www.samajalive.in
Saturday, December 6, 2025
14.1 C
Bhubaneswar

ଗହୀରମଥାର ବ୍ୟଥା

ଭୁବନେଶ୍ଵର:   ବିରଳ ପ୍ରଜାତିର ଅଲିଭ୍‌‌ ରିଡ଼୍‌‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଭାବରେ ଭଦ୍ରକ-କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା ସାରା ବିଶ୍ୱରେ ପରିଚିତ। ଜୈବ ବିବିଧତାରେ ପୂର୍ଣ୍ଣ ଭିତରକନିକା ପ୍ରାଣୀ ଅଭୟାରଣ୍ୟ, ବିସ୍ତୃତ ହେନ୍ତାଳ ବଣ, ଡ଼ାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ର, ହୁକିଟୋଲା, ବତିଘର ଓ ବରୁଣେଇ ଜଙ୍ଗଲ ଆଦି ଅନେକ ମନୋରମ ପର୍ଯ୍ୟଟନ ସ୍ଥଳ ଗହୀରମଥା ସହ ମିଳିତ ହୋଇ ରହିଛି, ଯାହା ବିଶ୍ୱରେ ବିରଳ। ସେଥିପାଇଁ ବଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଗହୀରମଥାକୁ ମିଳିଛି ଏକ ସ୍ୱତନ୍ତ୍ର ସ୍ଥାନ। ମାତ୍ର ବିଡ଼ମ୍ବନାର ବିଷୟ ଅନନ୍ୟ ସୌନ୍ଦର୍ଯ୍ୟମୟୀ ଗହୀରମଥା ଧୀରେ ଧୀରେ ହରେଇ ବସୁଛି ତାର ପୂର୍ବ ଆକର୍ଷଣ। ବଂଶବୃଦ୍ଧି ପାଇଁ ପ୍ରତିବର୍ଷ ଏଠାକୁ ଆସୁଥିବା ଅଲିଭ୍‌‌ ରିଡ଼ଲେ କଇଁଛଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଇବା ଯୋଗୁଁ ବିଶ୍ୱବିଖ୍ୟାତ ଗହୀରମଥାର ଅସ୍ତିତ୍ୱକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।
ସାରା ବିଶ୍ୱରେ ଯେତେ କଇଁଛ ଦେଖାଯା’ନ୍ତି, ତାର ଶତକଡ଼ା ଷାଠିଏ ଭାଗ ଦେଖିବାକୁ ମିଳନ୍ତି ଭାରତ ଉପକୂଳରେ। ପୁଣି ଭାରତବର୍ଷରେ ଦୃଶ୍ୟମାନ ସମୁଦାୟ କଇଁଛ ମଧ୍ୟରୁ ନବେ ପ୍ରତିଶତ ଓଡ଼ିଶା ଉପକୂଳରେ ଦେଖିବାକୁ ମିଳନ୍ତି ବୋଲି ପ୍ରାଣୀ ବିଶେଷଜ୍ଞଙ୍କ ମତ। ସାଧାରଣତଃ ଓଡ଼ିଶା ଉପକୂଳକୁ ଆସୁଥିବା ଛଞ୍ଚାଣ ଥଣ୍ଟିଆ, ସବୁଜ, କନିକାରାଜ ଓ ବାଲିହର ଆଦି ଚାରି ପ୍ରକାର କଇଁଛ ମଧ୍ୟରୁ କନିକା ରାଜ (ଅଲିଭ୍‌‌ ରିଡ୍‌ଲେ) ସବୁଠାରୁ ଛୋଟ ଓ ବିରଳ ପ୍ରଜାତିର। ଗଂଜାମ ଜିଲାର ଋଷିକୁଲ୍ୟା ମୁହାଣ୍, କୋଣାର୍କ-ଚନ୍ଦ୍ରଭାଗା ସାଗର ତଟ ଆଦି ଅନ୍ୟ କେତେକ ସ୍ଥାନକୁ ଅଲିଭ୍‌‌ ରିଡ୍‌ଲେ ଅଣ୍ଡା ଦେବାକୁ ଆସୁଥିଲେ ମଧ୍ୟ ଗହୀରମଥାରେ ଦେଖିବାକୁ ମିଳେ ସେମାନଙ୍କର ବିରାଟ ସମାବେଶ (ଆରିବାଦ)। ତେଣୁ ଗହୀରମଥାକୁ କୁହାଯାଏ ଅଲିଭ୍‌‌ ରିଡ୍‌ଲେ ଲୀଳାସ୍ଥଳ।
ନଭେମ୍ବର ମାସ ଆରମ୍ଭରୁ ସୁଦୂର କୋଷ୍ଟାରିକା, ଜାଫ୍‌‌ନା ଓ ଶ୍ରୀଲଙ୍କା ଉପକୂଳରୁ ହଜାର ହଜାର କି.ମି. ସାମୁଦ୍ରିକ ପଥ ଅତିକ୍ରମ କରି ଗହୀର ମଥାରେ ପହଞ୍ଚନ୍ତି ଲକ୍ଷ ଲକ୍ଷ ସଂଖ୍ୟାରେ ଅଲିଭ୍‌ ରିଡ୍‌ଲେ କଇଁଛ। ଏଠାରେ ସମୁଦ୍ରର ଅଗଭୀର ନୀଳ ଜଳରାଶିରେ ଭାସମାନ ଅବସ୍ଥାରେ ଅନୁଷ୍ଠିତ ହୁଏ ସେମାନଙ୍କର ଗଣ ସଂଗମ। ମିଳନର ପ୍ରାୟ ଷାଠିଏ ଦିନ ପରେ, ଅର୍ଥାତ୍‌ ମକର ସଂକ୍ରାନ୍ତି ବେଳକୁ ପହଞ୍ଚିଯାଏ ସେମାନଙ୍କ ଅଣ୍ଡାଦେବା ସମୟ। ସେତେବେଳେ ତାପମାତ୍ରା ଧୀରେ ଧୀରେ ବଢ଼ିବାକୁ ଆରମ୍ଭ କରେ ଏବଂ ଦକ୍ଷିଣା ପବନ ବହିବା ଯୋଗୁଁ ସମତଳ ହେବାକୁ ଲାଗେ ବେଳାଭୂମି ବାଲିର ଆସ୍ତରଣ। ଏଭଳି ଅନୁକୂଳ ବାତାବରଣ ମଧ୍ୟରେ ଆରମ୍ଭ ହୁଏ ସେମାନଙ୍କ ଗଣ ଅଣ୍ଡାଦାନ ପର୍ବ। ପ୍ରତ୍ୟେକ ସନ୍ଧ୍ୟା ପରେ ହଜାରହଜାର ମାଈ କଇଁଛ ସମୁଦ୍ର ଭିତରୁ କୂଳକୁ ଉଠିଆସି ଖୋଜନ୍ତି ଅଣ୍ଡାଦେବା ପାଇଁ ନିରାପଦ ସ୍ଥାନ। ଫେନାୟିତ ଲହରୀ ଠାରୁ ସାଧାରଣତଃ ୫୦ ମିଟର ଦୂରତା ମଧ୍ୟରେ ମୋଟା ବାଲି ଥିବା ଶକ୍ତ ଓ ପରିଷ୍କାର ସ୍ଥାନ ନିରୂପଣ କରି ନିର୍ମାଣ କରନ୍ତି ବସା। ମାଈ କଇଁଛ ତାର ଆହୁଲା ପାଦ ସାହାଯ୍ୟରେ ବାଲି ଆଡ଼େଇ ତିଆରି କରେ ପାଖାପାଖି ଏକ ଫୁଟ ଓସାର ଓ ଦେଢଫୁଟ ଗଭୀରତା ବିଶିଷ୍ଟ ବସା। ତା ଭିତରେ ପ୍ରାୟ ୪୦ ରୁ ୧୬୦ ଟି ପର୍ଯ୍ୟନ୍ତ ଅଣ୍ଡା ଦିଅନ୍ତି ପ୍ରତ୍ୟେକ ମା କଇଁଛ। ସେତେବେଳେ ଅଣ୍ଡାଗୁଡ଼ିକର ବ୍ୟାସ ୩୫ ରୁ ୩୮ ମି.ମି. ହୋଇଥିବା ବେଳେ ୨୦ ରୁ ୩୪ ଗ୍ରାମ ମଧ୍ୟରେ ଥାଏ ପ୍ରତ୍ୟେକ ଅଣ୍ଡାର ହାରାହାରି ଓଜନ। ଦେଖିବାକୁ ଧଳା ଓ ଗୋଲାକୃତି ଏହି ଅଣ୍ଡାଗୁଡ଼ିକ ପିଙ୍ଗ୍‌‌ପଙ୍ଗ ଖେଳର ବଲ୍‌‌ ପରି ନରମ ଆବରଣ ଯୁକ୍ତ ହୋଇ ଥିବାରୁ ପରସ୍ପର ବାଡ଼େଇ ହେଲେ ବି ଭାଙ୍ଗିବାର ସମ୍ଭାବନା ଆଦୌ ନଥାଏ। ବସାରେ ଥିବା ଅଣ୍ଡାକୁ ବାଲିରେ ପୋତିଦେଇ ପେଟ ସାହାଯ୍ୟରେ ଗାତକୁ ସମତୁଲ କରିଦେବା ପରେ ସରିଯାଏ ମା’ କଇଁଛର ଦାୟିତ୍ୱ। ସ୍ୱସ୍ତିରେ ସେମାନେ ସମୁଦ୍ର ଭିତରକୁ ଫେରି ଯା’ନ୍ତି ସୂ‌େର୍ଯ୍ୟାଦୟ ପୂର୍ବରୁ। ଅଣ୍ଡାଦାନ ପ୍ରକ୍ରିୟା ସମାପନ କରି ପାଣି ଭିତରକୁ ଫେରି ଆସବା ପାଇଁ ପ୍ରତ୍ୟେକ ମା’କଇଁଛ ମାନଙ୍କୁ ଲାଗିଥାଏ ଅନ୍ୟୂନ ଦୁଇରୁ ଅଢ଼େଇ ଘଣ୍ଟା ସମୟ। ତେବେ ପ୍ରଜନନ ପାଇଁ ଆସୁଥିବା କଇଁଛମାନେ ଗହୀରମଥା ଛାଡ଼ି ପୁଣି ଫେରି ଯାଆନ୍ତି ମେ ମାସ ମଧ୍ୟରେ।
ବାଲି ଭିତରେ ଷାଠିଏରୁ ସତୁରି ଦିନ ରହିବା ପରେ ଅଣ୍ଡା ଫାଟି ଶାବକ ବାହାରେ। ବିଶେଷଜ୍ଞଙ୍କ ମତରେ ବସା ଭିତରେ ତାପମାତ୍ରା ୨୮ ଡ଼ିଗ୍ରୀ ସେଲ୍‌ସିୟସ୍‌‌ରୁ କମ୍‌‌ ରହିଲେ ଅଣ୍ଡିରା ଶାବକ ଓ ତାଠାରୁ ତାପମାତ୍ରା ବେଶି ରହିଲେ ମାଈ ଶାବକ ସୃଷ୍ଟି ହୁଏ। ଅର୍ଥାତ୍‌ ବସାର ତାପମାତ୍ରା ଉପରେ ନିର୍ଭର କରେ ଶାବକର ଲିଙ୍ଗ। ଅଣ୍ଡାରୁ ବାହାରିଲା