କ୍ଷୁଦ୍ର ଜଳସେଚନ ବିଭାଗର ଖାମଖିଆଲି କାର୍ଯ୍ୟ, ଭୁଶୁଡି ପଡିଲା ଛାତ୍ରୀନିବାସ ପାଚେରୀ

ଘଣ୍ଟାପଡା: କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତର ଉମା ପୋଖରୀ ଜଳ ନିଷ୍କାସନ ପାଇଁ କ୍ଷୁଦ୍ର ଜଳ ବିଭାଜିକା ପ୍ରକଳ୍ପ ପକ୍ଷରୁ ଡ୍ରେନ ନିର୍ମାଣ କରାଯାଉଛି। ଓଡିଶା ଜଳବାୟୁ ପ୍ରତିରୋଧି ସମନ୍ୱିତ ଜଳସେଚନ କୃଷି ପ୍ରକଳ୍ପ ଅଧୀନରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ବୌଦ୍ଧ ଦ୍ୱାରା ୫କୋଟି ୯୦ଲକ୍ଷ ୯୭ହଜାର ୩୯୯ ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏହି କାର୍ଯ୍ୟ ୨୯ ଡିସେମ୍ବର ୨୦୧୯ ଠାରୁ ଆରମ୍ଭ ହୋଇଥିବା ବେଳେ କାର୍ଯ୍ୟର ଅବଧି ୨୮ ଫେବୃଆରୀ ୨୦୨୧ ଦର୍ଶାଯାଇଛି। ଜଗଦିଶ ଅଗ୍ରୱାଲ ନାମକ ଜଣେ ଠିକାଦାରଙ୍କୁ କାର୍ଯ୍ୟ କରବାପାଇଁ ଦାୟିତ୍ୱ ଦିଆଯାଇଛି। ନିର୍ମାଣ ଅବଧିର ଏକବର୍ଷରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ହେଁ ତାହା ସମ୍ପୂର୍ଣ ନକରି ୧୦ଫୁଟ ଭିତରେ ଛାଡି ଦିଆଯାଇଛି।

ଛାତ୍ରୀନିବାସର ପାଚେରୀ ନିକଟରେ ଉକ୍ତ ଡ୍ରେନ ନିର୍ମାଣ ହେଉଥିବାରୁ ପାଚେରୀ ଭାଙ୍ଗି ଯିବାର ଆଶଙ୍କା କରି ଶୀଘ୍ର କାମ ସଂପୂର୍ଣ୍ଣ କରିବାକୁ ନିର୍ମାଣ ସମୟରେ ଗ୍ରାମବାସୀ ପ୍ରକଳ୍ପ ଅଧିକାରୀଙ୍କୁ ତାଗିଦ କରିଥିଲେ ମଧ୍ୟ କେହି ଗୁରୁତ୍ୱ ଦେଇ ନଥିଲେ। ପାଚେରୀର ସୁରକ୍ଷା ପ୍ରତି ବିପଦ ଥିବା ବିଷୟରେ ଖବର ପ୍ରକାଶିତ ହୋଇଥିଲେ ହେଁ ଏଥିପ୍ରତି ବିଭାଗ ଆଖିବୁଜି ଦେଇଥିଲା। ଫଳରେ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଲଘୁଚାପ ଜନିତ ବର୍ଷାରେ ଛାତ୍ରୀନିବାସର ପାଚେରୀ ସଂପୂର୍ଣ୍ଣ ଭାବେ ଭାଙ୍ଗି ଯାଇ ନିର୍ମାଣଧିନ ଡ୍ରେନ ପୋତି ହୋଇ ଯାଇଛି।

Comments are closed.