ଖାଦ୍ୟ ଓ ପରିବେଶ ସଂପର୍କୀତ କର୍ମଶାଳା
ଆଠଗଡ : ଆଠଗଡ ବ୍ଲକର ଖୁଣ୍ଟୁକଟା ନୋଡାଲ ହାଇସ୍କୁଲରେ ସୁସ୍ଥ ଖାଦ୍ୟ ଓ ସବୁଜ ପରିବେଶ ସଂପର୍କୀତ ଏକ କର୍ମଶାଳା ରବିବାର ଅନୁଷ୍ଠିତ ହୋଇଯାଇଛି। ଚେନ୍ନାଇର ସିପିଆର ପରିବେଶ ଶିକ୍ଷାକେନ୍ଦ୍ର, କରୁଣା ଫାଉଣ୍ଡେସନ ଏବଂ ଓଡିଶା ସରକାରଙ୍କ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମିଳିତ ଉଦ୍ୟମରେ ଆୟୋଜିତ ଏହି କର୍ମଶାଳାରେ ଆଠଗଡ ବ୍ଲକର ବିଭିନ୍ନ ବିଦ୍ୟାଳୟର ୭୦ରୁ ଅଧିକ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ଖୁଣ୍ଟକଟା ହାଇସ୍କୁଲର ପ୍ରଧାନଶିକ୍ଷକ ରସାନନ୍ଦ ଘଡେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ ପରିବେଶ ବୈଜ୍ଞାନିକ ଡଃ ପ୍ରଦୀପ କୁମାର ନାୟକ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସଂଯୋଜକ ସଚ୍ଚିଦାନନ୍ଦ ପ୍ରଧାନ, ବିଶିନାହାକାଣୀ କନିଷ୍ଠ କଲେଜର ଅଧ୍ୟାପକ ତଥା ପରିବେଶ ଶିକ୍ଷଣ କେନ୍ଦ୍ରର ସହକାରୀ ପ୍ରକଳ୍ପ ଅଧିକାରୀ ଭରତ ଚନ୍ଦ୍ର ଜେନା ଓ ବିଆରସିସି ନବକିଶୋର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଷୟବସ୍ତୁ ଉପରେ ବିସ୍ତୃତ ପର୍ଯ୍ୟାଲୋଚନା କରିଥିଲେ।
ପ୍ରକୃତିରୁ ମିଳୁଥିବା ଖାଦ୍ୟ ଓ ଆଜିର ଜଙ୍କଫୁଡ୍ ମଧ୍ୟରେ ଥିବା ପାର୍ଥକ୍ୟକୁ ସେମାନେ ସହଜ ଓ ସରଳ ଭାବରେ ବୁଝାଇବା ସହ ଆଜିର ଯୁବପୀଢିକୁ ଜଙ୍କଫୁଡ ନଖାଇବାକୁ ସଚେତନ କରିବା ଲାଗି ପରାମର୍ଶ ଦେଇଥିଲେ। ପରିବେଶ ସୁରକ୍ଷା କରିପାରିଲେ ଆମ ଭବିଷ୍ୟତ ବଂଶଧର ସୁଖ ସ୍ୱାଚ୍ଛନ୍ଦ ଓ ସୁସ୍ଥ ଜୀବନ ଅତିବାହିତ କରିପାରିବେ ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ପରିବେଶ ସୁରକ୍ଷା କରିବା ଓ ସବୁଜ ବଳୟ ସୃଷ୍ଟି ପାଇଁ ଶ୍ରେଣୀକକ୍ଷରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସିଆରସିସି ଦୁର୍ଗାପ୍ରସାଦ ନାୟକ, ମୁରଲୀଧର ସାହୁ, ହରପ୍ରସାଦ ବେହେରା ପରିଚାଳନା କରିଥିଲେ। ଏହି ଅବସରରେ ଶିକ୍ଷକ ଶଶଧର ମହାରଣା ଓ ରଶ୍ମିତା ସାହୁଙ୍କୁ ମୁଖ୍ୟଅତିଥି ଔଷଧିୟ ବୃକ୍ଷ ଚାରା ପ୍ରଦାନ କରିବା ସହ ଅନ୍ୟମାନଙ୍କୁ ଏହିପରି ଚାରା ରୋପଣ କରିବା ଲାଗି ପ୍ରୋତ୍ସାହିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଶିକ୍ଷକ ଶଶଧର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.