କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍

ନୟାଗଡ଼: ଭାରତ ସରକାରଙ୍କ ଜିଆଇ ଟ୍ୟାଗ୍ (ମାନ୍ୟତା) ପାଇଲା ନୟାଗଡ଼ ଜିଲାର ପ୍ରସିଦ୍ଧ କଣ୍ଟେଇମୁଣ୍ଡି ବାଇଗଣ। ଚେନ୍ନଇସ୍ଥିତ ଜିଓଗ୍ରାଫିକାଲ ଇଣ୍ଡିକେସନ୍ସ ରେଜିଷ୍ଟ୍ରି ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି କାର୍ଯ୍ୟାଳୟ ପକ୍ଷରୁ ଏହି ମାନ୍ୟତା ମିଳିଛି। ଏହି ବାଇଗଣକୁ ଜିଆଇ ମାନ୍ୟତା ଦେବା ପାଇଁ ୬ମାସ ପୂର୍ବରୁ ନୟାଗଡ଼ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଜରିଆରେ ଚେନ୍ନଇସ୍ଥିତ ସମ୍ପୃକ୍ତ କାର୍ଯ୍ୟାଳୟକୁ ଆବେଦନ କରାଯାଇଥିଲା। ଏହି ଆବେଦନକୁ ନୟାଗଡ଼ର ତତ୍କାଳୀନ ଜିଲାପାଳ ଡ. ପୋମା ଟୁଡୁ ମଧ୍ୟ ସୁପାରିସ କରିଥିଲେ। ଏବେ କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍ ମିଳିଥିବା ନେଇ ସୂଚନା ଦେଇଛନ୍ତି ଜିଲାପାଳ ରବୀନ୍ଦ୍ର ନାଥ ସାହୁ। ଏହା ଜିଲା ପାଇଁ ଗର୍ବ ଓ ଗୌରବ ବୋଲି ସେ କହିଛନ୍ତି।
ଗତ ଡିସେମ୍ବର ୬ରେ ଚେନ୍ନଇରୁ ବିଶେଷଜ୍ଞ ପ୍ରତିନିଧିମଣ୍ଡଳୀ ଭୁବନେଶ୍ୱର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଆସିଥିଲେ। କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ମାନ୍ୟତା ପ୍ରଦାନ ନିମନ୍ତେ ଆବଶ୍ୟକ ସପକ୍ଷ ପ୍ରମାଣ ନୟାଗଡ଼ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ. ଅନୀଲ କୁମାର ସ୍ୱାଇଁ ବିଶେଷଜ୍ଞଙ୍କ ନିକଟରେ ଉପସ୍ଥାପନ କରିଥିଲେ। ସୂଚନାଯୋଗ୍ୟ, ଏହି ବାଇଗଣ ଖଣ୍ଡପଡ଼ା ବ୍ଲକର କଣ୍ଟିଲୋ, ବଡ଼ବାଣପୁର, ବେଣାଗାଡ଼ିଆ, ସିଧାମୂଳା, କୁମୁଣ୍ଡି, ଘଣାଶାଳିଆ, ଭାପୁର ବ୍ଲକର ବଡ଼ବର, ମାଣିତ୍ରୀ, ଗୁଡୁପଡ଼ା, କରବର, ନଣ୍ଡାବର, ଟିକିରିପଡ଼ା, ଯଶନ୍ତପୁର, ହେମନ୍ତପାଟଣା, ରଗଡ଼ିପଡ଼ା, ଝଗଡ଼ପଡ଼ା, ହନୁମନ୍ତପ୍ରସାଦ, ମାଧପୁର, ପଥରଚକଡ଼ା, ଧାନଚାଙ୍ଗଡ଼ା, ଲକ୍ଷ୍ମୀପ୍ରସାଦ, ମଣିପୁର ଏବଂ ଗଣିଆ ବ୍ଲକର ପତୁରିଆ, ବେଲପଡ଼ା, ୱାଲିପୁର, ରାଉତପଡ଼ା ସମେତ ଅନ୍ୟାନ୍ୟ ନଦୀ ଉପକୂଳବର୍ତ୍ତୀ ଗ୍ରାମମାନଙ୍କରେ ବହୁଳଭାବେ ଚାଷ ହୋଇଥାଏ। ନୟାଗଡ଼ ଜିଲା ପାଇଁ କଣ୍ଟେଇମୁଣ୍ଡି ବାଇଗଣ ଗୌରବ ଆଣିଦେଇଥିବାବେଳେ ପୂର୍ବରୁ କଣ୍ଟିଲୋ ନିକଟସ୍ଥ ସିଧାମୁଳା ଗ୍ରାମର ନୀଳମାଧବ କୃଷି ସଙ୍ଗଠନ ଏହି ବାଇଗଣକୁ ଜିଆଇ ମାନ୍ୟତା ପାଇଁ ୭୩୯ନଂ ଦରଖାସ୍ତରେ ଦାବି ରଖିଥିଲା। ଏଥିପାଇଁ ଓୟୁଏଟି ବିଭିନ୍ନ ସମୟରେ ଏହାକୁ ଜିଆଇ ଟ୍ୟାଗ୍ ପ୍ରଦାନ ପାଇଁ ସହଯୋଗ କରି ଆସିଥିଲା। ଏହି ବାଇଗଣକୁ ବିଭାଗ ୩୧ର ମାନ୍ୟତା ମିଳିଛି। ପ୍ରତ୍ୟେକ ବାଇଗଣର ଓଜନ ୨୫ରୁ ୫୦ ଗ୍ରାମ୍ ମଧ୍ୟରେ ରହିଥାଏ। ଏହି ବାଇଗଣ ଗଛ ଲଗାଇବାର ୩୦ରୁ ୩୫ ଦିନ ମଧ୍ୟରେ ଫଳ ଦେଇଥାଏ। ଏହାର ଗଛପତ୍ର ଓ ଫଳରେ ସବୁଆଡ଼େ କଣ୍ଟା ଲାଗି ରହିଥାଏ। ଏହି ବାଇଗଣ ଅନ୍ୟ ବାଇଗଣ ଠାରୁ ସ୍ବତନ୍ତ୍ର ହୋଇଥିବାବେଳେ ଏହାର ସ୍ବାଦ ଭଲ ରହିବା ସହ ଏଥିରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ପରିମାଣରେ ରହିଛି।
Comments are closed.