www.samajalive.in
Sunday, December 7, 2025
15.1 C
Bhubaneswar

ଟ୍ରାଫିକ କନଷ୍ଟେବଳଙ୍କ ମୃତ୍ୟୁ ଘଟଣା: ଫେରାର ଚାଳକ ଗିରଫ; ଟ୍ରକ ଜବତ

ଭୁବନେଶ୍ବର : ଦୁର୍ଘଟଣାରେ ଟ୍ରାଫିକ କନଷ୍ଟେବଳ ମଧୁସୂଦନ କିଷାନଙ୍କ ମୃତ୍ୟୁ ଘଟଣାରେ ଧକ୍କା ଦେଇ ଫେରାର ଥିବା ଚାଳକକୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିବା ସହ ଟ୍ରକକୁ ମଧ୍ୟ ଜବତ କରିଛି। ଦୁର୍ଘଟଣା ଘଟାଇଥିବା କଟକ ଜିଲା ବୈଦେଶ୍ବର ଥାନା ଗହୀରଗାଡ଼ିଆ ଗାଁର ପ୍ରଶାନ୍ତ କୁମାର ନାୟକକୁ ହେପାଜତରେ ରଖି ପୁଲିସ ପଚରା ଉଚରା ଚଳାଇଛି। ଦୁର୍ଘଟଣାର ୪ ଦିନ ପରେ ବାଙ୍କୀ ଗୋପାଳପୁରରେ ଚଢ଼ଉ କରି ଚାଳକକୁ ଗିରଫ କରିବା ସହ ଟ୍ରକକୁ ଜବତ କରିବାରେ ପୁଲିସ ସକ୍ଷମ ହୋଇଥିଲା। ଶନିବାର ରାତିରେ ଡ୍ୟୁଟି ସାରି ମଧୁସୂଦନ ଘରକୁ ଫେରିବା ବାଟରେ କଳିଙ୍ଗ ଷ୍ଟାଡ଼ିୟମ ଫାଟକ ନମ୍ବର-୯ ନିକଟରେ ଦ୍ରୁତ ବେଗରେ ଆସୁଥିବା ଉକ୍ତ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ସେ ମୋଟରସାଇକଲରୁ ତଳେ ପଡ଼ି ଯାଇଥିବା ବେଳେ ଟ୍ରକ ତାଙ୍କ ମୁଣ୍ଡ ଉପରେ ଚଢ଼ି ପଳାଇଥିଲା। ଘଟଣାସ୍ଥଳରେ କନଷ୍ଟେବଳଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମଧୁସୂଦନଙ୍କୁ ଚିହ୍ନିବା କଷ୍ଟକର ହୋଇଥିଲା। ଘଟଣା ପରଠୁ ଟ୍ରକ ନେଇ ପ୍ରଶାନ୍ତ ଫେରାର ହୋଇଯାଇଥିଲା। ପୁଲିସ ହାତରେ ଧରା ପଡ଼ିଯିବା ଭୟରେ ପ୍ରତିଦିନ ସେ ଏଣେତେଣେ ଘୂରି ବୁଲୁଥିଲା। ମଙ୍ଗଳବାର ସକାଳୁ ବାଙ୍କୀ ଗୋପାଳପୁର ଅଞ୍ଚଳରୁ ଟ୍ରକ ଜବତ କରିବା ସହ ତାକୁ ପୁଲିସ ଗିରଫ କରିଥିଲା। ଏସଂକ୍ରାନ୍ତରେ ପୁଲିସ ଉପାୟୁକ୍ତ ପ୍ରତୀକ ସିଂହ କହନ୍ତି, ଘଟଣା ପରେ ପ୍ରଶାନ୍ତ ଗାଡ଼ି ନେଇ ଛୁ’ ମାରିଥିଲା। ଜୟଦେବ ବିହାର ନିକଟରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ଟ୍ରକ ସମ୍ପର୍କରେ ପୁଲିସ ସୁରାକ ପାଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଟ୍ରକ ଚାଳକ ନିଶାସକ୍ତ ଅବସ୍ଥାରେ ଥିଲା। ବର୍ଷା ହେଉଥିବାରୁ ଟ୍ରକ ନେଇ ଦ୍ରୁତଗତିରେ ଯାଉଥିଲା। ଫଳରେ ରାମ ମନ୍ଦିର ଛକରୁ ଡ୍ୟୁଟି ସାରି ଘରକୁ ଫେରୁଥିବା ମଧୁସୂଦନଙ୍କୁ ଧକ୍କା ଦେଇଥିଲା। ପୁଲିସ ହାତରେ ଧରାପଡ଼ିବା ଭୟରେ ଚାଳକ ଟ୍ରକ୍‌ ନେଇ ଲୁଚିଛପି ବୁଲୁଥିଲା। ତାକୁ ଧରିବାରେ ପୁଲିସ ସଫଳ ହୋଇଛି। ସୂଚନା ଥାଉକି, ମୃତ ଟ୍ରାଫିକ ପୁଲିସ ମଧୁସୂଦନଙ୍କ ଘର ମାଲକାନଗିରି ଖଇରିପୁଟ ବ୍ଲକ ନନ୍ଦିନୀଗୁଡା ଗାଁରେ। ୨୦୧୩ରୁ ସେ ଭୁବନେଶ୍ୱରରେ ଟ୍ରାଫିକ ପୁଲିସରେ କାର୍ଯ୍ୟ କରୁଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories