ଗୁଟିଙ୍ଗିଆ-କଇଁଝର ଗମନାଗମନ ଠପ୍, ୪ ଦିନ ହେଲା ଅନ୍ଧାରରେ ବିରାଙ୍ଗୀ ଅଞ୍ଚଳବାସୀ
ଜି.ଉଦୟଗିରି: ଦୀର୍ଘ ଚାରି ଦିନ ହେଲା ଲଗାଣ ବର୍ଷା ଯୋଗୁଁ ବିରାଙ୍ଗୀ ଠାରେ ବିରାଟ ଆମ୍ବ ଗଛ ପଡି ବିଦ୍ୟୁତ ଖୁ୍ଣ୍ଟ ଉପୁଡି ପଡିଛି। ଫଳରେ ଗୁଟିଙ୍ଗିଆ ଠାରୁ କଇଁଝର ରାସ୍ତାରେ ଗମନାଗମନ ୪ ଦିନ ହେଲା ପୁରା ଠପ୍ ହୋଇଯାଇଛି। ଏହାସହ ବିରାଙ୍ଗୀ ତଥା ଆଖପାଖ ଅଞ୍ଚଳର ପ୍ରାୟ ୩୦୦୦ ଜନସାଧାରଣ ଅନ୍ଧାରରେ ଥିବା ଜଣାପଡିଛି। ଗତ ୧୭ ତାରିଖରୁ ଲଗାଣ ବର୍ଷା ଯୋଗୁଁ ବିରାଟ ଆମ୍ବ ଗଛ ସହ ବିଦ୍ୟୁତ ଖୁଣ୍ଟ ପଡି ଗମନାଗମନ ଠପ୍ ହୋଇଯାଇଥିବା ବେଳେ ୪ ଦିନ ହେଲା ଅଞ୍ଚଳବାସୀ ଅନ୍ଧାରରେ ଅଛନ୍ତି। ଗୁଟିଙ୍ଗିଆ କଇଁଝର ଦେଇ ଯାଉଥିବା ଏକ ଘରୋଇ ବସ ଅଳ୍ପକେ ବର୍ତ୍ତିଯିବା ସହ ରବିଚନ୍ଦ୍ର ପ୍ରଧାନ ନାମକ ଜଣେ ଚାଷୀ ମଧ୍ୟ ବର୍ତ୍ତି ଯାଇଛନ୍ତି ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।
ଆଜି ଅଞ୍ଚଳବାସୀ ରାସ୍ତାରୋକ କରିବା ପରେ ଟିକାବାଲି ତହସିଲଦାର ବିଶିକେସନ ପ୍ରଧାନଙ୍କ ନିର୍ଦ୍ଦେଶରେ ରାଜସ୍ବ ନିରୀକ୍ଷକ ଉପସ୍ଥିତିରେ ରାସ୍ତା ସଫା କରାଯାଇଥିବା ବେଳେ ଅଞ୍ଚଳବାସୀ ୪ ଦିନ ହେଲା ଅନ୍ଧାରରେ ଅଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ସରପଞ୍ଚ, ରାଇକିଆ ଏଇଇକୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କୌଣସି କର୍ମଚାରୀ ଆସୁନାହାନ୍ତି କିମ୍ବା ଏହାର ମରାମତି କରୁନାହାନ୍ତି। ଗୁଟିଙ୍ଗିଆ ସରପଞ୍ଚ ଆକଂକ୍ଷା ପ୍ରଧାନ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ଥିଲେ, ହେଲେ ତାଙ୍କର ଜିଲା ବିଦ୍ୟୁତ ବିଭାଗ ଅଧିକାରୀଙ୍କ ସହ ଯୋଗାଯୋଗ ଥିବ। ସେ ଏଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦେଇ ତୁରନ୍ତ ସମାଧାନ କରିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି। ଅପରପକ୍ଷେ ବାରମ୍ବାର ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ଅବଗତ କରାଇଲେ ସୁଧା କେତେ ଶିଘ୍ର କାର୍ଯ୍ୟାନୁଷ୍ଠାନ ହେଉଛି ଦେଖିବାକୁ ବାକି ରହିଲା।
Comments are closed.