www.samajalive.in
Saturday, December 6, 2025
17.1 C
Bhubaneswar

ଡିଜିଟାଲ ରୂପାନ୍ତରରେ ଲିଙ୍ଗ ସମାନତା

ଭୁବନେଶ୍ଵର:   ମିଳିତ ଜାତିସଂଘ ଦ୍ବାରା ୧୮୬୫ ମସିହା ମେ ୧୭ ରେ ପ୍ରତିଷ୍ଠିତ ହୋଇଥିବା ଆଇଟିୟୁ ବା ଅନ୍ତ‌େର୍ଦଶୀୟ ଦୂରସଂଚାର ସଂଘ ଏକ ପ୍ରମୁଖ ବୈଷୟିକ ପରାମର୍ଶଦାତା ଅନୁଷ୍ଠାନ। ବିଶ୍ବର ପ୍ରତି କୋଣ ଅନୁକୋଣରେ ଦୂରସଂଚାର ସେବା ସମାନ ଭାବରେ ଉପଲବ୍ଧ କରାଇବା ଏହାର ମୂଳ ଲକ୍ଷ୍ୟ। ପ୍ରତିବର୍ଷ ଏହାର ପ୍ରତିଷ୍ଠା ଦିବସକୁ ବିଶ୍ବବାସୀ ଦୂରସଂଚାର ଦିବସ ଭାବେ ପାଳନ କରିଥାନ୍ତି। ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏହି ଦିନରେ ଆଇଟିୟୁ ଏକ ସମ​‌େ​‌ୟାପଯୋଗୀ ବାର୍ତ୍ତା ପ୍ରେରଣ କରିଥାଏ। ଏ ବର୍ଷର ବାର୍ତ୍ତା ହେଲା ‘ଡିଜିଟାଲ ରୂପାନ୍ତରୀକରଣ ପ୍ରକ୍ରିୟାରେ ଲିଙ୍ଗଗତ ସମାନତା।’
ବିଶ୍ବରେ ବସବାସ କରୁଥିବା ପ୍ରାୟ ୮୨୦ କୋଟି ଲୋକଙ୍କ ମଧ୍ୟରେ ପୁରୁଷ ଓ ମହିଳାଙ୍କ ଅନୁପାତ ପ୍ରାୟ ସମାନ ସମାନ ହୋଇଥିବାବେଳେ ସମାଜରେ ମିଳୁଥିବା ସୁବିଧା ସୁଯୋଗଗୁଡ଼ିକ ମହିଳାମାନେ ପୁରୁଷଙ୍କ ପରି ସମାନ ଭାବରେ ଉପଭୋଗ କରିପାରନ୍ତି ନାହିଁ। ବିଶ୍ବର ଅଧିକାଂଶ ଦେଶରେ ଏମାନଙ୍କୁ ଦୁର୍ବଳ ବର୍ଗରେ ବିଚାର କରାଯାଇ ଶୋଷଣ କରାଯାଇଥାଏ। ଶିକ୍ଷାକ୍ଷେତ୍ରରେ ଏମାନଙ୍କର ଅନଗ୍ରସରତା, ଆର୍ଥିକ କ୍ଷେତ୍ରରେ ଦୁର୍ବଳତା, ସମାଜରେ ପ୍ରଚଳିତ କିଛି କୁସଂସ୍କାର ଓ ଆଇନ କାନୁନ, ଲିଙ୍ଗଗତ ନିର୍ଯାତନା, ନିଯୁକ୍ତି କ୍ଷେତ୍ରରେ କମ ସଂଖ୍ୟକ ମହିଳାଙ୍କର ଯୋଗଦାନ, ପୁରୁଷଙ୍କ ତୁଳନାରେ ଏମାନଙ୍କର କମ ଦରମା ଆଦି ଅନେକ କାରଣ ଏହି ଲିଙ୍ଗଗତ ଅସମାନତାକୁ ବୃଦ୍ଧି କରିବାରେ ସହାୟକ ହେଉଛି।
