ବେଳାଭୂମିରୁ ଅସହାୟ ଅବସ୍ଥାରେ ପଡି ରହିଥିବା ବ୍ୟକ୍ତି ଉଦ୍ଧାର

ଗୋପାଳପୁର: ଗୋପାଳପୁର ବେଳାଭୂମି ବୁଲିବାକୁ ନିଜ ମାଲିକ ସହ ଆସି ସମୁଦ୍ରରେ ସ୍ନାନ କରିବା ସମୟରେ ଲହଡି ମାଡ଼ରେ ଅଣ୍ଟା ଭାଙ୍ଗି ଯିବା ପରେ, ମାଲିକ ଅସହାୟ ଅବସ୍ଥାରେ ବେଳାଭୂମିରେ ଛାଡି ଚାଲି ଯାଇଥିଲେ। କିନ୍ତୁ ବେଳାଭୂମି ଡ୍ୟୁଟିରେ ରହିଥିବା ଦୁଇ ଗୃହରକ୍ଷୀ ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲ ପଠାଇଥିବା ଜଣାପଡିଛି। ଉଦ୍ଧାର ହୋଇଥିବା ବ୍ୟକ୍ତି ଜଣଙ୍କ ବୁଢାଆମ୍ବ ସନ୍ନିକଟ ବରପଲ୍ଲୀର ସଞ୍ଜୟ ବେହେରା (୫୫) ବୋଲି ଜଣାପଡିଛି। ଛତ୍ରପୁର ଅଞ୍ଚଳରେ ଏକ ଯାତ୍ରାରେ ଗ୍ରାମର ସନ୍ତୋଷ ପାତ୍ରଙ୍କ ଚାଟ ଦୋକାନରେ ସଞ୍ଜୟ କାରିଗର ଭାବେ କାମ କରୁଥିଲେ।

ଆଜି ସକାଳ ପ୍ରାୟ ୧୦ଟା ବେଳେ ଚାଟ ଦୋକାନ ମାଲିକ ସନ୍ତୋଷ, ତାଙ୍କ ପୁଅ ପ୍ରଦିପ ଓ ଅନ୍ୟମାନଙ୍କ ସହ ସଞ୍ଜୟ ଗୋପାଳପୁର ବୁଲିବାକୁ ଆସି ସମୁଦ୍ରରେ ସ୍ନାନ କରୁଥିଲେ। ଏହି ସମୟରେ ଉଚ୍ଚ ଲହଡି ମାଡ ହେବାରୁ ସଞ୍ଜୟ ସମେତ ଅନ୍ୟମାନେ ତଳେ ପଡି ଯାଇଥିଲେ। କିନ୍ତୁ ଲହଡି ମାଡ଼ରେ ସଞ୍ଜୟଙ୍କ ଅଣ୍ଟାରେ ଆଘାତ ଲାଗିଲା ଫଳରେ ସେ ଆଉ ସେଠାରୁ ଉଠି ପାରିନଥିଲେ। କିନ୍ତୁ ସାଥିରେ ରହିଥିବା ମାଲିକ ସନ୍ତୋଷ ସମେତ ଅନ୍ୟ ମାନେ ସଞ୍ଜୟଙ୍କୁ ସେପରି ଭାବରେ ଅସହାୟ ଅବସ୍ଥାରେ ବେଳାଭୂମିରେ ଛାଡି ଚାଲି ଯାଇଥିଲେ। ସଞ୍ଜୟ ଭାଗ୍ୟକୁ ଆଦୋରି ବେଳାଭୂମିରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦାଉ ଦାଉ ଖରାରେ ସେପରି ପଡି ରହିଥିଲେ। ଏହି ସମୟରେ ବେଳାଭୂମି ଏଡ ପୋଷ୍ଟରେ ନିୟୋଜିତ ରହିଥିବା ଗୃହରକ୍ଷୀ ଜି ଚିଟିବାବୁ ଓ ରାଧା ସେଠୀ ପ୍ରମୁଖ ବେଳାଭୂମିରେ ଡ୍ୟୁଟି କରିବା ସମୟରେ ଅସହାୟ ଅବସ୍ଥାରେ ପଡି ରହିଥିବା ସଞ୍ଜୟଙ୍କୁ ଦେଖି ଅବସ୍ଥା ବୁଝିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ବଡ ମେଡିକାଲ ପଠାଇ ଚିକିତ୍ସା ବ୍ୟବସ୍ଥା କରିଥିଲେ।

Comments are closed.