ସେପ୍ଟେମ୍ବର ସୁଦ୍ଧା ଫ୍ଲୋରାଇଡମୁକ୍ତ ପାଣି

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲାରେ ଫ୍ଲୋରାଇଡଯୁକ୍ତ ପାଣି ବ୍ୟବହାର କରି ଲୋକେ ରୋଗାକ୍ରାନ୍ତ ହୋଇଥିବାବେଳେ ଏବେବି ୪୧ଟି ଜନବସତିରେ ସେଭଳି ସମସ୍ୟା ରହିଛି। ଏ ଦିଗରେ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଥିବା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସଂସ୍ଥାର ସର୍ବୋଚ୍ଚ ଯନ୍ତ୍ରୀ ହାଡ଼ିବନ୍ଧୁ ବେହେରା କହିଛନ୍ତି। ଏ ସମସ୍ତ ଜନବସତିକୁ ସେପ୍ଟେମ୍ବର ଶେଷ ସୁଦ୍ଧା ଫ୍ଲୋରାଇଡମୁକ୍ତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ରାଜ୍ୟରେ ୨୦ଟି ଜିଲାର କେତେକ ଅଞ୍ଚଳରେ ରାସାୟନିକ ପଦାର୍ଥ ଯୁକ୍ତ ପାଣି ବାହାରୁଛି। କେଉଁଠି ନଳକୂପ, ପୋଖରୀ ଆଦି ପାଣିରେ ଫ୍ଲୋରାଇଡ ରହୁଛି ତ କେଉଁଠି ଲୌହାଂଶ ରହିଛି। ସେହିପରି କେତେକ କ୍ଷେତ୍ରରେ ପାଣିରେ ନାଇଟ୍ରେଟ ଥିବାବେଳେ କିଛି ଅଞ୍ଚଳରେ ଜଳ ଲବଣାକ୍ତ ରହୁଛି। ସୂଚନା ଅନୁଯାୟୀ ଏବେ ୨୦ ଜିଲାର ୪୧ ଜନବସତିରେ ଫ୍ଲୋରାଇଡ ଯୁକ୍ତ ପାଣି ଥିବାବେଳେ ୧୯୭୨ ଜନବସତିରେ ପାଣିରେ ଲୌହାଂଶ ରହୁଛି। ସେହିପରି ୬ଟି ଜନବସତିରେ ନାଇଟ୍ରେଟଯୁକ୍ତ ପାଣି ମିଳୁଥିବାବେଳେ ୨୬ଟିରେ ଲବଣାକ୍ତ ରହୁଛି। ଫ୍ଲୋରାଇଡଯୁକ୍ତ ପାଣି ବ୍ୟବହାର ଯୋଗୁଁ ଲୋକଙ୍କ ହାତ, ଗୋଡ଼ ଦାନ୍ତମାଢ଼ି ଆଦି ବିକୃତ ହୋଇଯାଉଛି। ଅନ୍ୟ ରାସାୟନିକର ବିଶେଷ ପ୍ରଭାବ ପଡୁନଥିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହେଉଛି। ଏହି ସମସ୍ୟା ଦୂର ପାଇଁ ପଦକ୍ଷେପ ନିଆଯାଉଛି। ଚଳିତ ମାସ ଶେଷ ସୁଦ୍ଧା ଏ ସମସ୍ତ ଜନବସତିରେ ପାଣି ବିଶୁଦ୍ଧ କରିବାକୁ ପ୍ଲାଣ୍ଟ ଲଗାଯିବ। ଏ ଦିଗରେ କାର୍ଯ୍ୟ ଜୋରସୋରରେ ଚାଲିଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।
୨୦୨୨-୨୩ରେ ୨୧୫ଟି ଫ୍ଲୋରାଇଡମୁକ୍ତ ପ୍ଲାଣ୍ଟ ବସାଇବା ଲକ୍ଷ୍ୟ ରଖାଯାଇଥିବାବେଳେ ୧୪୦ଟି ଶେଷ ହୋଇଛି। ସେହିପରି ୫ଶହରୁ ୨ଶହ ଲୌହାଂଶ ମୁକ୍ତ ପ୍ଲାଣ୍ଟ ବସିସାରିଲାଣି ବୋଲି ଶ୍ରୀ ବେହେରା କହିଛନ୍ତି। ୫ ବର୍ଷ ପୂର୍ବରୁ ୩୦ ଜିଲାରେ ବହୁ ପରିମାଣରେ ରାସାୟନିକ ଯୁକ୍ତ ପାଣି ବ୍ୟବହାର କରି ଲୋକେ ରୋଗାକ୍ରାନ୍ତ ହେଉଥିଲେ। ଏହି ସମସ୍ୟା ବହୁମାତ୍ରାରେ କମିଛି। ଫ୍ଲୋରାଇଡ ପାଣିକୁ ବିଶୁଦ୍ଧ କରିବାକୁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସଂସ୍ଥା ପ୍ରଭାବିତ ଅଞ୍ଚଳରେ ୧୨ଶହ ପ୍ଲାଣ୍ଟ ବସାଇଥିଲା। ସେହିପରି ଲୌହାଂଶ ସଫା କରିବା ପାଇଁ ୬ଶହ ପ୍ଲାଣ୍ଟ ବସାଯାଇଥିବା ସେ ସୂଚନା ଦେଇଛନ୍ତି।

kalyan agarbati

Comments are closed.