ବେଳେ ଶାବକର ଓଜନ ୨୦ରୁ ୩୫ ଗ୍ରାମ ଭଳି ଥାଏ ଏବଂ ଏକ ସୂକ୍ଷ୍ମ ପର୍ଦାଦ୍ୱାରା ଆଚ୍ଛାଦିତ ହୋଇ ରହିଥାଏ ସେମାନଙ୍କ ଆଖି। ଦୁଇ ତିନି ଦିନ ମଧ୍ୟରେ ଏହି ଆବରଣ ଖୋଲିଯାଏ ଏବଂ ବସା ଭିତରୁ (ବାଲି ତଳୁ) ଉପରକୁ ଉଠିଆସି ସେମାନେ ଚେଷ୍ଟା କରନ୍ତି ସମୁଦ୍ର ଭିତରକୁ ଚାଲିଯିବା ପାଇଁ। ଏତିକି ବେଳେ ବିଲୁଆ, କୁକୁର ଓ ଖାଦକ ପକ୍ଷୀମାନଙ୍କର ଶିକାର ହୁଅନ୍ତି ଅନେକ ଶାବକ। ଯେଉଁମାନେ ଏମାନଙ୍କ କବଳରୁ ବଞ୍ଚିତ ରହନ୍ତି, ସେମାନେ ସମୁଦ୍ର ଭିତରକୁ ଚାଲିଯାଆନ୍ତି ରାତି ଅନ୍ଧାରରେ। ସମୁଦ୍ରରେ ପ୍ରବେଶ କଲାପରେ ଆରମ୍ଭ ହୁଏ ସେମାନଙ୍କର ଖାଦ୍ୟ ଅନ୍ୱେଷଣ। ଖାଦ୍ୟ ପାଇଁ ସେମାନେ ହଜାର ହଜାର କିଲୋମିଟର ସାମୁଦ୍ରିକ ପଥ ଅତିକ୍ରମ କରି ଚାଲିଯାଆନ୍ତି ପ୍ରଶାନ୍ତ ମହାସାଗର ଉପକୂଳ ପର୍ଯ୍ୟନ୍ତ। ବିଶେଷଜ୍ଞଙ୍କ ମତରେ ଅଲିଭ୍‌ ରିଡ୍‌ଲେ କଇଁଛ ଶାବକକୁ ପ୍ରଜନନକ୍ଷମ ହେବା ପାଇଁ ଲାଗିଯାଏ ପାଖାପାଖି ୩୦ ବର୍ଷ ସମୟ। ବୟଃପ୍ରାପ୍ତ ହେଲାପରେ ସେମାନଙ୍କର ମନେପଡ଼େ ଜନ୍ମସ୍ଥାନ ଓଡ଼ିଶା ଉପକୂଳ କଥା। ମିଳନ ପାଇଁ ବ୍ୟଗ୍ରହୋଇ ସେମାନେ ଫେରନ୍ତି ଜନ୍ମସ୍ଥାନ ଗହୀରମଥା ଅଭିମୁଖେ। ଏଠାରେ ଗଣ ମିଳନ ଓ ଗଣପ୍ରଜନନ ପ୍ରକ୍ରିୟା ପରେ ଚାଲିଯାଆନ୍ତି ଜାଫ୍‌‌ନା, କୋଷ୍ଟାରିକା ଓ ଶ୍ରୀଲଙ୍କା ଉପକୂଳ ଅଭିମୁ​‌େ​‌ଖ।
ପ୍ରଜନନ ପାଇଁ ବିପୁଳ ସଂଖ୍ୟକ କଇଁଛ ଗହୀରମଥାକୁ ଆସୁଥିବା ସମ୍ପର୍କିତ ତଥ୍ୟ ୧୯୭୬ ମସିହାରେ ଭାରତ ସରକାରଙ୍କୁ ପ୍ରଥମେ ଜଣେଇଥିଲେ ଅଷ୍ଟ୍ରେଲିଆର ପ୍ରାଣୀ ବିଶେଷଜ୍ଞ ଏଚ. ଆର. ବଷ୍ଟର୍ଡ଼। ସରକାର ଏ ସମ୍ପର୍କରେ ଅନୁଧ୍ୟାନ କରି କଇଁଛ ସୁରକ୍ଷା ପାଇଁ ୧୯୯୪ ମସିହାରେ ଗହୀରମଥା ଉପକୂଳଠାରୁ ସମୁଦ୍ର ଭିତରକୁ ୨୦ କି.