ମାଗାସେସେ ପୁରସ୍କାର ଶୈଳଜାଙ୍କ ପ୍ରତ୍ୟାଖାନ
ନୂଆଦିଲ୍ଲୀ : ସମ୍ମାନଜନକ ମାଗାସେସେ ପୁରସ୍କାରକୁ ପ୍ରତ୍ୟାଖାନ କରିଛନ୍ତି କେରଳର ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ସିପିଆଇ (ଏମ୍) ନେତ୍ରୀ କେକେ ଶୈଳଜା। କରୋନା ଓ ନିଫା ଭୂତାଣୁ ସଂକ୍ରମଣ କାଳରେ ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ଶୈଳଜା ଯେଉଁ ପ୍ରଶଂସନୀୟ କାମ କରିଥିଲେ ସେଥିପାଇଁ ତାଙ୍କୁ ମାଗାସେସେ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ଏସିଆର ନୋବେଲ୍ ପୁରସ୍କାର ଭାବେ ପରିଚିତ ମାଗାସେସେ ପୁରସ୍କାରକୁ ପ୍ରତ୍ୟାଖାନ କରିବା ବାବଦରେ ସୂଚନା ଦେଇ ଶୈଳଜା କହିଥିଲେ ଏ ନେଇ ସେ ଦଳୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ମାଗାସେସ୍ ପୁରସ୍କାର ଶୈଳଜା ଗ୍ରହଣ କରିବେ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହାକୁ ସମ୍ମାନ ଜଣାଇ ସେ ମାଗାସେସେ ପୁରସ୍କାର ଗ୍ରହଣ କରିପାରିବେ ନାହିଁ ବୋଲି ପୁରସ୍କାର ବିତରଣକାରୀ ସଂଗଠନକୁ ଜଣାଇ ଦେଇଛନ୍ତି। ଏକ ସ୍ବେଚ୍ଛାସେବୀ ସଂଗଠନ ମାଗାସେସ୍ ପୁରସ୍କାର ପ୍ରଦାନ କରିଥାଏ ଏବଂ ଏହି ସଂଗଠନ ବାମପନ୍ଥୀ ଚିନ୍ତାଧାରାକୁ ସମର୍ଥନ କରୁନଥିବାରୁ ଶୈଳଜା ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।
Comments are closed.