ଗଞ୍ଜାମ : ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ୧୨ ନମ୍ବର ୱାର୍ଡର ମୁଖ୍ୟ ରାସ୍ତାରେ ଆବର୍ଜନାପୂର୍ଣ୍ଣ ପାଣି ଜମି ରହିଥିବା ଦେଖିବାକୁ ମିଳିଛିା ଡ୍ରେନରୁ ଆସୁଥିବା ଏହି ଦୂଷିତ ଜଳ ନିଷ୍କାସନ ହେବା ପାଇଁ ବ୍ୟବସ୍ଥା ନଥିବା ଯୋଗୁଁ ଏହି ସମସ୍ୟା ସୃଷ୍ଟି ହେଉଛି। ଫଳରେ ଏହାକୁ ନେଇ ସ୍ଥାନୀୟଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ପ୍ରତ୍ୟେକ ଦିନ ୱାର୍ଡ଼ରୁ, ଘରମାନଙ୍କରୁ ଡ୍ରେନରେ ଆସୁଥିବା ଆବର୍ଜନା ଜଳ ଜମି ରହି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି ।
ଅନ୍ୟପଟେ ଉକ୍ତ ସ୍ଥାନରେ ମଶା ମାଛିଙ୍କ ବଂଶ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ଆଗକୁ ବର୍ଷା ଦିନ ଆସୁଥିବା ଯୋଗୁଁ ଏହି ସମସ୍ୟା ଦ୍ୱିଗୁଣିତ ହେବାର ସମ୍ଭାବନା ରହିଛି। ଉକ୍ତ ରାସ୍ତା ଦେଇ ଯାଉଥିବା ଅଙ୍ଗନବାଡି କୋମଳମତି ଶିଶୁ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରୁଛି। ଏନେଇ ସ୍ଥାନୀୟ କାଉନସିଲର ଆର. ଚନ୍ଦ୍ରଶେଖର ଓ ସ୍ଥାନୀୟ ବୁଦ୍ଧିଜୀବୀ ଏନଏସି କର୍ତ୍ତୃପକ୍ଷଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହେଉଛି। ଏନଏସି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଜଳ ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନେବାକୁ ଦୃଢ ଦାବି ହେଉଛି । ଏହା ନହେଲେ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
ଦାମୋଦରପୁର ମୁଖ୍ୟ ରାସ୍ତାରେ ଆବର୍ଜନା ଜଳ
- Advertisement -
Popular Categories



