‘ମିଶନ ଲାଇଫ୍’ କାର୍ଯ୍ୟକ୍ରମ ଶୁଭାରମ୍ଭ
କେଭାଡିଆ(ଗୁଜରାଟ) : ପାଣିପାଗ ପରିବର୍ତ୍ତନ ଯୋଗୁଁ ସୃଷ୍ଟ ଭୟାବହ ପରିସ୍ଥିତିରୁ ପୃଥିବୀକୁ ରକ୍ଷା କରିବା ନିମନ୍ତେ ଗୁରୁବାର ‘ମିଶନ ଲାଇଫ୍’(ପରିବେଶ ପାଇଁ ଜୀବନଚର୍ଯ୍ୟା) କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍।
ଆସନ୍ତା ମାସରେ ଇଜିପ୍ଟରେ ପାଣିପାଗକୁ ନେଇ ଜାତିସଂଘର ଏକ ବୃହତ୍ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକର ପୂର୍ବ ପ୍ରସ୍ତୁତି ତଥା ଉପଯୁକ୍ତ ଜୀବନଶୈଳୀ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ନିମନ୍ତେ ଗୁରୁବାର ‘ମିଶନ ଲାଇଫ୍’ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଏହି ଅବସରରେ ଉଦ୍ବୋଧନ ଦେଇ ମୋଦୀ କହିଥିଲେ ଜଳବାୟୁ ପରିବର୍ତ୍ତନଜନିତ ବିପଦର ମୁକାବଲା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ। ମିଶନ ଲାଇଫ କାର୍ଯ୍ୟକ୍ରମ ପୃଥିବୀର ସୁରକ୍ଷା ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ। ପରିବେଶ ସୁରକ୍ଷା କ୍ଷେତ୍ରରେ ପ୍ରତ୍ୟେକ ବ୍ୟକ୍ତି ନିଜସ୍ତରରେ ଉଦ୍ୟମ କରିବାକୁ ମୋଦୀ ଆହ୍ବାନ ଦେଇଥିଲେ। ପରିବେଶ ସୁରକ୍ଷା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ଦୈନନ୍ଦିନ ଜୀବନରେ କିଛିଟା ପରିବର୍ତ୍ତନ ଆଣିବା ଉଚିତ୍ ବୋଲି ସେ କହିଥିଲେ। ଉଦାହରଣ ଦେଇ ମୋଦୀ କହିଥିଲେ ଜଣେ ବ୍ୟକ୍ତି ଗାଡ଼ି ନେଇ ଜିମ୍ (ବ୍ୟାୟାମଶାଳା)କୁ ଯାଉଛନ୍ତି। ଯଦି ସେହି ବ୍ୟକ୍ତି ସାଇକଲ ନେଇ ଜିମ୍ ଯାଆନ୍ତି ତେବେ ପେଟ୍ରୋଲ, ଡିଜେଲ୍ ବ୍ୟବହାର ବନ୍ଦ ହେବା ସହ ବ୍ୟକ୍ତି ଶାରୀରିକ ସୁସ୍ଥତା ହାସଲ କରିପାରିବ। ଘରେ ଲୋକେ ଶୋଇବା ସମୟରେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର (ଏସି)ର ତାପମାତ୍ରାକୁ ୧୭/୧୮ ଡିଗ୍ରୀରେ ରଖି କମ୍ବଳ ଘୋଡାଇ ହେଉଥିବା ବିଷୟକୁ ମୋଦୀ ନାପସନ୍ଦ କରିଛନ୍ତି। ଏପରି ହେବାଦ୍ବାରା ଅଯଥା ବିଦ୍ୟୁତ୍ ଅପଚୟ ସହ ପରିବେଶ ଉପରେ କୁ-ପ୍ରଭାବ ପଡୁଥିବା ସେ କହିଛନ୍ତି। ସେହିପରି ଭାରତରେ ଏଲ୍ଇଡି ବଲ୍ ବ୍ୟବହାର ଫଳରେ ଭାରତରେ ବିଦ୍ୟୁତ୍ ସଞ୍ଚୟ ବଢ଼ିଥିବା ମୋଦୀ କହିଥିଲେ। ବିଶ୍ବସ୍ତରରେ ବାର୍ଷିକ କାର୍ବନ ଫୁଟ୍ପ୍ରିଣ୍ଟ ୪ ଟନ୍ ରହିଥିବା ବେଳେ ଭାରତରେ ଏହା ୧.୫ ଟନ୍ ରହିଥିବା ମୋଦୀ ସୂଚନା ଦେଇଥିଲେ।
ପବନ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଭାରତ ବର୍ତ୍ତମାନ ବିଶ୍ବର ୪ର୍ଥ ସ୍ଥାନରେ ରହିଥିବା ବେଳେ ସୌର ଶକ୍ତି ଉତ୍ପାଦନ କ୍ଷେତ୍ରରେ ୫ମ ସ୍ଥାନରେ ରହିଥିବା ବେଳେ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଗତ ୭/୮ ବର୍ଷ ମଧ୍ୟରେ ଭାରତ ବ୍ୟାପକ ସଫଳତା ହାସଲ କରିଥିବା ମୋଦୀ ସୂଚନା ଦେଇଥିଲେ। ସେହିପରି ଜାତୀୟ ହାଇଡ୍ରୋଜେନ୍ ମିଶନ ଦ୍ବାରା ଭାରତ ପରିବେଶ ଉପଯୋଗୀ ଶକ୍ତି ସ୍ରୋତର ବିକାଶ କରିବାରେ ସଫଳତା ପାଇଥିବା ମୋଦୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦର ପଟେଲ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.