ମି. ପର୍ଯ୍ୟନ୍ତ ମାଛଧରା ଉପରେ ଜାରିକଲେ କଟକଣା। ୧୯୯୭ରେ ଗହୀରମଥାକୁ ମିଳିଲା ସାମୁଦ୍ରିକ ଅଭୟାରଣ୍ୟ ମାନ୍ୟତା। ଏବେ ଗହୀରମଥାର ସୁରକ୍ଷା ଦାୟିତ୍ୱ ବନ ବିଭାଗ, ଗୃହ ବିଭାଗ, ପଶୁସମ୍ପଦ ବିଭାଗ ଓ ସାମୁଦ୍ରିକ ମତ୍ସ୍ୟବିଭାଗ ତଥା ତଟରକ୍ଷା ବାହିନୀ ଉପରେ ନ୍ୟସ୍ତ। ଏତେ ସବୁ ବିଭାଗ ତା’ର ସୁରକ୍ଷା ଦାୟିତ୍ୱରେ ଥାଇ ମଧ୍ୟ ମାନବକୃତ କାରଣରୁ କଇଁଛଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ୁଛି ଉପକୂଳ।
କେବଳ ବିରଳ ପ୍ରଜାତିର କଇଁଛ ଅଲିଭ୍‌‌ ରିଡ୍‌ଲେ ପାଇଁ ନୁହେଁ, ଏଠାରେ ମିଳୁଥିବା ଭିନ୍ନ ଭିନ୍ନ କିସମର ମାଛ ପାଇଁ ମଧ୍ୟ ଗହୀରମଥାର ରହିଛି ସ୍ୱତନ୍ତ୍ର ପରିଚୟ। ଅଲିଭ୍‌‌ ରିଡ୍‌ଲେଙ୍କ ସୁରକ୍ଷା ଦୃଷ୍ଟିରୁ ସାମୁଦ୍ରିକ ଅଭୟାରଣ୍ୟରେ ବର୍ଷତମାମ ଜାରି ରହିଛି ଟ୍ରଲର ଚଳାଚଳ ଓ ମାଛ ମାରିବା ଉପରେ କଟକଣା। ପୁଣି କଇଁଛ ପ୍ରଜନନ ଋତୁ ନଭେମ୍ବର ୧ରୁ ମେ ୩୧ ତାରିଖ ଯାଏ ଧାମରା ମୁହାଣଠାରୁ ଦେବୀ ନଦୀ ମୁହାଣ ପର୍ଯ୍ୟନ୍ତ ୪୮୦ ବର୍ଗ କି.ମି. ଅଞ୍ଚଳ ମଧ୍ୟରେ ମାଛଧରା ଉପରେ ଜାରି ହେଉଛି ନିଷେଧାଜ୍ଞା। ମାଫିଆ ଓ ଅସାଧୁ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ମଧ୍ୟ ବଢ଼ୁଛି ଗହୀରମଥାର ବ୍ୟଥା। କିଛି ଦକ୍ଷ ଓ ସଚ୍ଚୋଟ କର୍ମଚାରୀ ଜୀବନକୁ ବାଜି ଲଗାଇ ମାଫିଆମାନଙ୍କୁ କାବୁ କରିନେବାର ନଜିର ଅବଶ୍ୟ ରହିଛି, ମାତ୍ର ଧରାପଡ଼ିଲା ପରେ ବି ସେମାନଙ୍କ ବିରୋଧରେ ଗ୍ରହଣ କରାଯାଇ ପାରୁନି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ।
