ଖଣ୍ଡଗିରିରେ ହେବ ଶାଶ୍ବତ ଗାନ୍ଧୀ ବ୍ୟାଖ୍ୟାନ କେନ୍ଦ୍ର

0

ଭୁବନେଶ୍ବର : ପରାଧୀନ ଭାରତବର୍ଷକୁ ୨୦୦ ବର୍ଷର ଇଂରେଜ ଉପନିବେଶବାଦରୁ ମୁକ୍ତ କରିବାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଭୂମିକା ଅନନ୍ୟ ଓ ସ୍ୱତନ୍ତ୍ର । ସ୍ୱାଧୀନ ଭାରତର ପ୍ରତ୍ୟେକ ନାଗରିକ ସେଥିପାଇଁ ତାଙ୍କ ନିକଟରେ ଚିର ଋଣୀ। ଓଡ଼ିଶା ସହ ଗାନ୍ଧିଜୀଙ୍କ ସମ୍ପର୍କ ନିବିଡ଼ ଥିଲା ଓ ସେ ଆଠ ଥର ଓଡ଼ିଶା ଆସିଥିଲେ। ତାଙ୍କ ଓଡ଼ିଶା ଗସ୍ତର ଅମ୍ଳାନ ସ୍ମୃତିକୁ ଚିର ଉଜ୍ଜୀବିତ କରି ରଖିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ମିଳିତ ଉଦ୍ୟମରେ ନୂଆଦିଲ୍ଲୀର ବିର୍ଲା ଭବନ ଢ଼ାଞ୍ଚାରେ ଖଣ୍ଡଗିରି ପାଦଦେଶରେ ଶାଶ୍ୱତ ଗାନ୍ଧୀ ବ୍ୟାଖ୍ୟାନ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି।
ବୁଧବାର ଜୟଦେବ ଭବନଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ସହିଦ ଦିବସ ପାଳିତ ହୋଇଯାଇଛି। ଗାନ୍ଧିଜୀଙ୍କ ମହାପ୍ରୟାଣର ୭୦ତମ ପୂର୍ତ୍ତି ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂସ୍କୃତି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ ଯେ, କାଠଯୋଡ଼ି ନଦୀ ବାଲିରେ ଗାନ୍ଧିଜୀଙ୍କ ବିରାଟ ସାଧାରଣ ସଭାର ସ୍ମୃତିରକ୍ଷା କରାଯିବ। ଏଥିପାଇଁ ୫ ଲକ୍ଷ ଟଙ୍କା ବ୍ୟୟରେ ସେହି କାଠଯୋଡ଼ି ନଦୀ ବାଲିରେ ଗାନ୍ଧିଜୀଙ୍କ ଭବ୍ୟ ସ୍ମାରକୀ ନିର୍ମାଣ ହେବ। ରାଜ୍ୟର ୩୦ଟି ଜିଲାରେ ୬୦ ଲକ୍ଷ ଟଙ୍କା ବିନିଯୋଗରେ ଗାନ୍ଧୀ ଜୟନ୍ତୀ ପାଳିତ ହେବ। ରାଜ୍ୟରେ ଥିବା ସମସ୍ତ ଗାନ୍ଧୀ ସ୍ମୃତିର ପୁନରୁଦ୍ଧାର ଓ ଗାନ୍ଧୀ ରଚନାର ପୁନଃମୁଦ୍ରଣ କରାଯିବ। ସାରା ରାଜ୍ୟରେ ଗାନ୍ଧୀ ଜୟନ୍ତୀ ପାଳନ କମିଟି ବର୍ଷତମାମ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କମିଟିର ଅଧ୍ୟକ୍ଷ ରହିବେ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏସବୁ ସମାହିତ ହେବ ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ପଣ୍ଡା ସୂଚନା ଦେଇଥିଲେ।
ଗାନ୍ଧିଜୀଙ୍କ ସତ୍ୟ, ଅହିଂସା ଓ ସର୍ବୋଦୟ ନୀତି ଆଜି ବିଶ୍ୱବାସୀଙ୍କୁ ଅନୁପ୍ରାଣିତ କରିଛି ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଥିଲେ। ବିଶିଷ୍ଟ ସାହିତ୍ୟିକ ଡ.ପାବକ କାନୁନଗୋ କହିଥିଲେ ଯେ ଗାନ୍ଧିଜୀଙ୍କ ଜୀବନ ଦର୍ଶନର ପ୍ରାସଙ୍ଗିକତା ଯୁଗ ଯୁଗ ଧରି ରହିଛି ଓ ରହିଥିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦେଶକ ବିଜୟ କୁମାର ନାୟକ ଯଥାର୍ଥରେ ଗାନ୍ଧିଜୀ ହିଁ ଏ ଜାତିର ଜନକ ବୋଲି ଦର୍ଶାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସମ୍ପାଦକ ଡ଼.ଜୟନ୍ତୀ ରଥ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦେଶକ ନିରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ପ୍ରକାଶିତ ‘ମୁକ୍ତିକଥା’ ପୁସ୍ତକ ଏହି ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଉଚ୍ଚବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ, ବକ୍ତୃତା, ଦେଶାତ୍ମାବୋଧ ସଂଗୀତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ଓ ଅନ୍ୟାନ୍ୟ ଦେଶାତ୍ମବୋଧକ ସଂଗୀତ ପରିବେଷିତ ହୋଇଥିଲା ।
ଜୟଦେବ ଭବନର ପ୍ରଦର୍ଶନୀ କକ୍ଷରେ ଶିଳ୍ପୀ ଶିବିରର ପ୍ରତିଯୋଗୀମାନଙ୍କ ଦ୍ୱାରା ପ୍ରସ୍ତୁତ ଗାନ୍ଧିଜୀଙ୍କ ଜୀବନୀ ସମ୍ବଳିତ ପଟ୍ଟଚିତ୍ର ପ୍ରଦର୍ଶନୀ ଉନ୍ମୋଚିତ ହୋଇଥିଲା। ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଜୟଦେବ ଭବନ ପ୍ରେକ୍ଷାଳୟରେ କବିତା ଆସର, ଓଡ଼ିଶା ଲଳିତ କଳା ଏକାଡ଼େମୀ ପକ୍ଷରୁ ଶିଳ୍ପୀ ଶିବିର ଓ ଗୀତ ଗୋବିନ୍ଦ ସଦନ ପ୍ରେକ୍ଷାଳୟରେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପକ୍ଷରୁ ଦେଶାତ୍ମବୋଧ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

kalyan agarbati
Leave A Reply