୭୫ ବର୍ଷ ଧରି ମାଗଣା ଯାତ୍ରା

ଚଣ୍ଡିଗଡ଼ : ଭାରତରେ ବିନା ଟିକଟରେ ରେଳଯାତ୍ରା ଏକ ଦଣ୍ଡନୀୟ ଅପରାଧ। ଟିଟିଇମାନେ ଷ୍ଟେସନ୍ଠାରୁ ରେଳଗାଡ଼ି ପର୍ଯ୍ୟନ୍ତ ସବୁଠି ବିନା ଟିକଟ ଯାତ୍ରୀଙ୍କୁ ଜଗିଥାନ୍ତି; କିନ୍ତୁ ଦୀର୍ଘ ୭୫ ବର୍ଷ ଧରି ଚାଲିଛି ଏକ ରେଳଗାଡ଼ି ଯେଉଁଥିରେ କେବେ ଟିଟିଇ ନଥାନ୍ତି କିମ୍ବା କୌଣସି ଯାତ୍ରୀ ଟିକଟ କାଟି ଯାତ୍ରା କରନ୍ତି ନାହିଁ। ଏହା ଅବିଶ୍ବସନୀୟ ହେଲେ ବି ସତ; ଅର୍ଥାତ୍ ଦୀର୍ଘ ୭୫ ବର୍ଷ ହେଲା ଏହି ରେଳଗାଡ଼ି ଲୋକଙ୍କୁ ମାଗଣା ଯାତ୍ରା ସେବା ଯୋଗାଇ ଆସୁଛି। ସାରା ବିଶ୍ବରେ ଏହା ଏକମାତ୍ର। ୧୯୪୮ରୁ ପଞ୍ଜାବର ନଙ୍ଗଲ ଓ ହିମାଚଳ ପ୍ରଦେଶର ଭାକ୍ରା ମଧ୍ୟରେ ୧୩ କିଲୋମିଟର ଚଳାଚଳ କରୁଛି ‘ଭାକ୍ରା-ନଙ୍ଗଲ ଟ୍ରେନ୍’।
ଏହି ଗାଡ଼ି ଚଳାଚଳ କରିଥିଲା ବସ୍ତୁତଃ ଭାକ୍ରା-ନଙ୍ଗଲ ନଦୀବନ୍ଧ ଯୋଜନା ଶ୍ରମିକଙ୍କୁ ନେବାଆଣିବା ଓ ମାଲ ପରିବହନ ପାଇଁ। ନଦୀବନ୍ଧ ନିର୍ମାଣ ପରେ କିନ୍ତୁ ଏହାର ଚଳାଚଳ ବନ୍ଦ ହୋଇନଥିଲା। ସେବେଠାରୁ ଏହା ନିରବଚ୍ଛିନ୍ନ ଭାବେ ସ୍ଥାନୀୟ ଲୋକଙ୍କୁ ସେବା ଯୋଗାଇଆସୁଛି। ଏହି ଟ୍ରେନ୍ର ଯାତ୍ରାପଥରେ ପଡ଼େ ୬ଟି ଷ୍ଟେସନ୍ ଓ ଏହା ଅତିକ୍ରମରେ ତିନିଟି ସୁଢ଼ଙ୍ଗ। ଏହାର କାଠ ବଗି କରାଚୀରେ ନିର୍ମିତ ହୋଇଥିଲା ଏବଂ ଏହା ଏବେ ବି ରହିଛି। ଉକ୍ତ ରେଳଗାଡ଼ିର ଯାତ୍ରାପଥରେ ସତଲେଜ ନଦୀ ଓ ଶିବାଲିକ ପର୍ବତର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରନ୍ତି ଯାତ୍ରୀ। ପ୍ରଥମେ ଏହା ବାଷ୍ପୀୟ ଇଞ୍ଜିନ୍ରେ ଚାଲୁଥିଲା; କିନ୍ତୁ ୧୯୫୩ରେ ଏଥିରେ ଡିଜେଳ ଇଞ୍ଜିନ୍ ସଂଲଗ୍ନ ହୋଇଥିଲା।
ଚଳାଚଳ ପାଇଁ ଏହା ଘଣ୍ଟା ପ୍ରତି ୧୮ରୁ ୨୦ ଲିଟର ଡିଜେଲ ଆବଶ୍ୟକ କରେ। ମଜାର ବିଷୟ େହଉଛି, ଏହି ରେଳଗାଡ଼ି ଏବେ ସୁଦ୍ଧା ଭାରତୀୟ ରେଳ ବିଭାଗ ଅଧୀନକୁ ଆସିନାହିଁ। ଏହାର ପରିଚାଳନା ଭାରି ବହନ କରୁଛନ୍ତି ‘ଭାକ୍ରା-ବ୍ୟାସ୍ ପରିଚାଳନା ବୋର୍ଡ’ ବା ବିବିଏମ୍ବି। ଭାକ୍ରା-ନଙ୍ଗଲ ନଦୀବନ୍ଧର ଐତିହାସିକ ମର୍ଯ୍ୟାଦା ରକ୍ଷା ପାଇଁ ବିବିଏମ୍ବି କର୍ତ୍ତୃପକ୍ଷ ମାଗଣା ସେବା ଜାରି ରଖିଛନ୍ତି।
Comments are closed.