କୃଷିଜାତ ଦ୍ରବ୍ୟର ବଜାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ଆଠଗଡ : ନରିସଂହପୁର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଆଠଗଡ ସହର ସନ୍ନିକଟ ମୁଣ୍ଡଳି ରାସ୍ତାର ରାଧାଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ସୁଧାଂଶୁମୋହପୁର ଗ୍ରାମ ନିକଟରେ ଏକ କୃଷିଜାତ ଦ୍ରବ୍ୟର ବଜାର ପ୍ରତିଷ୍ଠା ପାଇଁ ବୁଧବାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏହି କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କୃଷିଜାତ ଦ୍ରବ୍ୟର ବିକ୍ରୟ ପାଇଁ ନିର୍ମାଣ ହେବାକୁ ଥିବା ବଜାର ନିମିତ୍ତ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଆଠଗଡର ଚାଷୀମାନେ ଏହାଦ୍ୱାରା ନିଜର ଉତ୍ପାଦିତ ଫସଲ ଓ ପନିପରିବା ବିକ୍ରୟ କରିବାର ସୁବିଧା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ । ଆଠଗଡ ଏକ କୃଷି ପ୍ରଧାନ ଅଞ୍ଚଳ ହୋଇଥିବାବେଳେ ଏଠାରେ ପ୍ରଚୁର ପରିମାଣରେ ଉତ୍ପାଦିତ ହେଉଥିବା ପନିପରିବା ବିକ୍ରୟ ପାଇଁ ପୂର୍ବରୁ ଚାଷୀମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଥିଲେ ତାହା ଏହି ବଜାର ନିର୍ମାଣ ହେବା ପରେ ସମାଧାନ ହୋଇପାରିବ ବୋଲି ଶ୍ରୀ ସ୍ୱାଇଁ ଆଶାବ୍ୟକ୍ତ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ନରସିଂହପୁର ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଯୋଗଦେଇ ଏହି ବଜାର କାର୍ଯ୍ୟକ୍ଷମ ହେଲେ ଆଠଗଡର ଚାଷୀଭାଇମାନେ ଉପକୃତ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ୟ ବଳଭଦ୍ର ବାଘ, ବ୍ଲକ ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ମଲ୍ଲିକ, ରାଧାଗୋବିନ୍ଦପୁର ସରପଞ୍ଚ ପ୍ରଭାକର ରାଉତ, ସମିତିସଭ୍ୟ ରଞ୍ଜିତ କୁମାର ସ୍ୱାଇଁ, ନାଏବ ସରପଞ୍ଚ ସସ୍ମିତା ରାଉତଙ୍କ ସମେତ ବହୁ କୃଷକ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ। ନରସିଂହପୁର ନିୟନ୍ତ୍ରିତ ବଜାର କମିଟିର ସଂପାଦକ ରାମନାରାୟଣ ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.