ଖାଦ୍ୟ ନିରାପତ୍ତା ଓ ସମନ୍ବିତ କୃଷି

ଭୁବନେଶ୍ଵର: ବିଶ୍ୱର ଜଳବାୟୁ ପରିବର୍ତ୍ତନ ଓ ଚାଷଜମି ସଙ୍କୋଚନ ପରିପ୍ରେକ୍ଷୀରେ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ପାଇଁ ଖାଦ୍ୟ ନିରାପତ୍ତା ଆଜିର ମୁଖ୍ୟ ସମସ୍ୟା। ୨୦୫୦ ବେଳକୁ ବିଶ୍ୱର ଲୋକସଂଖ୍ୟା ୯.୭ ବିଲିୟନରୁ ଅଧିକ ହୋଇପାରେ ଏବଂ ଏଥିପାଇଁ ଆମକୁ ଅନ୍ତତଃ ଆହୁରି ୭୦% ଅଧିକ ଖାଦ୍ୟ ଉତ୍ପାଦନ କରିବାକୁ ଆବଶ୍ୟକ ହେବ। ୨୦୫୦ ବେଳକୁ ଭାରତର ଲୋକସଂଖ୍ୟା ୧୬୬ କୋଟି ହେବାର ପୂର୍ବାନୁମାନ କରାଯାଏ ।
ଜନସଂଖ୍ୟା ବୃଦ୍ଧି ସହିତ ଦେଶରେ ଯେପରି ଅନାହାର ଜନିତ ମୃତ୍ୟୁ ନ ଘଟେ ତାକୁ ଲକ୍ଷ୍ୟରେ ରଖି ପ୍ରତି ଦେଶର ସରକାର ଅଧିକ କୃଷି ଉତ୍ପାଦନ ନିମନ୍ତେ ରାସାୟନିକ ଏବଂ କୀଟ ଓ ରୋଗନାଶକ ଦ୍ରବ୍ୟ ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି। ତେବେ ଏପରି ରାସାୟନିକ ଦ୍ରବ୍ୟ ବ୍ୟବହାର ଯୋଗୁଁ କର୍କଟ ରୋଗ ଏବଂ ଅନ୍ୟ କେତେକ ରୋଗ ଆମ ଶରୀରରେ ଦେଖାଯିବା ଏକ ଉଦ୍‌ବେଗଜନକ ସମସ୍ୟା ମଧ୍ୟ କ୍ରମଶଃ ଦେଖା ଗଲାଣି। ଆଜିକାଲି ଖବରକାଗଜ ଗୁଡିକରେ ଏ ସଂକ୍ରାନ୍ତରେ ବହୁ ଲେଖା ପ୍ରକାଶ ପାଇବା ଫଳରେ ଚାଷୀମାନେ ଦ୍ବନ୍ଦ୍ବରେ ପଡୁଛନ୍ତି। ସରକାର ମଧ୍ୟ ‘ଏଣେ ମାଇଲେ ଗୋହତ୍ୟା, ତେଣେ ମାଇଲେ ବ୍ରହ୍ମ ହତ୍ୟା’ ସଙ୍କଟରେ ପଡ଼ିବା ସ୍ୱାଭାବିକ। ସେଥିପାଇଁ ଜୈବିକ କୃଷି ପାଇଁ ପ୍ରୋତ୍ସାହନ ଦେଉଛନ୍ତି ଏବଂ ଅପରପକ୍ଷରେ ରାସାୟନିକ ସାର ଉପରେ ଅଧିକ ରିଆତି ମଧ୍ୟ ଦେଉଛନ୍ତି ।
ଫସଲ ଅମଳ ପାଇଁ ୧୭ ଗୋଟି ପୋଷକ ଆବଶ୍ୟକ ଯାହା ମାଟିରୁ, ବାୟୁମଣ୍ଡଳରୁ ଓ ଜଳରୁ ମିଳେ। ଅମ୍ଳଜାନ, ଉଦ୍‌ଜାନ ଓ ଅଙ୍ଗାରକାମ୍ଳ ବାୟୁ ଓ ଜଳରୁ ମିଳିବା ବେଳେ ଆଉ ୧୪ଟି ମାଟିରୁ ମିଳେ। ଗୋଟିଏ ପୋଷକର କାମ ଅନ୍ୟ କିଏ କରିପାରିବ ନାହିଁ। ଏଣୁ ଏହି ପୋଷକ ମାଟିରୁ ନ ମିଳିଲେ ଆମକୁ ଖତସାର ମାଧ୍ୟମରେ ଏହାକୁ ପ୍ରୟୋଗ କରିବାକୁ ହୁଏ। ପ୍ରକୃତିରେ ଯବକ୍ଷାରଜାନ, ଫସଫରସ, ପୋଟାସିୟମ ଓ ଗନ୍ଧକ ଚକ୍ର ମାଧ୍ୟମରେ ଏହି ପୋଷକ ଫସଲକୁ ଉପଲବ୍ଧ ହୁଏ; କିନ୍ତୁ ଫସଲ ମାଟିରୁ ଅଧିକ ପୋଷକ ଦୂରୀଭୂତ କଲେ ଆମକୁ ଏହା ଖତ, ସବୁଜ ସାର, ବାୟୋସାର, ପିଡ଼ିଆ କିମ୍ବା ରାସାୟନିକ ସାର ଆକାରରେ ପ୍ରୟୋଗ କରିବାକୁ ହୁଏ। ଏହା ନିର୍ଭର କରେ ମୃତ୍ତିକାରେ ପୋଷକ ପରିମାଣ, ଫସଲ ପାଇଁ ଆବଶ୍ୟକ ପରିମାଣ ଓ ପୋଷକର କାର୍ଯ୍ୟ ଦକ୍ଷତା ଉପରେ। ସେଥିପାଇଁ ଆମକୁ ମୃତ୍ତିକା ପରୀକ୍ଷା କରି ଫସଲ ଅନୁସାରେ ଖତ ଓ ସାର ପରିମାଣ ସ୍ଥିର କରିବାକୁ ହୁଏ। ମୁଖ୍ୟ ଖାଦ୍ୟସାର ଯବକ୍ଷାରଜାନ, ଫସଫରସ ଓ ପୋଟାସିୟମ୍ ମଧ୍ୟରେ ନିର୍ଦିଷ୍ଟ ଅନୁପାତ ଓ ସନ୍ତୁଳନ ରହିଲେ ମୃତ୍ତିକା ଓ ଫସଲ ସୁରକ୍ଷିତ ରହେ; କିନ୍ତୁ ଏହା ନକରି ଚାଷୀ ଯଦି କେବଳ ୟୁରିଆ ସାର ଅଧିକ ପ୍ରୟୋଗ କରନ୍ତି ତେବେ ଏଥିରୁ ନାଇଟ୍ରେଟ୍ ବାହାରି ଜଳ ଓ ମାଟିକୁ ପ୍ରଦୂଷିତ କରେ। ଏହି କାରଣରୁ କେତେକଙ୍କ ଶରୀରରେ ପ୍ରୋଷ୍ଟେଟ, କିଡ଼ନୀ ଓ ଲିମ୍ଫୋମା ଜାତୀୟ କର୍କଟ ରୋଗ ହେବାର ସମ୍ଭାବନା ଥାଏ ।
ବିଶ୍ୱରେ ହେକ୍ଟର ପ୍ରତି ୧୫୬ କିଲୋଗ୍ରାମ ସାର ବ୍ୟବହାର ହେଲାବେଳେ ଭାରତରେ ଏହାର ପରିମାଣ ୧୪୫ କିଲୋଗ୍ରାମ। ବିଶ୍ୱରେ ସବୁଠାରୁ ଅଧିକ ସାର ବ୍ୟବହାର କରନ୍ତି ଚୀନ, ଆମେରିକା ଓ ଭାରତ। ଭାରତରେ ବର୍ଷରେ ୟୁରିଆ ୩୫.୭୮ ନିୟୁତ ଟନ, ଡିଏପି ୧୦.୮୧ ନିୟୁତ ଟନ, ପୋଟାସ ୧.୬୪ ନିୟୁତ ଟନ ଓ ମିଶ୍ରିତ ସାର ୧୧.୭ ନିୟୁତ ଟନ ବ୍ୟବହାର କରାଯାଏ। ସାଧାରଣ ଭାବରେ ବିଚାର କଲେ ଏକ ହେକ୍ଟର ଚାଷ ମାଟିର ଓଜନ ପ୍ରାୟ ୨୦ ଲକ୍ଷ କିଲୋଗ୍ରାମ ଏବଂ ଏଥିରେ ହାରାହାରି ୧୪୬ କିଲୋଗ୍ରାମ ସାର ପ୍ରୟୋଗ ହେଉଥିବାରୁ ୧୩୭୦୦ କିଲୋଗ୍ରାମ ମାଟିରେ ଏକ କିଲୋଗ୍ରାମ ସାର ମିଶେ। ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଏତେ କମ୍ ସାର କ’ଣ ମାଟିକୁ ଖରାପ କରି ପାରିବ? ଏଥିରୁ ସହଜରେ ଅନୁମେୟ ଯେ ମାଟି ପରୀକ୍ଷାକରି ସାର ପ୍ରୟୋଗକଲେ ନାଇଟ୍ରେଟ୍ ବିଷାକ୍ତ ଜନିତ ସମସ୍ୟା ଗମ୍ଭୀର ହେବନାହିଁ। ଇଂଲଣ୍ଡର ରଥମଷ୍ଟେଡ ଗବେଷଣା ଅନୁଷ୍ଠାନରେ ଦୀର୍ଘଦିନ ଧରି ଫସଲରେ ସାର ପ୍ରୟୋଗ ସମ୍ବନ୍ଧରେ ଅନୁସନ୍ଧାନ କରାଯାଉଛି। ଏହି ପରୀକ୍ଷାରୁ ଜଣାଯାଏ ଯେ ଗହମ ଓ ବାର୍ଲି ଫସଲରେ ଜୈବିକ ଓ ରାସାୟନିକ ସାର ପ୍ରୟୋଗ କଲେ ୧୫୦ ବର୍ଷ ପର୍ଯ୍ୟନ୍ତ ଫସଲ ଅମଳରେ କୌଣସି ଅସୁବିଧା ହେବନି। ରାସାୟନିକ ସାର ସହିତ କର୍କଟ ରୋଗର ସମ୍ପର୍କରେ କେତେକ ଗବେଷଣା ହୋଇଥିଲେ ମଧ୍ୟ ଏହା ଉପରେ ବ୍ୟାପକ ଗବେଷଣା ହେବାର ଆବଶ୍ୟକତା ଅଛି। ଆମର ଅଧିକ ଖାଦ୍ୟ ଉତ୍ପାଦନ କରିବାର ଆବଶ୍ୟକତା ଥିବା ଦୃଷ୍ଟିରୁ ଫସଲ, ମୃତ୍ତିକା, ପରିବେଶ ଓ ମନୁଷ୍ୟ ତଥା ପ୍ରାଣୀମାନଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆମକୁ ସମନ୍ବିତ ଖାଦ୍ୟସାର ପରିଚାଳନା ଉପରେ ଗୁରୁତ୍ବ ଦେବାକୁ ହେବ ଯାହାକି ବିଶ୍ୱର ସବୁ ଦେଶ ଊଣା ଅଧିକେ ଅନୁସରଣ କରୁଛନ୍ତି। ଏହି ବ୍ୟବସ୍ଥାରେ ଫସଲର ଆକାଙ୍‌କ୍ଷିତ ଅମଳ ଅନୁସାରେ ଜୈବିକ ଓ ଅଜୈବ ସୂତ୍ରରୁ ଖାଦ୍ୟସାର ପ୍ରୟୋଗ କରିବା ସହିତ ଏଗୁଡ଼ିକର ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଏ। ଯେଉଁ ସ୍ଥାନରେ ପ୍ରାକୃତିକ ସମ୍ବଳ ଅଧିକ ଅଛି ଏବଂ ଜୈବିକ ଖାଦ୍ୟସାର ଅଧିକ ମିଳିବାର ସମ୍ଭାବନା ଅଛି ସେଠି ଜୈବିକ କୃଷି ବା ପ୍ରାକୃତିକ କୃଷି ଉପରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ ।
ସବୁଜ ବିପ୍ଲବର ସଫଳ ରୂପାୟଣ ଯୋଗୁଁ ଆଜି ଆମେ ଖାଦ୍ୟଶସ୍ୟ ଉତ୍ପାଦନରେ ଆତ୍ମ ନିର୍ଭରଶୀଳ ହୋଇପାରିଛେ। ବିଶ୍ବ ସବୁଜ ବିପ୍ଲବ ପାଇଁ ଡ. ନର୍ମାନ ବୋର୍ଲାଗ ବାହାର କରିଥିବା ବାଙ୍ଗରା କିସମ ଅଧିକ ଅମଳକ୍ଷମ ମେକ୍ସିକୋ ଗହମ ମୁଖ୍ୟତଃ ଦାୟୀ। ନୋବେଲ ବିଜେତା ଡ. ବୋର୍ଲାଗ ପ୍ରକାଶ କରିଥିଲେ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ପାଇଁ ଅଧିକ ଅମଳକ୍ଷମ ବିହନ ଓ ରାସାୟନିକ ସାର ବ୍ୟବହାର ଅପରିହାର୍ଯ୍ୟ ।
ଯେ କୌଣସି ଫସଲ ନିଜର ଜୀବନ କାଳ ମଧ୍ୟରେ ଘାସଜାତୀୟ ଉଦ୍ଭିଦ, ରୋଗ ଓ ପୋକମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ବିତା କରେ। ଯେତେବେଳେ ଫସଲ ଏଥିରେ ପରାସ୍ତ ହୁଏ ସେତେବେଳେ ଚାଷୀ ବିଭିନ୍ନ ଉପାୟରେ ଏଗୁଡିକୁ ନିୟନ୍ତ୍ରଣ କରେ। ଉଦ୍ଭିଦ ସୁସ୍ଥ ସବଳ ଥିଲେ ଓ ପରିବେଶ ଅନୁକୂଳ ଥିଲେ ରୋଗପୋକ ନିୟନ୍ତ୍ରଣ ଆବଶ୍ୟକ ହେବନାହିଁ। କିନ୍ତୁ ପରିବେଶ ପରିବର୍ତ୍ତନ ହେଲେ ରୋଗପୋକ ଅଧିକ ଦେଖାଯାଏ। ଏହି ସମୟରେ ଚାଷୀ ତୃଣନାଶକ, କୀଟନାଶକ ଓ ରୋଗନାଶକ ପ୍ରୟୋଗ କରେ; କିନ୍ତୁ ଏଗୁଡ଼ିକ ଅବିଚାରିତ ଭାବରେ ପ୍ରୟୋଗ ସହିତ ଚାଷୀ ଓ କୃଷିଶ୍ରମିକ ଏଗୁଡିକ କ୍ଷେତ୍ରରେ ପ୍ରୟୋଗ କରୁଥିବାରୁ ଏହାର ବିଷାକ୍ତ ପ୍ରଭାବରେ କର୍କଟ ସହିତ ଅନ୍ୟ କେତେକ ରୋଗର ଶିକାର ହୁଅନ୍ତି। ମାର୍କିନ ବୈଜ୍ଞାନିକା ରାକେଲ୍ କାର୍ସନ ବହୁ ଗବେଷଣା ପରେ ‘ନିରବ ବସନ୍ତ’ ପୁସ୍ତକ ରଚନା କରିଥିଲେ ଯାହା ୧୯୬୨ ମସିହାରେ ନୋବେଲ ପୁରସ୍କାର ପାଇଥିଲା। ଯୁଦ୍ଧକ୍ଷେତ୍ରରେ ଏବଂ କୃଷିକ୍ଷେତ୍ରରେ କୀଟନାଶକ ବିଷ ପ୍ରୟୋଗର ସୁଦୂରପ୍ରସାରୀ ପ୍ରଭାବ ସମ୍ବନ୍ଧରେ ସେ ବିଶ୍ବବାସୀଙ୍କୁ ସତର୍କ କରାଇ ଦେଇଥିଲେ। ଜଙ୍ଗଲରେ ଓ କୃଷି କ୍ଷେତ୍ରରେ ଅପକାରୀ କୀଟ ନିୟନ୍ତ୍ରଣ ପାଇଁ ଡିଡିଟି ଓ ବିଏଚ୍‌ସି ପରି କୀଟନାଶକ ପ୍ରୟୋଗ କିପରି ନିଷ୍ଫଳ ହୁଏ ଓ ଏଗୁଡ଼ିକ କିପରି ପରୋକ୍ଷରେ ଅଧିକ କୀଟ ଆକ୍ରମଣ ପାଇଁ ଦାୟୀ ସେ ସମ୍ବନ୍ଧରେ ବହୁତ ବୈଜ୍ଞାନିକ ତଥ୍ୟ ଲୋକଲୋଚନକୁ ଆଣିଥିଲେ ରାକେଲ କାର୍ସନ। ସେ ମତବ୍ୟକ୍ତ କରିଥିଲେ, ‘‘ଯେତେବେଳେ ଅପକାରୀ କୀଟ ଅଧିକ ମାତ୍ରାରେ ଫସଲ କ୍ଷତି କରିବା ଜଣାଯାଏ ସେତେବେଳେ ଆମେ ଜୈବ ନିୟନ୍ତ୍ରଣ ପଦ୍ଧତି ଅନୁସରଣ କରିବା ଭଲ। ଏପରି କି ପୁରୁଷ କୀଟ ବନ୍ଧ୍ୟା କରଣ, ପୁରୁଷ କୀଟକୁ ଆକର୍ଷିତ କରି ମାରିବା ପାଇଁ ଫେରୋମେନ ଯନ୍ତା ବ୍ୟବହାର କରାଯାଇପାରେ। ବାସିଲସ୍ ଥୁରିଏନ୍ ଜେନସିସ୍ ନାମକ ପରାଶ୍ରୟୀ ଅପକାରୀ କୀଟଙ୍କ ଶରୀରରେ ରୋଗ ସୃଷ୍ଟି କରି ସେମାନଙ୍କୁ ମାରିଦିଏ। ଏହି କାରଣରୁ ବିଷାକ୍ତ କୀଟନାଶକ ପ୍ରୟୋଗ ନକରି ପ୍ରାକୃତିକ ଉପାୟରେ କୀଟ ନିୟନ୍ତ୍ରଣ ଆମ ସମସ୍ତଙ୍କ ପାଇଁ ମଙ୍ଗଳକର।
‘ନିରବ ବସନ୍ତ’ ପ୍ରକାଶ ପାଇବାର କିଛି ବର୍ଷପରେ ଏଚ୍.ଏଫ୍ ଭାନ୍ ଏମଡେନ୍ ଓ ଡେଭିଡ ବି.ପିକଲ ଆଉ ଏକ ପୁସ୍ତକ ‘ନିରବ ବସନ୍ତ ପରେ’ (ବିୟୋଣ୍ଡ୍‌ ଦି ସାଇଲେଣ୍ଟ୍‌ ସ୍ପ୍ରିଙ୍ଗ୍‌) ରଚନା କଲେ। ଏହା ପରେ ସମନ୍ବିତ ରୋଗ ପୋକ ପରିଚାଳନା ପଦ୍ଧତି ବାହାର ହେଲା। ଏହା ଏକ ପରିବେଶୀୟ ମାର୍ଗ। ଏହି ପଦ୍ଧତିରେ ଫସଲରେ ରୋଗପୋକ ଜନିତ କ୍ଷତିକୁ ସୀମିତ କରିବା ପାଇଁ କେବଳ ବିଷାକ୍ତ କୀଟନାଶକ ଉପରେ ନିର୍ଭର ନକରି ରୋଗପୋକ ସହନଶୀଳ ବିହନ ବ୍ୟବହାର, କର୍ଷଣ ନିୟନ୍ତ୍ରଣ, ଫସଲ ପର୍ଯ୍ୟାୟ ଅନୁସରଣ, ଭୌତିକ ଓ ଦୈହିକ ନିୟନ୍ତ୍ରଣ, ଜୈବ ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦିଆଯାଏ। ଏସବୁ ସତ୍ତ୍ବେ ପୋକରୋଗ ଯଦି ଆର୍ଥିକ ଦେହଳୀ ସୀମା (ଇକୋନୋମିକ୍ ଥ୍ରେସ୍‌ହୋଲ୍‌ଡ ଲେଭେଲ୍‌) ଅତିକ୍ରମ କରେ ତେବେ ନିରାପଦ ଓ ଠିକ ରସାୟନ ବ୍ୟବହାର କରିବାକୁ ପଡ଼ିବ। ସାଧାରଣତଃ ଉପକାରୀ କୀଟ ଏକଭାଗ ଓ ଅପକାରୀ କୀଟ ଦୁଇଭାଗ ଥିଲେ କୀଟନାଶକ ବିଷ ପ୍ରୟୋଗ ନିଷ୍ପ୍ରୟୋଜନ। ବହୁ ରାଷ୍ଟ୍ରର ସରକାର ବର୍ତ୍ତମାନ ଏହିପରି ସମନ୍ବିତ ରୋଗ ପୋକ ପରିଚାଳନା ପଦ୍ଧତି ଅନୁସରଣ କରୁଛନ୍ତି। ବୈଜ୍ଞାନିକମାନେ ମଧ୍ୟ ଅଧିକ ସଂଖ୍ୟକ ରୋଗପୋକ ପ୍ରତିରୋଧକ କିସମର ବିହନ ବାହାର କରୁଛନ୍ତି । ସରକାର ଅଧିକ ବିଷାକ୍ତ କୀଟନାଶକ ପ୍ରସ୍ତୁତି ଓ ବିକ୍ରି ନିଷେଧ କଲେଣି। ଭାରତରେ ମଧ୍ୟ ୪୬ ବିଷାକ୍ତ କୀଟନାଶକ ବ୍ୟବହାର ଉପରେ ଅଙ୍କୁଶ ଲଗାଇ ସାରିଲେଣି। ବିଶ୍ୱରେ ହେକ୍ଟର ପ୍ରତି ତୃଣ ଓ କୀଟନାଶକ ବିଷ ମାତ୍ରା ଅନୁସାରେ ୬୦୦ ଗ୍ରାମ ବ୍ୟବହାର କଲାବେଳେ ଭାରତ ବ୍ୟବହାର କରେ ୪୦୦ ଗ୍ରାମ। ଅଥଚ ଚୀନ ୧୩ କିଲୋ ଓ ବ୍ରିଟେନ୍ ୫-୭ କିଲୋ ବ୍ୟବହାର କରନ୍ତି।
ନିଷ୍କର୍ଷରେ ଏତିକି କୁହାଯାଇପାରେ ଯେ ବର୍ଦ୍ଧିଷ୍ଣୁ ଜନସମାଜର ଆବଶ୍ୟକତା ପୂରଣ କରିବାକୁ ଆମକୁ ସୀମିତ ଜମି ଓ ସଙ୍କୁଚିତ ସମ୍ବଳ ବ୍ୟବହାର କରି ଅଧିକ ଖାଦ୍ୟ ଉତ୍ପାଦନ କରିବା ଛଡା ଅନ୍ୟ ବିକଳ୍ପ ନାହିଁ। ଏହି ପରିପ୍ରେକ୍ଷୀରେ ଅଧିକ ଅମଳକ୍ଷମ ବିହନ, ସେଚନ ଜଳ, ସାର ଓ ନିରାପଦ କୀଟନାଶକଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ; କିନ୍ତୁ ମାନବ ସମାଜର ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆମକୁ ସମନ୍ବିତ ପୋଷକ ପରିଚାଳନା, ସମନ୍ବିତ ଫସଲ ଓ ଜଳ ପରିଚାଳନା ଉପରେ ଭରସା କରିବାକୁ ହେବ। ଏହାକୁ ଅଧିକ ସୁଗମ କରିବାକୁ ସମ୍ଭାବ୍ୟ କ୍ଷେତ୍ରରେ ଜୈବିକ କୃଷି, ଜୈବ ପ୍ରଯୁକ୍ତିବିଦ୍ୟା ଓ କୃଷି- ପରିସଂସ୍ଥାରେ ଉଭୟ ବୈଜ୍ଞାନିକ ଜ୍ଞାନ କୌଶଳ ସହିତ ଦେଶୀୟ ଜ୍ଞାନ କୌଶଳଗୁଡିକର ସମ୍ମିଶ୍ରଣ କରାଯିବା ମଧ୍ୟ ଆବଶ୍ୟକ। ମନେ ରଖିବା ଆବଶ୍ୟକ ଯେ ଜୈବିକ କୃଷି ଏକ ଉପଯୁକ୍ତ ବ୍ୟବସ୍ଥା; କିନ୍ତୁ ଶେଷ ସମାଧାନ ନୁହଁ। ସିକିମ୍ ଓ ଶ୍ରୀଲଙ୍କା ଦୃଶ୍ୟ ତ ଆମ ଆଖି ଆଗରେ। ଏଥିନିମନ୍ତେ ଅଧିକ ଗବେଷଣା ଓ ସମ୍ପ୍ରସାରଣ ସହିତ ଅନ୍ତର୍ଜାତୀୟ ସ୍ତରରେ ସହଭାଗିତା ବିଶେଷ ଫଳବତୀ ହୋଇପାରିବ।

Comments are closed.