ଚୋରା ବିଦେଶୀ ମଦ ସହ ସ୍କୋର୍ପିଓ ଜବତ,୨ଗିରଫ
କେନ୍ଦୁଝରଗଡ : ପଡୋଶୀ ଝାଡଖଣ୍ଡ ରାଜ୍ୟରୁ ବିଦେଶୀ ମଦ କେନ୍ଦୁଝର ଜିଲାର ବିଭିନ୍ନ ଢ଼ାବା, ହୋଟେଲ ଓ ବିଭିନ୍ନ ଦୋକାନ ମାନଙ୍କରେ ବିକ୍ରି ହୋଇ ଆସୁଥିବା ବେଳେ ବିଳମ୍ବରେ ହେଲେ ମଧ୍ୟ କେନ୍ଦୁଝର ଅବକାରୀ ବିଭାଗର ନିଦ ଭାଙ୍ଗିଛି । ଫଳସ୍ୱରୂପ ଜିଲା ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ କେନ୍ଦୁଝରର ଇନ୍ସପେକ୍ଟର ଚନ୍ଦନ କୁମାର ମଣ୍ଡଳ ଗୁରୁବାର ଅପରାହ୍ନରେ ସଦର ଥାନା ଅଧିନ ୨୦ନଂ ଜାତୀୟ ରାଜପଥ ପୁଟୁଳିଆସ୍ଥିତ ରାଜପୁତ ଢ଼ାବାରେ ସଦଳବଳେ ଚଢ଼ଉ କରି ବିପୁଳ ପରିମାଣର ବିଦେଶୀ ମଦକୁ ଜବତ କରିବାକୁ ସକ୍ଷମ ହୋଇଥିଲେ । ଜବତ ମଦ ଝାଡଖଣ୍ଡ ରାଜ୍ୟର ବୋଲି ଜଣାପଡିବା ପରେ ଅବକାରୀ ବିଭାଗ ପକ୍ଷରୁ ଅଧିକ ଛାନଭିନ୍ କରିବା ପରେ ଗିରଫ ଢ଼ାବା ମାଲିକଙ୍କ ବୟାନକୁ ଭିତ୍ତିକରି ଝାଡଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲାରୁ ଏକ ସ୍କୋର୍ପିଓ ଯୋଗେ ବିଦେଶୀ ମଦ ବୋଝେଇ ହୋଇ ଗୁରୁବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ଟାରେ ଢ଼ାବା ମାଲିକଙ୍କ ଘର ନିକଟରେ ପହଞ୍ଚିବା ପରେ ପୂର୍ବରୁ ସାଧା ପୋଷାକରେ ସେଠାରେ ଥିବା ଅବକାରୀ ବିଭାଗ ଚଢ଼ଉ କରି ସ୍କୋର୍ପିଓ ସମେତ ବିଦେଶୀ ମଦକୁ ଜବତ କରିବାକୁ ସକ୍ଷମ ହୋଇଥିଲା। ପ୍ରାୟ ୧ଲକ୍ଷ ୨୦ହଜାର ଟଙ୍କା ମୂଲ୍ୟର ୧୨୦.୬୦୦ଲିଟର ବିଦେଶୀ ମଦ ଜବତ ହୋଇଥିବା ବେଳେ ଏହି ମାମଲାରେ ଅବକାରୀ ବିଭାଗ ପକ୍ଷରୁ ଢ଼ାବା ମାଲିକ ସନ୍ତୋଷ ଦେଓ (୪୪) ଏବଂ ବିଦେଶୀ ମଦ ଯୋଗାଣକାରୀ ଝାଡଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଜିଲା କୁମୁଡିଗା ଗ୍ରାମର ମଣ୍ଡିପାଟ ପିଙ୍ଗୁଆକୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି । ତେବେ ଝାରଖଣ୍ଡ ରାଜ୍ୟ ପାଇଁ ବିକ୍ରି ନିମନ୍ତେ ଉଦ୍ଦିଷ୍ଟ ଲେଖାଥିବା ଜବତ ବିଦେଶୀ ମଦ ପ୍ରକୃତରେ ଅସଲି ନା ନକଲି ମଦ ସେ ନେଇ ନମୂନା ସଂଗ୍ରହ କରାଯାଇ ସମ୍ବଲପୁରକୁ ପରୀକ୍ଷା ନିମନ୍ତେ ପଠା ଯାଇଥିବା ଅବକାରୀ ଇନ୍ସପେକ୍ଟର ଶ୍ରୀ ମଣ୍ଡଳ କହିଛନ୍ତି । ତେବେ କେନ୍ଦୁଝର ଜିଲା ପଡୋଶୀ ଝାଡଖଣ୍ଡ ସୀମାକୁ ଲାଗି ରହିଥିବାରୁ ସୀମାବର୍ତ୍ତୀ ଚମ୍ପୁଆ ଉପଖଣ୍ଡ ସମେତ କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ଏଭଳି ଚଢ଼ଉ ନିୟମିତ ଭାବେ କରାଯିବାକୁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ପରେ ଦାୟିତ୍ୱରେ ଥିବା ଅଧିକାରୀ ଅଧିକ ସକ୍ରିୟ ହୋଇପଡିଛନ୍ତି।
Comments are closed.