ଲିଙ୍ଗଗତ ଭେଦଭାବ ଏକ ସୁସ୍ଥ, ସମୃଦ୍ଧ ସମାଜ ଗଠନ ହେବାରେ ବାଧକ ହେଉଛି। ମହିଳାମାନେ ଉପଯୁକ୍ତ ଶିକ୍ଷା, ସ୍ବାସ୍ଥ୍ୟ, ଆର୍ଥିକ ଆଦି କ୍ଷେତ୍ରରେ ପୁରୁଷଙ୍କ ସହ ସମାନ ସୁବିଧା ସୁଯୋଗ ପାଇପାରୁନାହାନ୍ତି। ସମାନ ସମାନ ଅଧିକାର ପ୍ରାପ୍ତହେବା ଜଣେ ଅନ୍ତେବାସୀଙ୍କର ମୌଳିକ ଅଧିକାର, ଏହାର ବ୍ୟତିକ୍ରମ ଘଟିଲେ ସମାଜରେ ବିଶୃଙ୍ଖଳା ଘଟେ। ଏକ ସୁସ୍ଥ ସମାଜ ପାଇଁ ଏହା କ୍ଷତିକାରକ, ଏଥିପ୍ରତି ଆମକୁ ସଜାଗ ହେବାକୁ ପଡ଼ିବ।
ଏହି ସାମାଜିକ କଳଙ୍କକୁ ଦୂର କରିବାପାଇଁ ନାରୀଶିକ୍ଷାର ବହୁଳ ପ୍ରସାର, ଆର୍ଥିକ ସ୍ତରରେ ଏମାନଙ୍କୁ ସଶକ୍ତ କରିବା, ସମାଜ ସେବାରେ ସମାନ ସୁଯୋଗ ଦେବା, ପ୍ରଚଳିତ କିଛି ମହିଳା ବିରୋଧୀ ରୀତିନୀତି, ନାରୀ ନିର୍ଯାତନାକୁ ବନ୍ଦ କରିବା, ଏମାନଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ଥିବା ସଂରକ୍ଷିତ ଓ ପଦୋନ୍ନତି, ମହିଳା ଶିକ୍ଷା ପ୍ରସାର ଆଦି କାର୍ଯ୍ୟକ୍ରମଗୁଡ଼ିକୁ ସଫଳ କରିବାରେ ସମସ୍ତେ ଆନ୍ତରିକ ସହଯୋଗ କରିବା ଆବଶ୍ୟକ।
ବିଶ୍ବ ବ୍ୟାଙ୍କ ୨୦୨୪ ମସିହାରେ ୧୪୬ଟି ଦେଶକୁ ନେଇ କରିଥିବା ଏକ ଆକଳନରୁ ଜଣାଯାଏ ଯେ ‘ବିଶ୍ବ ଲିଙ୍ଗ ସମାନତା ସୂଚକାଙ୍କ’ରେ ଏହାର ହାର ହେଉଛି ଶତକଡ଼ା ୬୮.୫। ବର୍ତ୍ତମାନ ଯେଉଁ ହାରରେ ଏହି ପ୍ରକ୍ରିୟା ଜାରି ରହିଛି ପୂର୍ଣ୍ଣ ସଫଳତା ପାଇବା ପାଇଁ ଆମକୁ ଆହୁରି ୧୩୪ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ଏହି ତାଲିକା ଅନୁସାରେ ଆମ ଦେଶର ଲିଙ୍ଗ ସମାନତା ହାର ହେଉଛି ୬୪.୫। ଏହି ଦେଶଙ୍କ ଭିତରେ ଆମ ଦେଶର କ୍ରମିକ ସଂଖ୍ୟା ହେଉଛି ୧୨୯। ବିଶ୍ବର କର୍ମକ୍ଷେତ୍ରରେ ମହିଳାଙ୍କର ଯୋଗଦାନ ୪୭% ଥିବାବେଳେ ଆମ ଦେଶରେ ଏହି ହାର ହେଉଛି ୩୩%। ଏହି କମ ହାରର ମୁଖ୍ୟ କାରଣ ହେଉଛି କର୍ମକ୍ଷେତ୍ରରେ ସୁରକ୍ଷାର ଅଭାବ ଓ ଅନୁପଯୁକ୍ତ କାର୍ଯ୍ୟ କରିବାର ସମୟ। ଏହାର ନିରାକରଣ ପାଇଁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଆଇସିଟି ଜ୍ଞାନ କୌଶଳକୁ ଆମେ ବ୍ୟବହାର କରି ସହଜରେ ଲିଙ୍ଗଗତ ବ୍ୟବଧାନକୁ ହ୍ରାସ କରିପାରିବା।