ଅଲିଭ୍‌ ରିଡ୍‌ଲେ କଇଁଛ ଯେ କେବଳ ସମୁଦ୍ର ତଟର ନୈସର୍ଗିକ ଶୋଭା ବର୍ଦ୍ଧନ କରନ୍ତି ତାହା ନୁହେଁ, ଜୈବ ବିବିଧତାର ଭାରସାମ୍ୟ ରକ୍ଷା କ୍ଷେତ୍ରରେ ମଧ୍ୟ ସେମାନଙ୍କର ଭୂମିକା ବେଶ୍‌‌ ମହତ୍ୱପୂର୍ଣ୍ଣ। ସାଧାରଣତଃ ଏମାନେ ସମୁଦ୍ର ଭିତରେ ଥିବା ଯେଉଁ ରାବଣା ବା ଜେଲିଫିସ୍‌‌କୁ ଖାଇଯାଆନ୍ତି, ସେହି ଜେଲିଫିସ୍‌‌ଙ୍କ ପ୍ରଧାନ ଖାଦ୍ୟ ହେଉଛି ଚିଙ୍ଗୁଡ଼ି ଯାଆଁଳ। ସୁତରାଂ ଅଲିଭ୍‌ ରିଡ୍‌ଲେଙ୍କ ସଂଖ୍ୟା ହ୍ରାସ ପାଇବା ସହିତ ଯୋଡ଼ି ହୋଇ ରହିଛି ଚିଙ୍ଗୁଡ଼ି ଯାଆଁଳ ବିଲୁପ୍ତିର ପ୍ରାକ୍‌‌ ସୂଚନା। ପୁଣି ଜଳ ବିଶେଷଜ୍ଞଙ୍କ ମତରେ କଇଁଛ ଚଳପ୍ରଚଳ ଦ୍ୱାରା ପ୍ରଦୂଷଣମୁକ୍ତ ହୁଏ ଜଳ। ତେଣୁ କଇଁଛଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ବ୍ୟାପକ ଓ ସଘନ କରିବା ସରକାରଙ୍କର ନୈତିକ ଦାୟିତ୍ୱ। ତା ନହେଲେ ଆମ ସାମୁଦ୍ରିକ ପରିବେଶରୁ ବିଲୁପ୍ତ ହୋଇଯିବ ଅଲିଭ୍‌ ରିଡ୍‌ଲେ କଇଁଛ ପରି ସରଳ ଜୀବଟିଏ। ବିଶ୍ୱ ମାନବକୁ ବିସ୍ମିତ ଓ ଆକର୍ଷିତ କରିବା ପାଇଁ ଗହୀରମଥା ସାଗର ତଟରେ ଆଉ ଦେଖିବାକୁ ମିଳିବନି ସେମାନଙ୍କ ଗଣ ଅଣ୍ଡାଦାନ ପର୍ବ। ଦେଶ ବିଦେଶରୁ ଏଠାକୁ ଆଉ ଛୁଟିବନି ପର୍ଯ୍ୟଟକ, ପ୍ରାଣୀ ବିଜ୍ଞାନୀ, ପରିବେଶବିତ୍‌‌ଙ୍କ ସୁଅ। ସେମାନଙ୍କ ସହିତ ସ୍ଥାନୀୟ ସାମ୍ବାଦିକ, ଫଟୋଗ୍ରାଫର ଓ ପ୍ରକୃତି ପ୍ରେମୀଙ୍କ ସମାଗମରେ ଆଉ ଚଳଚଞ୍ଚଳ ହେବନି ତା’ର ବେଳାଭୂମି। ହତଶ୍ରୀ ହୋଇ ସେ ହରେଇ ବସିବ ସାମୁଦ୍ରିକ ଅଭୟାରଣ୍ୟ ମାନ୍ୟତା। ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରୁ ଦିନେ ହୁଏତ ହଜିଯିବ ଗହୀରମଥାର ନାଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories