ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଛାତ୍ର ଉତ୍ତେଜନା; କ୍ୟାମ୍ପସରେ ପୁଲିସ ମୁତୟନ

ବିଳମ୍ବରେ ବିଦ୍ୟାର୍ଥୀ ପରୀକ୍ଷା ଦେଲେ                      

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି କାଉନସିଲ ଅଫିସ ସମ୍ମୁଖରେ ଆଜି ବିଦ୍ୟାର୍ଥୀ ମାନଙ୍କ ପକ୍ଷରୁ କ୍ୟାମ୍ପସ ପ୍ରବେଶ ଉପରେ ରୋକ ଲଗାଯାଇଥିବା ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଦୁଇ ଛାତ୍ରଙ୍କ ସମର୍ଥନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଶେଷରେ ପିଜି କାଉନସିଲ ଅଧ୍ୟକ୍ଷଙ୍କ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିଦ୍ୟାର୍ଥୀ ମାନେ ନିଜ ନିଜ ବିଭାଗକୁ ଯାଇ ପରୀକ୍ଷା ଦେଇଥିଲେ । କୁଳପତିଙ୍କୁ ଘଟଣା ନେଇ ଅବଗତ କରାଯିବା ପରେ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡିଛି । ଗତ ଶନିବାର ଦିନ ବିଶ୍ଵବିଦ୍ୟାଳୟ ପକ୍ଷରୁ ପ୍ରଧ୍ୟାପକଙ୍କୁ ମାଡ ମାରି ଜେଲ ଯାଇଥିବା ଦୁଇ ବିଦ୍ୟାର୍ଥୀ ଦିନେଶ ପାଢ଼ୀ ଓ ହୃଷିକେଶ ବାଡତିୟାଙ୍କୁ କ୍ୟାମ୍ପସ ପ୍ରବେଶ ଉପରେ କଟକଣା ଜାରି କରାଯାଇ ନୋଟିସ ଜାରି କରାଯାଇଥିଲା । ଏହାକୁ ନେଇ ଶନିବାର ଦିନ ଦୁଇ ଛାତ୍ର କୁଳପତିଙ୍କୁ ସାକ୍ଷାତ କରି ସେମାନଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ଦେବାକୁ ଅନୁରୋଧ କରିଥିଲେ ।

କିନ୍ତୁ କୁଳପତିଙ୍କ ପକ୍ଷରୁ ଶୃଙ୍ଖଳା କମିଟି ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ମାନିବାକୁ ବାଧ୍ୟ ବୋଲି ରୋକ ଠୋକ ଶୁଣାଇ ଦେଇଥିଲେ । ଏହାକୁ ନେଇ ଦୁଇ ଛାତ୍ରଙ୍କ ସମର୍ଥନରେ ଛାତ୍ରମାନେ ଏକତ୍ରିତ ହୋଇ ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଅଛି ଥିବା ପରୀକ୍ଷା ବର୍ଜନ କରିବା ସହ ବିକ୍ଷୋଭ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ଏହାକୁ ଆଧାର କରି ବିଶ୍ଵବିଦ୍ୟାଳୟ ପକ୍ଷରୁ ପୁଲିସକୁ ଅବଗତ କରାଯିବା ଓ କ୍ୟାମ୍ପସ ପରିସରରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ନିବେଦନ କରାଯାଇଥିଲା । ଏହି କ୍ରମରେ ଆଜି ନିଜେ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ରଙ୍କ ସମେତ ଗୋପାଳପୁର ଆଇଆଇସି ଶ୍ରୀକାନ୍ତ ଖମାରୀ ଓ ଏକ ପ୍ଲାଟୁନ ପୋଲିସ ଫୋର୍ସ କ୍ୟାମ୍ପସ ସମେତ ପିଜି କାଉନସିଲ ହଲ ସମ୍ମୁଖରେ ମୁତୟନ ରହିଥିଲେ। କଟକଣା ଜାରି କରାଯାଇଥିବା ଦୁଇ ଛାତ୍ରଙ୍କ ସମର୍ଥନରେ କିଛି ଛାତ୍ର ପ୍ରାୟ ୧୧ଟା ୪୫ ମିନିଟ ବେଳେ ପିଜି କାଉନସିଲ ହଲ ସମ୍ମୁଖରେ ପହଞ୍ଚି ଅଧ୍ୟକ୍ଷଙ୍କୁ ସାକ୍ଷାତ କରିବାକୁ ଅଡିଥିଲେ ।

କିନ୍ତୁ ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ସେମାନଙ୍କୁ ଭିତରକୁ ଯିବାକୁ ଅନୁମତି ଦିଆଯାଇନଥିଲା, ଯାହାଫଳରେ ବିଦ୍ୟାର୍ଥୀ ମାନେ ହୋହାଲ୍ଲା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରାୟ ୧୨ଟା ବେଳେ ଅଧ୍ୟକ୍ଷ ପ୍ରଫେସର ପ୍ରତାପ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ବିଦ୍ୟାର୍ଥୀ ମାନଙ୍କୁ ବୁଝାସୁଝା କରିବା ସହ କୁଳପତି ଙ୍କ ସହ ଆଲୋଚନା କରି ୨ ଛାତ୍ର କିପରି ପରୀକ୍ଷା ଦେବେ ସେଥି ପ୍ରତି ଦୃଷ୍ଟି ଆକର୍ଷଣ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ପାଇବା ପରେ ଛାତ୍ର ମାନେ ବିକ୍ଷୋଭରୁ ଓହରିଥିଲେ । ଏହାପରେ ପରୀକ୍ଷା ନିମନ୍ତେ ନିର୍ଦ୍ଧାରିତ ସମୟର କିଛି ସମୟ ବିଳମ୍ବରେ ବିଦ୍ୟାର୍ଥୀ ମାନେ ପରୀକ୍ଷା ହଲକୁ ଯାଇ ପରୀକ୍ଷା ଦେଇଥିଲେ । କିନ୍ତୁ କଟକଣା ଜାରି କରାଯାଇଥିବା ଦୁଇ ଛାତ୍ର ଆଜି ପରୀକ୍ଷା ଦେଇ ପାରିନଥିବା ଜଣାପଡ଼ିଛି । ଅନ୍ୟ ପଟେ ଗତ ଜୁନ ୩୦ ତାରିଖରେ ଓଡ଼ିଆ ବିଭାଗର ପ୍ରଫେସର୍ ସଦାନନ୍ଦ ନାୟକ ଜନୈକ ଓଡିଆ ବିଭାଗ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଥାନାରେ ମାମଲା ରୁଜୁ କରିଥିଲେ, ଯହା  ଫଳରେ ପୁଲିସ ପ୍ରଫେସର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କିନ୍ତୁ ଉକ୍ତ ପୀଡିତା ଛାତ୍ରୀଙ୍କ ପକ୍ଷରୁ ପୁଣି ଗଣମାଧ୍ୟମ ସମ୍ମୁଖରେ ପ୍ରଫେସର ନାୟକ ବେଲରେ ଆସି ଖୁଲାମ ଖୋଲା କ୍ୟାମ୍ପସରେ ବୁଲୁଥିବା ଏବଂ କ୍ଲାସ୍ ନେଉଥିବା ବେଳେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା  ଅଭିଯୋଗ କରିଥିଲେ ।

କିଛି ବିଦ୍ୟାର୍ଥୀ ଗଣମାଧ୍ୟମ ଆଗରେ ଇଂରାଜୀ ଓ ଇତିହାସ ବିଭାଗରେ ମଧ୍ୟ ପ୍ରଧ୍ୟାପକଙ୍କ ଦ୍ଵାରା ଅସଦାଚରଣ ହୋଇଥିବା ନେଇ ବିଶ୍ବବିଦ୍ୟାଳୟ ସେକ୍ସୁଆଲ ହାରସମେଣ୍ଟ ସେଲରେ ଲିଖିତ ଅଭିଯୋଗ କରିଥିବା ପ୍ରକାଶ କରିଥିଲେ । ଏନେଇ ଇତିହାସ ଓ ଇଂରାଜୀ ବିଭାଗର ଅଭିଯୋଗ ହୋଇଥିବା ଅଧ୍ୟାପକଙ୍କ ସହ ଯୋଗା ଯୋଗ ବେଳେ ସେମାନେ ଏହାକୁ ଭିତ୍ତିହୀନ ବୋଲି ସଫେଇ ଦେଇଥିଲେ । ଆଜିର ଘଟଣା ନେଇ  ପିଜି କାଉନସଲର ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ଗତ ଜୁନ ୩୦ ତାରିଖରେ ଶୃଙ୍ଖଳା କମିଟି ଯାହା ନିଷ୍ପତ୍ତି ନେଇଥିଲା ସେହି ପ୍ରକାରେ ଦୁଇ ଛାତ୍ର ପରୀକ୍ଷା ଦେଇ ପାରିବେନାହିଁ । ଆଗାମୀ ଦିନରେ ଆଇସିସି କମିଟି ପକ୍ଷରୁ ଯାହା ନିଷ୍ପତ୍ତି ନେବ ତାହା କାର୍ଯ୍ୟକାରୀ କରାଯିବ  ବୋଲି କହିଥିଲେ । ଏହା ସହ  ଆଜି ପୁଣି ଅନ୍ୟ ଏକ ଛାତ୍ରୀ ତାଙ୍କ ବିଭାଗରେ ଅସଦାଚରଣ କରାଯାଇଥିବା ଅଭିଯୋଗ କରିଥିବା ମଧ୍ୟ ପ୍ରଫେସର ମହାନ୍ତି ପ୍ରକାଶ କରିଛନ୍ତି । କଟକଣା ଜାରି କରାଯାଇଥିବା ଦୁଇ ଛାତ୍ରଙ୍କ ସମର୍ଥକ  ବିଦ୍ୟାର୍ଥୀ ମାନେ ପ୍ରକାଶ କରିଥିଲେ ଯେ ଆଜି ସେମାନେ ଶୃଙ୍ଖଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଗାମୀ ଦିନରେ ବିଶ୍ବବିଦ୍ୟାଳୟ ପକ୍ଷରୁ କୌଣସି ନିଷ୍ପତ୍ତି ଗ୍ରହଣ ନକରାଗଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଗଣମାଧ୍ୟମକୁ ଜଣାଇଥିଲେ।

Comments are closed.