଏହା କ୍ରମଶଃ ରାଜନୈତିକ ରୂପ ନେଇଛି।
ମେଡିକାଲ କାଉନ୍ସିଲ ଅଫ ଇଣ୍ଡିଆ (ଏମ୍ସିଆଇ) ପରିବର୍ତ୍ତେ ଏନ୍ଏମ୍ସି ଗଠନ ସଂକ୍ରାନ୍ତ ବିଧେୟକ ସଂସଦର ଉଭୟ ସଦନରେ ଗୃହୀତ ହୋଇଛି; କିନ୍ତୁ ଡାକ୍ତରମାନେ ଏହାକୁ ପ୍ରଥମରୁ ବିରୋଧ କରିଆସୁଛନ୍ତି। ବିଶେଷ କରି ବିଦେଶୀ ମେଡିକାଲ ଗ୍ରାଜୁଏଟ୍ଙ୍କୁ ଲାଇସେନ୍ସ ପ୍ରଦାନ ପାଇଁ ଭାରତୀୟ ମେଡିକାଲ ଗ୍ରାଜୁଏଟ୍ଙ୍କ ସହିତ ଏକକାଳୀନ ପରୀକ୍ଷା କରାଯିବା (ପ୍ରସ୍ତାବିତ ନେକ୍ସଟ) ଏବଂ ଯେ କୌଣସି ଚିକିତ୍ସା ସହିତ ଜଡ଼ିତ ଫାର୍ମାସିଷ୍ଟ, ନର୍ସ, ଫିଜିଓଥେରାପିଷ୍ଟ, ଅପ୍ଟୋମେଟ୍ରିଷ୍ଟମାନେ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନ ଥାଇ ଡାକ୍ତରୀ ଚିକିତ୍ସା ପାଇଁ ଅନୁମତି ପ୍ରଦାନକୁ ଡାକ୍ତରମାନେ ବିରୋଧ କରୁଛନ୍ତି। ବିଧେୟକରେ ଘରୋଇ ଡାକ୍ତରଖାନାଗୁଡ଼ିକୁ ସରକାର ଅହେତୁକ ଗୁରୁତ୍ବ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି।
Comments are closed.