ବଡୋଦରା: ବଲିଉଡ଼ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିବା ଗୁଜରାଟର ଜଣେ ବ୍ୟକ୍ତି ମାନସିକ ରୋଗୀ ବୋଲି ଜଣାପଡିଛି। ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ଜଣେ ବ୍ୟକ୍ତିଙ୍କୁ ଗୁଜୁରାଟର ଭଦୋଦରା ଜିଲାର ଏକ ଗାଁରେ ଚିହ୍ନଟ କରାଯାଇଛି ଏବଂ ସେ ମାନସିକ ଭାବରେ ଅସ୍ଥିର ଥିବା ପୁଲିସ ମଙ୍ଗଳବାର ଦିନ କହିଛି। ମୁମ୍ବାଇ ପୁଲିସ ୱାଘୋଡିଆ ତାଲୁକାର ଏକ ଗ୍ରାମର ୨୬ ବର୍ଷୀୟ ଯୁବକଙ୍କୁ ହାଜର ହେବା ପାଇଁ ନୋଟିସ ଜାରି କରିଛି।
ମୁମ୍ବାଇ ଟ୍ରାଫିକ ପୁଲିସର ହ୍ୱାଟସଆପ୍ ହେଲ୍ପଲାଇନକୁ ରବିବାର ଏକ ମେସେଜ ଆସିଥିଲା। ଯେଉଁଥିରେ ପ୍ରେରକ ସଲମାନ ଖାନଙ୍କ କାରକୁ ବୋମାରେ ଉଡ଼ାଇ ଦେବା ଏବଂ ୱାଇପ୍ଲସ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ସହ ତାଙ୍କ ଘରେ ପଶି ହତ୍ୟା କରିବାକୁ ଧମକ ଦେଇଥିଲା। ଏହି ଘଟଣା ପରେ ୱର୍ଲି ଥାନାରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଅଧିକାରୀମାନେ ଏବେ ଧମକର ଉତ୍ସ ଏବଂ ସତ୍ୟତା ଯାଞ୍ଚ କରିଥିଲେ।
ସୂଚନାଯୋଗ୍ୟ, ଗତ ବର୍ଷ ଏପ୍ରିଲ ୧୪ ତାରିଖ ସକାଳେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ସଲମାନ ଖାନଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟ ଉପରକୁ ପାଞ୍ଚ ରାଉଣ୍ଡ ଗୁଳି ଚଳାଇଥିଲେ। ଏହି ଗୁଳିକାଣ୍ଡରେ ସଲମାନଙ୍କ ଘର କାନ୍ଥରେ ମଧ୍ୟ ଏକ ଗୁଳି ବାଜିଥିଲା। ସଲମାନଙ୍କ ଘରେ ଲାଗିଥିବା ନେଟ୍କୁ ଚିରି ଏକ ଗୁଳି ଭିତରେ ବାଜିଥିଲା। ଗୁଳି ଚଳାଇବା ପରେ ଆକ୍ରମଣକାରୀମାନେ ବାଇକ୍କୁ ଘଟଣାସ୍ଥଳରେ ଛାଡ଼ି ଫେରାର ହୋଇଯାଇଥିଲେ।



