ତାଳଚେର : ତାଳଚେର ପ୍ରସିଦ୍ଧ ଗଣେଶ ପୂଜାର ଅନ୍ତିମ ସୋପାନର ବିଶେଷ ଆକର୍ଷଣ ଆଜ୍ଞାମାଳ ଓ ବିରାଟକାୟ ଆଜ୍ଞାଲଡୁ ନିଲାମ ହୋଇଛି। ଚଳିତ ବର୍ଷ ସାଢେ ୩ ଟନ ଓଜନର ଆଜ୍ଞାଲଡୁକୁ ଟିଏସଏସ ଗ୍ରୁପ ୧୯ଲକ୍ଷ ୩୮ ହଜାର ଟଙ୍କାରେ ନିଲାମରେ ନେଇଛନ୍ତି। ଭସାଣୀ ଶୋଭାଯାତ୍ରା ଦିନକ ପୂର୍ବରୁ ଗଣେଶଙ୍କ ୩୫୦୦ କେଜି ଓଜନର ଆଜ୍ଞାଲଡ଼ୁ ଓ ଆଜ୍ଞମାଳ ସର୍ବସମ୍ମୁଖରେ ବଡ଼ ସାହିସ୍ଥିତ ମେଲଣ ପଡ଼ିଆ ଠାରେ ନିଲାମ ହୋଇଥିଲା। କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସଭାପତି ତଥା ତାଳଚେର ଉପଜିଲାପାଳ ସମୀର କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ନିଲାମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଲଲଡଡା ବିଧାୟକ ଅଶୋକ ମହାନ୍ତି, ସମ୍ମାନିତ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ତାଳଚେର ପୋୖରପାଳ ପବିତ୍ର ଭୁତିଆ, କଣିହାଁ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଉପଖଣ୍ଡ ଆରକ୍ଷୀ ଅଧୀକାରୀ ମାନସ ରଞ୍ଜନ ବାରିକ, ସାଂସଦଙ୍କ ପ୍ରତିନିଧି ସ୍ୱାଧୀନ ଥମ୍ବ ଓ କେନ୍ଦ୍ରୀ ୟ ଗଣେଶ ପୂଜା କମିଟି କର୍ମକର୍ତ୍ତା ଯୋଗ ଦେଇଥିଲେ। ନିଲାମ ଡାକରାରେ ୧୬ଟି ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଭାଗ ନେଇଥିଲେ। ସର୍ବାଧିକ ୧୯ଲକ୍ଷ ୩୮ହଜାର ଟଙ୍କାରେ ଟିଏସଏସ ଗ୍ରୁପର ପକ୍ଷରୁ ପ୍ରତିନିଧିତ୍ବ କରିଥିବା ଯତୀନ ମହାନ୍ତି ଓ ତାପସ ସାହୁ ୩ହଜାର ୫ଶହ କିଲୋ ଓଜନର ଗଜାନନଙ୍କ ଆଜ୍ଞାଲଡ଼ୁକୁ ନିଲାମରେ ନେବାର ସୌଭାଗ୍ୟ ଅର୍ଜନ କରିଥିଲେ। ପ୍ରଥମେ ଏହି ବିରାଟକାୟା ଆଜ୍ଞାଲଡ଼ୁକୁ ତାଳଚେର ଚିତ୍ରକୂଟ ଗଣେଶ ମନ୍ଦିର ଠାରେ ପୂଜାର୍ଚ୍ଚନା କରି ଏକ ପଟୁଆରରେ ଘଣ୍ଟବାଦ୍ୟ, ଝାଞ୍ଜ ଓ ମୃଦଙ୍ଗର ତାଳେ ତାଳେ ହଜାର ହଜାର ଲୋକଙ୍କ ମଧ୍ୟରେ କଡା ସୁରକ୍ଷାରେ ମେଲଣ ପଡ଼ିଆକୁ ଅଣାଯାଇଥିଲା। ଏହାକୁ ଦେଖିବାକୁ ସଭାସ୍ଥଳ ଲୋକାରଣ୍ୟ ହୋଇପଡ଼ିଥିଲା।
Popular Categories



