ସହପାଠୀଙ୍କ ଛୁରାମାଡ଼ରେ ଛାତ୍ର ଗୁରୁତର, ପ୍ରଧାନ ଶିକ୍ଷକଙ୍କ ପତ୍ତା ମିଳୁନି
ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ପଞ୍ଚଡାଠାରେ ଥିବା ଆଦିବାସୀ କଲ୍ୟାଣ ବିଭାଗ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ରହୁଥିବା ଅନ୍ତେବାସୀ ସହପାଠୀଙ୍କ ଛୁରାଘାତରେ ଅନ୍ୟ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ରଙ୍କୁ ପ୍ରଥମେ ପୋଡ଼ାଗଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିବାବେଳେ ଅବସ୍ଥା ଗୁରୁତର ଥିବାରୁ କୋରାପୁଟ ସ୍ଥିତ ଲକ୍ଷ୍ମଣ ନାୟକ ଭେଷଜ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ପରେ ସେ ଭଲ ଥିବା କୁହାଯାଇଛି। ଏହି ଘଟଣା ଶନିବାର ରାତିରେ ଘଟିଥିବା ବେଳେ ବିଳମ୍ବରେ ପ୍ରଘଟ ହୋଇଛି। ବିଭାଗ ପକ୍ଷରୁ ମିଳିଥିବା ସୁଚନା ଅନୁଯାୟୀ ଶନିବାର ରାତିରେ ଖାଇବା ସମୟରେ ଦୁଇଜଣ ଦଶମ ଶ୍ରେଣୀ ଛାତ୍ରଙ୍କ ମଧ୍ୟରେ ଖାଇବା ଥାଳିକୁ ନେଇ ଉଚ୍ଚବାଚ ହୋଇଥିଲା। ଜଣେ ସହପାଠୀ କୁଆଡ଼େ ଲେମ୍ବୁ କାଟିବା ପାଇଁ ଧରିଥିବା ଏକ ଛୁରୀ ଅନ୍ୟ ଜଣେ ଛାତ୍ରଙ୍କ ତଳି ପେଟରେ ଭୁଷି ହୋଇଯାଇଥିଲା।
ଅନ୍ୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଗଣ୍ଡଗୋଳ କାରଣରୁ ଏଭଳି ହୋଇଛି ଓ ଉତ୍ୟକ୍ତ ହୋଇ ଛାତ୍ର ଜଣକ ଏପରି କରିଛନ୍ତି। ତେବେ କେଉଁଟା ସତ ତାହା ଜଣା ପଡିନାହିଁ। ଖବରପାଇ ଲକ୍ଷ୍ମୀପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁରେଶ୍ବର ଭୋଇଙ୍କ ସମେତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଭବତୋଷ ସ୍ବାଇଁ ପଞ୍ଚଡା ଉଚ୍ଚ ବିଦ୍ୟାଳୟକୁ ଯାଇ ପ୍ରଧାନ ଶିକ୍ଷକ ପ୍ରମ୍ମୁଖଙ୍କ ସହିତ ଆଲୋଚନା କରି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ସେହିପରି ତିନି ଦିନ ହେଲା ଏଭଳି ଅଭାବନୀୟ ଘଟଣା ଘଟିଥିଲା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତିନି ଦିନ ହେଲା ଉକ୍ତ ବିଦ୍ୟାଳୟକୁ ଯାଇଥିଲେ ମଧ୍ୟ ପ୍ରଧାନ ଶିକ୍ଷକଙ୍କ ଦେଖାମିଳିନାହିଁ। ଏପରିକି କାହାକୁ କିଛି ନକହି ପ୍ରଧାନ ଶିକ୍ଷକ ତିନିଦିନ ହେବ ଅନୁପସ୍ଥିତ ଅଛନ୍ତି।
ଏନେଇ ଉଚ୍ଚ ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଭୋଇ ପ୍ରକାଶ କରିଛନ୍ତି। ସେହିପରି ଘଟଣା ପରେ ଉଦ୍ଧତ ଛାତ୍ରଙ୍କୁ ଘରକୁ ପଠାଇ ଦିଆଯାଇଥିଲା ବେଳେ କାକିରିଗୁମ୍ମା ଥାନାରେ ଏନେଇ ଏକ ମାମଲା ରୁଜ୍ଜୁ ହୋଇଛି। ତେବେ ନିମ୍ନ ମାନର ଖାଇବା ଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟା ଆବାସିକ ବିଦ୍ୟାଳୟରେ ଲାଗି ରହିଥିବାବେଳେ ଦୁଇ ସହପାଠୀଙ୍କ ମଧ୍ୟରେ ଖାଇବା ପାଇଁ ଝଗଡାକୁ ନେଇ ଛୁରୀ ଭୁଷିବା ଭଳି ସାରା ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
Comments are closed.