ସ୍ୱଚ୍ଛ ଓ ମୁକ୍ତ ନିର୍ବାଚନ ଉପରେ ସର୍ବାଧିକ ଗୁରୁତ୍ୱ

0

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଅଧିକ ସ୍ୱଚ୍ଛ ଓ ମୁକ୍ତ କରିବା ପାଇଁ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ ବେଳେ ପ୍ରାର୍ଥୀ ବିସ୍ତୃତ ଭାବେ ବ୍ୟକ୍ତିଗତ ତଥ୍ୟ ଦାଖଲ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଶିକ୍ଷାଗତ ଯୋଗ୍ୟତା, ପତ୍ନୀ ଓ ପରିବାର ସଦସ୍ୟ, ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସ୍ପଷ୍ଟ ତାଲିକା ସହ ବିଦେଶୀ ପୁଞ୍ଜି ନିବେଶ ଏବଂ ଅପରାଧ ରେକର୍ଡ ସଂପର୍କରେ ଫର୍ମ-୨୬ରେ ସତ୍ୟପାଠକୁ ବାଧ୍ୟତାମୂଳକ କରାଯାଇଛି। କୌଣସି ଗୋଟିଏ ତଥ୍ୟରେ ତ୍ରୁଟି ଥିଲେ ପ୍ରାର୍ଥୀପତ୍ର ନାକଚ ହୋଇଯିବ। ପ୍ରାର୍ଥୀଙ୍କୁ ସଂପୂର୍ଣ୍ଣ ଆୟର ବିବରଣୀ ସହ ୫ ବର୍ଷର ଆଇଟି ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ। ଅପରାଧ ମାମଲା ସହ ଜଡ଼ିତ ପ୍ରାର୍ଥୀଙ୍କ ପାଇଁ ନାମାଙ୍କନ ଦାଖଲ ପରଠାରୁ ପ୍ରଚାର ଅବଧି ଭିତରେ ୩ ଥର ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ ନିଜ ଅପରାଧ ମାମଲା ସଂପର୍କରେ ବିଜ୍ଞାପନ ଦେଇ ଭୋଟରଙ୍କୁ ଜଣାଇବାକୁ ପଡ଼ିବ ବୋଲି ନିର୍ବାଚନ କମିଶନ କହିଛନ୍ତି।
ରାଜନୈତିକ ଦଳମାନେ ମଧ୍ୟ ନିଜ ନିଜ ୱେବ୍‍ସାଇଟ୍‍ରେ ପ୍ରାର୍ଥୀଙ୍କ ଅପରାଧ ମାମଲା ସଂପର୍କରେ ଉଲ୍ଲେଖ କରିବା ସହ ଗଣମାଧ୍ୟମରେ ସୂଚନା ଦେବେ। ଏଥିସହ ପ୍ରାର୍ଥୀମାନଙ୍କୁ ନାମାଙ୍କନ ବେଳେ ନିଜ ସୋସାଲ୍‍ ମିଡ଼ିଆ ଆକାଉଣ୍ଟ୍‍ ସଂପର୍କିତ ସମସ୍ତ ତଥ୍ୟ ବି ଦେବାକୁ ହେବ। ସୋସାଲ୍‍ ମିଡ଼ିଆରେ କୌଣସି ପ୍ରକାର ରାଜନୈତିକ ବିଜ୍ଞାପନ ପାଇଁ କମିଶନଙ୍କ ଆଗୁଆ ଅନୁମତି ନେବାକୁ ପଡ଼ିବ। ନିର୍ବାଚନ ପାଇଁ ସାଂସଦ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୭୦ଲକ୍ଷ କରାଯାଇଥିବା ବେଳେ ବିଧାୟକ ପ୍ରାର୍ଥୀ ସର୍ବାଧିକ ୨୮ ଲକ୍ଷ ଟଙ୍କା ରଖାଯାଇଛି।
ନିର୍ବାଚନୀ ପ୍ରକ୍ରିୟାରେ ସ୍ୱଚ୍ଛତା ବଜାୟ ରଖିବାକୁ ନିର୍ବାଚନ କମିଶନ ସି-ଭିଜିଲ୍‍ ଆପ୍‍ର ଶୁଭାରମ୍ଭ କରିଛନ୍ତି। କୌଣସି ପ୍ରକାର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଦେଖିଲେ ଭୋଟରମାନେ ତୁରନ୍ତ ଏ ସଂପର୍କରେ କମିଶନଙ୍କୁ ଜଣାଇପାରିବେ। ମୋବାଇଲ୍‍ରେ ଭିଡ଼ିଓ ରେକର୍ଡିଂ କରି ନିର୍ବାଚନ ଅଧିକାରୀଙ୍କ ନିକଟକୁ ମଧ୍ୟ ପଠାଇ ପାରିବେ।

Leave A Reply