ଡିଜିଟାଲ ବିଜ୍ଞାନ ଆଧାରରେ ନିର୍ମିତ ଉପକରଣ ଯଥା କମ୍ପ୍ୟୁଟର, ଲାପଟପ, ଟାବଲେଟ, ସ୍ମାର୍ଟ ମୋବାଇଲ, ରାଉଟର, ମଡେମ, ସ୍ମାର୍ଟ ଟିଭି, ଜିପିଏସ, ବିଭିନ୍ନ ଡିଜିଟାଲ ଟେଷ୍ଟିଙ୍ଗ୍‌ ଉପକରଣ ଆମ ଜୀବନ ଯାପନ ପ୍ରଣାଳୀକୁ ଅନେକ ମାତ୍ରାରେ ସୁଖଦ, ଗତିଶୀଳ କରିପାରୁଛି। ସୋସିଆଲ ମିଡିଆ ଯଥା ଫେସ୍‌ବୁକ୍‌, ଇଣ୍ଟରନେଟ, ଟୁଇଟର, ଇନଷ୍ଟାଗ୍ରାମ, ଅରକୁଟ ଇ-ମେଲ, ହ୍ବାଟ୍‌ସଆପ ମାଧ୍ୟମରେ ଆମେ ଭାବର ଆଦାନ ପ୍ରଦାନ ଅତି ଅଳ୍ପସମୟ ମଧ୍ୟରେ ଅତି ସହଜରେ କରିପାରୁଛେ। ବିଭିନ୍ନ ଇ-ସେବା ଦ୍ବାରା ଆମର ଆବଶ୍ୟକ ହେଉଥିବା ବିଭିନ୍ନ ସେବା ଆମେ ଘରେ ରହି ସହଜରେ ପାଇ ପାରୁଛେ। ଏହି ଡିଜିଟାଲ ଉପକରଣଗୁଡ଼ିକ ମୁଖ୍ୟତଃ ଇଣ୍ଟରନେଟ୍‌ ଆଶ୍ରୟୀ। ଇଣ୍ଟରନେଟ ନଥିଲେ ଏହି ସେବା ମିଳି ପାରିବ ନାହିଁ। ୨୦୨୪ ମସିହା ତଥ୍ୟ ଅନୁସାରେ ଆମ ଦେଶରେ ପ୍ରାୟ ଶତକଡ଼ା ୪୭ ଜଣ ମହିଳା ଇଣ୍ଟରନେଟ୍‌ ବ୍ୟବହାର କରୁଥିବାବେଳେ ଶତକଡ଼ା ୫୩ ଜଣ ପୁରୁଷ ଏହି ସେବା ବ୍ୟବହାର କରନ୍ତି। ଗ୍ରାମାଞ୍ଚଳରେ ଏହି ସେବା ମାତ୍ର ଶତକଡ଼ା ୨୫ ଜଣ ବ୍ୟବହାର କରନ୍ତି। ଆମ ଦେଶ ଗ୍ରାମବହୁଳ ଦେଶ। ଅଧିକାଂଶ ଜନତା ଏଠାରେ ବାସ କରନ୍ତି। ଆମ ରାଜ୍ୟ ଓଡ଼ିଶାର ମୋଟ ୫୧୧୭୧ଟି ଗ୍ରାମ ମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୬୦୩ଟି ଗାଁର ଇଣ୍ଟରନେଟ ସୁବିଧା ନାହିଁ। କୋରାପୁଟ ଜିଲାରେ ସର୍ବାଧିକ ୧୦୬୨ ଟି ଗାଁରେ ଏହି ସୁବିଧା ନାହିଁ। ସରକାର ‘ଡିଜିଟାଲ ଭାରତ ନିଧି’ ଯୋଜନା ଦ୍ବାରା ୪୨୧୦ଟି ମୋବାଇଲ ଟାୱାର ବସାଇ ଏହି ସେବା ୨୦୨୫ ମସିହାରେ ସବୁ ଗ୍ରାମକୁ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି।
