ପିଠିରେ କଣ୍ଟା ଫୋଡି ଉଡିଲେ ୬୧ ଭକ୍ତା; ଠାକୁରମୁଣ୍ଡା ଉଡ଼ାପର୍ବ ଶାନ୍ତି ଶୃଙ୍ଖଳାର ସହ ପାଳିତ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାଠାରେ ଥିବା ମା’ବାସୁଳୀଙ୍କ ପୀଠରେ ପଣା ସଂକ୍ରାନ୍ତି ଅବସରରେ ଓଡ଼ିଶା ପ୍ରସିଦ୍ଧ ଉଡ଼ାପର୍ବ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ୬୧ ଜଣ ଭକ୍ତା ଅଂଶ ଗ୍ରହଣ କରି ପିଠିରେ କଣ୍ଟା ଫୋଡାଇ ଉଡାଖୁଣ୍ଟ ଦଣ୍ଡାରେ ଝୁଲି ଝୁଲି ଉଡ଼ିଥିଲେ। ଏହି ଉଡ଼ାପର୍ବ ଦେଖିବାକୁ ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲା ତଥା ପଡୋଶୀ ରାଜ୍ୟରୁ ୫୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥିଲା।

ପ୍ରତି ବର୍ଷ ପରି ଚଳିତ ବର୍ଷ ଉଡା ପର୍ବ ନିମନ୍ତେ ପଣା ସଂକ୍ରାନ୍ତିର ୧୧ ଦିନ ପୂର୍ବରୁ ମାନସିକ ପୂରଣ ହୋଇଥିବା ଲୋକମାନଙ୍କ ଦ୍ୱାରା ମା’ଙ୍କ ପୀଠରେ ଭକ୍ତା ଦେଇଥା’ନ୍ତି। ଭକ୍ତାମାନେ ୧୧ ଦିନ ଧରି ବିଧିବିଧାନ ପାଳନ କରି ମନ୍ଦିରରେ ରହି ବିଭିନ୍ନ ସ୍ଥାନରୁ ମନ୍ଦିରକୁ ଘଟ ଆଣିବା ସହିତ ମା’ଙ୍କ ପୋଟି ଓ ଘଟ ଧରି ବିଭିନ୍ନ ଗ୍ରାମ ପରିକ୍ରମା କଲାବେଳେ ସେମାନେ ଘରକୁ ଘର ଯାଇ ଭୋଗ ଓ ପଣା ଖାଇଥା’ନ୍ତି। ଏହାପରେ ପଣା ସଂକ୍ରାନ୍ତିର ପୂର୍ବ ଦିନ ସନ୍ଧ୍ୟାରେ ଜାଗର ଯାତ୍ରା ବା ଗାଧୋଇ ମନ୍ଦିର ପ୍ରାଙ୍ଗଣରେ ଦୀପ ଜାଳି ଥାଆନ୍ତି ଏବଂ ଦେହୁରୀ ଘରେ ସାଇତା ହୋଇ ରଖା ଯାଇଥିବା କଣ୍ଟା ପେଡ଼ିକୁ ପୂଜାର୍ଚ୍ଚନା କରି କଣ୍ଟା ପେଡିକୁ ମନ୍ଦିର ଭିତରକୁ ଦେହୁରୀଙ୍କ ଦ୍ବାରା ଅଣାଯାଇଥିଲା। କଣ୍ଟା ପେଡି ମନ୍ଦିରକୁ ଆସିବା ପରେ ରାତିରେ ମନ୍ଦିରରେ ଜାଗର ଯାତ୍ରା ଶେଷ ହୋଇଥିଲା। ଏଥିରେ ଶହ ଶହ ମହିଳା ଭକ୍ତ ବା ଶ୍ରଦ୍ଧାଳୁ ମନ୍ଦିର ସମ୍ମୁଖ ପଡ଼ିଆରେ ଦୀପ ଜାଳି ପୂଜା କରିଥିଲେ। ପଣା ସଂକ୍ରାନ୍ତି ଦିନ ସକାଳୁ ସକାଳୁ ସେବାୟତମାନେ ମା’ଙ୍କ ନିକଟରୁ ଆଜ୍ଞା ମାଳ ନେଇ ଜଙ୍ଗଲରୁ ଖୁଣ୍ଟ ଓ ଶାଳ ଗଛର ଦଣ୍ଡା ମନ୍ଦିର ସମ୍ମୁଖ ପଡ଼ିଆକୁ ଅଣାଯିବା ସମୟରେ ‘ବାଇଁ ବାଇଁ କେଲେଇ କେଲେଇ କେଲେଇ’ କହିଥାନ୍ତି। ପରେ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିବାପରେ ଖୁଣ୍ଟ ଓ ଦଣ୍ଡାକୁ ଯୋଡ଼ା ଯାଇ ପଡ଼ିଆରେ ଖୁଣ୍ଟ ପୋତା ଯାଇଥିଲା। ଉଡା ଖୁଣ୍ଟ ପୋତା ଯିବାପରେ ଭକ୍ତାମାନେ କଣ୍ଟା ଫୋଡଇବାକୁ କଣ୍ଟା ଫୋଡା ଶାଳକୁ ଯାଇଥିଲେ। ସେଠାରେ ବିଧି ଅନୁଯାୟୀ ଦେହୁରୀ ପୂଜା କରିବାପରେ ଜଣେ ପରେ ଜଣେ ଭକ୍ତାଙ୍କ ପିଠିରେ ଦୌଡ଼ି ଲାଗିଥିବା ଅଙ୍କୁଶା କୃତି ଦୁଇଟି କଣ୍ଟାକୁ ଦେହୁରୀ ଭକ୍ତାଙ୍କ ପିଠିରେ ଫୋଡାଇଥିଲେ। କଣ୍ଟା ଫୋଡା ଶେଷ ହେବା ପରେ ସମସ୍ତ ଭକ୍ତା ଏକ ସଙ୍ଗରେ ଆସି ଉଡାଖୁଣ୍ଟ ନିକଟରେ ପହଞ୍ଚିଥିଲେ। ସେଠାରେ ଜଣେ ପରେ ଜଣେ ଭକ୍ତାଙ୍କୁ ପିଠିରେ ଫୋଡା ଯାଇଥିବା ଦୁଇଟି କଣ୍ଟାର ଦୌଡ଼ିକୁ ଉଡା ଖୁଣ୍ଟ ଦଣ୍ଡାରେ ଝୁଲାଇ ଉଡା ଯାଇଥିଲା। ଭକ୍ତାମାନେ ଉପରେ ଉଡୁଥିବାବେଳେ ତଳେ ଥିବା ଲୋକଙ୍କ ଉପରକୁ ପିନ୍ଧିଥିବା ଫୁଲକୁ ପୁଷ୍ପ ବୃଷ୍ଟି କରିଥିଲେ। ଭକ୍ତା ଉଡିବା କାର୍ଯ୍ୟକ୍ରମ ରାତି ପ୍ରାୟ ୩.୩୦ରୁ ଆରମ୍ଭ ହୋଇ ସକାଳେ ଶେଷ ହୋଇଥିଲା। ଉଡା ପର୍ବ ଦେଖିବାକୁ ମନ୍ଦିର ସମ୍ମୁଖରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ଉଡ଼ା ପର୍ବରେ ଶାନ୍ତିଶୃଙ୍ଖଳା ରକ୍ଷା କରାଯିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଉଡ଼ା ପର୍ବ ଶେଷ ହେବାପରେ ମଙ୍ଗଳବାର ସକାଳୁ ମନ୍ଦିର ସମ୍ମୁଖରେ ଶହ ଶହ ସଂଖ୍ୟାରେ ବୋଦା, କୁକୁଡ଼ାକୁ ଛେଦ ପକାଇବାକୁ ମାନସିକଧାରୀମାନେ ଆଣିଥିଲେ। କିନ୍ତୁ ମନ୍ଦିରରେ ବଳି ପ୍ରଥା ବନ୍ଦ ଥିବାରୁ କେବଳ ପୂଜା କରାଯାଇ ଜୀବନ୍ତ ଫେରାଇ ଦିଆଯାଇଥିଲା।।

Comments are closed.