ଡେସ୍କ: ପଶ୍ଚିମବଙ୍ଗ ପୂର୍ବ ମେଦିନାପୁରର ଦୀଘାଠାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ ବା ‘ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର’ ଭାବେ ନାମିତ କରାଯିବା ଗ୍ରହଣୀୟ ନୁହେଁ ବୋଲି ଗଜପତି ଦିବ୍ୟସିଂହ ଦେବ କହିଛନ୍ତି। ଏ ସଂକ୍ରାନ୍ତରେ ଗଜପତି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।
ପୁରୀ ମୁକ୍ତିମଣ୍ଡପ ପଣ୍ଡିତ ସଭାର ତଥ୍ୟ ଅନୂଜୟୀ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୂଳପୀଠ ହେଉଛି ପୁରୁଷୋତ୍ତମ କ୍ଷେତ୍ର। ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଚତୁର୍ଦ୍ଧାମୂର୍ତ୍ତୀ ବିଗ୍ରହଙ୍କର ଶାସ୍ତ୍ରୀୟ ମତ ଅନୁସାରେ ପ୍ରତିଷ୍ଠା ଥିଲେ ମଧ୍ୟ ତାହା ‘ଜଗନ୍ନାଥ ଧାମ’, ‘ଶ୍ରୀପୁରୁଷୋତ୍ତମ କ୍ଷେତ୍ର’, ‘ଶ୍ରୀକ୍ଷେତ୍ର’ କିମ୍ବା ‘ନୀଳାଚଳ ଧାମ’ ଭାବରେ ନାମିତ କରାଯାଇପାରିବ ନାହିଁ। ତେଣୁ ଦିଘାରେ କରାଯାଇଥିବା ଜଗନ୍ନାଥ ମନ୍ଦିରକୁ କିମ୍ବା ସ୍ଥାନକୁ ଶ୍ରୀ ଜଗନ୍ନାଥ ଧାମ, କ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର କିମ୍ବା ନୀଳାଚଳ ଧାମ ନାମରେ ନାମିତ କରାଯାଇପାରିବ ନାହିଁ।
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦିବ୍ୟ ମହିମା ମହର୍ଷି ବେଦବ୍ୟାସଙ୍କ ଦ୍ଵାରା ରଚିତ ସ୍କନ୍ଦ ପୁରାଣର “ବୈଷ୍ଣବ ଖଣ୍ଡ”ରେ ଥିବା “ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟ”ରେ ପ୍ରାମାଣିକ ଏବଂ ବ୍ୟାପକ ଭାବେ ଉଲ୍ଲେଖ କରାଯାଇଛି। ଅନ୍ୟ କୌଣସି ସ୍ଥାନ କିମ୍ବା ମନ୍ଦିର ନୁହେଁ, କେବଳ ପୁରୀ ହିଁ କାହିଁକି ‘ଶ୍ରୀଜଗନ୍ନାଥ ଧାମ’ ତାହା ସ୍କନ୍ଦ ପୁରାଣର କେବଳ ଏକ ସରଳ ପଠନ ଦ୍ଵାରା ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଇଛି। ପୁରୀ ହେଉଛି ପରମ ଆରାଧ୍ୟ ମହାପ୍ରଭୁ ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥଙ୍କ ପବିତ୍ର ଆଦ୍ୟ ଓ ନିତ୍ୟ ପୀଠ। ଭଗବାନ ବ୍ରହ୍ମାଙ୍କ ଜୀବନକାଳର ପ୍ରଥମ ପରାର୍ଦ୍ଧ (୫୦ ବର୍ଷ) ସମୟରେ ମହାପ୍ରଭୁ ଶ୍ରୀପୁରୁଷୋତ୍ତମକ୍ଷେତ୍ର ପୁରୀରେ “ନୀଳମାଧବ’ ରୂପରେ ଥିଲେ। ଏହାପରେ ଭଗବାନ ବ୍ରହ୍ମାଙ୍କର ୫୧ ତମ ବର୍ଷରେ ମହାପ୍ରଭୁ “ଚତୁର୍ଦ୍ଧା ଦାରୁ ବିଗ୍ରହ” ଭାବେ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ପୁରୀରେ ଆର୍ବିଭାବ ହୋଇ ଉପାସିତ ହେଉଛନ୍ତି। ମହାପ୍ରଭୁ ଏହି ଦାରୁବ୍ରହ୍ମ ରୂପରେ ଭଗବାନ ବ୍ରହ୍ମାଙ୍କ ଜୀବନକାଳର ଏହି ୫୦ ବର୍ଷ (ଦ୍ଵିତୀୟ ପରାର୍ଦ୍ଧ)ରେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ଅଧିଷ୍ଠିତ ହୋଇ ରହିବେ।
କେବଳ ସ୍କନ୍ଦ ପୁରାଣ ନୁହେଁ ବରଂ ବ୍ରହ୍ମ-ପୁରାଣ, ନୀଳାଦ୍ରି ମହୋଦୟ ଏବଂ ଅନ୍ୟାନ୍ୟ ପବିତ୍ର ଓ ପ୍ରାଚୀନ ଶାସ୍ତ୍ରରେ ମଧ୍ୟ ଶ୍ରୀପୁରୁଷୋତ୍ତମକ୍ଷେତ୍ର ପୁରୀ ହିଁ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କର ପରମ ପବିତ୍ର ଆଵୀର୍ଭାବ ଓ ଉପାସନାର ପୀଠ ବୋଲି ଖୁବ୍ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ‘ପଦ୍ମପୁରାଣ’ର ଷଷ୍ଠ ଅଧ୍ୟାୟରେ ଉଲ୍ଲେଖ ରହିଛି ଯେ, କେବଳ ଭଗବାନଙ୍କର ପବିତ୍ର ନିତ୍ୟ ନିଳୟକୁ ହିଁ ‘ଧାମ’ ବୋଲି କୁହାଯାଇପାରିବ, ଅନ୍ୟ କୌଣସି ସ୍ଥାନ କିମ୍ବା ମନ୍ଦିର ‘ଧାମ’ ଭାବେ ଗ୍ରହଣୀୟ ନୁହେଁ । ଶତାବ୍ଦୀ ଶତାବ୍ଦୀ ଧରି, ସନାତନ ବୈଦିକ ଧର୍ମର ବିଭିନ୍ନ ସମ୍ପ୍ରଦାୟର ମହାନ ପ୍ରତିଷ୍ଠାତା-ଆଚାର୍ଯ୍ୟ, ଭଗବତପାଦ ଆଦି ଶଙ୍କରାଚାର୍ଯ୍ୟ, ଶ୍ରୀରାମନୁଜାଚାର୍ଯ୍ୟ, ଶ୍ରୀନିମ୍ୱର୍ଜାଚାର୍ଯ୍ୟ, ଶ୍ରୀମଧୁଚାର୍ଯ୍ୟ, ଶ୍ରୀରାମାନନ୍ଦାଚାର୍ଯ୍ୟ, ଶ୍ରୀଚୈତନ୍ୟ ଏବଂ ଶ୍ରୀବଲ୍ଲଭାଚାର୍ଯ୍ୟ କେବଳ ପୁରୀକୁ ହିଁ ଶ୍ରୀଜଗନ୍ନାଥ ଧାମ ଭାବରେ ସର୍ବତ୍ର ସ୍ବୀକାର କରିଥିବା କୁହାଯାଇଛି। ତରଣୁ , “ମହାପ୍ରଭୁଙ୍କ ଶ୍ରୀବିଗ୍ରହ ଦାରୁ ବ୍ୟତୀତ ଅନ୍ୟ କୌଣସି ଧାତୁ ବା ଶୀଳାରେ ନିର୍ମାଣ କରି ପୂଜା କରିବା ଉଚିତ ନୁହେଁ ….. ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୂଳପୀଠ ଶ୍ରୀମନ୍ଦିର ବ୍ୟତୀତ ଅନ୍ୟ କୌଣସି ଜଗନ୍ନାଥ ମନ୍ଦିରରେ ପ୍ରତିଷ୍ଠିତ ଶ୍ରୀବିଗ୍ରହ ମାନଙ୍କୁ ସମର୍ପଣ କରାଯାଉଥିବା ନୈବେଦ୍ୟକୁ ‘ଶ୍ରୀମହାପ୍ରସାଦ’ କୁହାଯିବା ଶାସ୍ତ୍ର ସମ୍ମତ ନୁହେଁ।
ତେଣୁ ଏହି ଶାସ୍ତ୍ର ସମ୍ମତ ବିଷୟଗୁଡ଼ିକୁ ଦୃଷ୍ଟିରେ ରଖ୍, ଦୀଘା ଶ୍ରୀଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା, ଟ୍ରଷ୍ଟି ଏବଂ ପୃଷ୍ଠପୋଷକମାନଙ୍କୁ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରକୁ ସେମାନେ “ଜଗନ୍ନାଥ ଧାମ” କିମ୍ବା “ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର” ଭାବେ ନାମିତ କରିବାରୁ ନିବୃତ୍ତ ରୁହନ୍ତୁ ବୋଲି ବୋଲି ସେ କହିଛନ୍ତି।