ସ୍ତ୍ରୀ ପୁରୁଷ, ଧନୀ-ଗରିବ, ସହରାଞ୍ଚଳ, ଗ୍ରାମାଞ୍ଚଳ, ବିକଶିତ ବିକାଶଶୀଳ ଅଞ୍ଚଳ ମଧ୍ୟରେ ଥିବା ଏହି ଡିଜିଟାଲ ଡିଭାଇଡ ବା ଦୂରସଂଚାର ସେବା ପାଇବାରେ ତାରତମ୍ୟ ଆମ ସମାଜକୁ ଦୁର୍ବଳ କରୁଛି। ସାଇବର ଅପରାଧ ଦ୍ବାରା କିଛି ଅସାମାଜିକ ଅପରାଧୀ, ମାଫିଆ, ଦେଶଦ୍ରୋହୀମାନେ ଏହି ସେବାର ଅପବ୍ୟବହାର କରି ଦେଶରେ ଆତଙ୍କ ସୃଷ୍ଟି କରୁଛନ୍ତି। ଏହା ଆଇନ ଶୃଙ୍ଖଳା ନିରାପତ୍ତା, ଦେଶରକ୍ଷା ପ୍ରତି ଅତ୍ୟନ୍ତ ବିପଦ। ଏମାନଙ୍କର ଆକର୍ଷଣୀୟ ଛଳନା ପୂର୍ଣ୍ଣ ବ୍ୟବହାର ଅନେକଙ୍କୁ ପ୍ରତାରିତ କରି ଧନ ଜୀବନ ପ୍ରତି ପ୍ରଭୂତ କ୍ଷତି ପହଞ୍ଚାଇଥା’ନ୍ତି। ଘଣ୍ଟାଘଣ୍ଟା ଧରି ଏହି ଡିଜିଟାଲ ଉପକରଣଗୁଡ଼ିକୁ ଆମେ ବ୍ୟବହାର କରିବା ଅନୁଚିତ। ଏହା ଆମ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଆବଶ୍ୟକଠାରୁ ଅଧିକ ଏହାକୁ ବ୍ୟବହାର କରିବା ଅନୁଚିତ। ସାଇବର ନିରାପତ୍ତା ପାଇଁ କଠୋର ଆଇନର ଆବଶ୍ୟକତା ଉପଲବ୍ଧି କରି ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଆମ ସମସ୍ତଙ୍କର ସହଯୋଗରେ ଏହା ସଫଳ ହୋଇପାରିବ।
ବ୍ୟୟବହୁଳ ପ୍ରତିଯୋଗିତା ପୂର୍ଣ୍ଣ, କଳୁଷିତ ପରିବେଶରେ ଜୀବନ ଯାପନ ପ୍ରଣାଳୀ ବର୍ତ୍ତମାନ ଅତି କଷ୍ଟକର ହୋଇ ପଡ଼ିଛି। ଡିଜିଟାଲ ଡିଭାଇଡ, ଲିଙ୍ଗଗତ ଅସମାନତା, ଅଶିକ୍ଷା, ଦାରିଦ୍ର୍ୟ ଆଦି ସମସ୍ୟାଗୁଡ଼ିକ ଏହାକୁ ଆହୁରି ଜଟିଳ କରୁଛି। ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ପ୍ରଚାର ପ୍ରସାର ଦ୍ବାରା ଆଧୁନିକ ଜୀବନଯାପନ ପ୍ରଣାଳୀ ଅଧିକ ସୁନ୍ଦର, ସ୍ବଚ୍ଛନ୍ଦ ଓ ସମୃଦ୍ଧ ହୋଇପାରିବ। ଏହାର ସୁଫଳ ସମାଜର ପ୍ରତ୍ୟେକ ବର୍ଗର ଜନତାଙ୍କୁ କିପରି ସହଜରେ ସୁଲଭ ମୂଲ୍ୟରେ ମିଳିପାରିବ ସେଥିପାଇଁ ଆଇଟିୟୁ ସତତ ଚେଷ୍ଟିତ। ଏହି କାର୍ଯ୍ୟକ୍ରମଗୁଡ଼ିକ ସଫଳ କରିବାପାଇଁ ଆମ ସମସ୍ତଙ୍କର ସମବେତ ଉଦ୍ୟମ ଆବଶ୍ୟକ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories