ଉତ୍ତର ଓଡ଼ିଶା ବିପର୍ଯ୍ୟୟ ବଢ଼ାଇବ
ଦୀଘାରେ ସ୍ଥଳଭାଗ ଛୁଇଁଲା ତୀବ୍ର ଅବପାତ, ୪ ଜିଲାକୁ ରେଡ୍ ଓ ୧୨ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ
ହୀରାକୁଦର ୪୦ ଫାଟକରୁ ଆସିଥିବା ପାଣି ଗଲା କୁଆଡ଼େ, କର୍ତ୍ତୃପକ୍ଷ ନିରୁତ୍ତର
ଭୁବନେଶ୍ବର : ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ତୀବ୍ର ଅବପାତରେ ପରିଣତ ହୋଇ ଶୁକ୍ରବାର ରାତି ୮ଟାରେ ପଶ୍ଚିମବଙ୍ଗ ଦୀଘାଠାରେ ସ୍ଥଳଭାଗ ଛୁଇଁଛି । ତେବେ ତୀବ୍ର ଅବପାତ ପ୍ରଭାବରେ ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର ଓ ଭଦ୍ରକରେ ବର୍ଷା ଲାଗି ରହିଛି। ଏହି ତିନିଟି ଜିଲାର ଜିଲାପାଳଙ୍କୁ ସତର୍କ ରହି ପରିସ୍ଥିତିର ମୁକାବିଲା କରିବାକୁ ନିର୍ଦେଶ ଦିଆଯାଇଛି। ଆସନ୍ତାକାଲି ମଧ୍ୟ ଏସବୁ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉପରୋକ୍ତ ଜିଲା ଗୁଡିକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ସ୍ଥଳଭାଗ ଛୁଇଁବାବେଳେ ବାଲେଶ୍ବର ଓ ଭଦ୍ରକ ଜିଲାରେ ବର୍ଷା ସାଙ୍ଗକୁ ପବନ ବେଗ ଘଣ୍ଟା ପ୍ରତି ୫୫ରୁ ୬୫ କିମି ରହିଥିଲା। ପଶ୍ଚିମବଙ୍ଗ ଚବିଶପ୍ରଗଣା ଜିଲାରେ ପବନର ବେଗ ସର୍ବାଧିକ ଘଣ୍ଟା ପ୍ରତି ୫୫-୬୫ କିମି ଛୁଇଁଥିଲା। ଆସନ୍ତାକାଲି ପବନ କମିଯାଇ ଏହା ଘଣ୍ଟା ପ୍ରତି ୩୦ରୁ ୪୫କିମି ବେଗରେ ବହିବ। ସମୁଦ୍ର ଅଶାନ୍ତ ଯୋଗୁଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି। ଆସନ୍ତାକାଲି ସକାଳ ୮.୩୦ ସୁଦ୍ଧା ରାଜ୍ୟର ଅନ୍ୟ ୧୨ ଜିଲାକୁ ଅରେଞ୍ଜ ଓ ୧୪ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ତୀବ୍ର ଅବପାତ ସ୍ଥଳଭାଗ ଛୁଇଁବା ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶାର ବାଲେଶ୍ବର-ସାଗରଦ୍ବୀପ ସ୍ଥଳଭାଗ ଆଡକୁ ଗତି କରିଛି। ଏହା କ୍ରମଶଃ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆଜି ମଧ୍ୟରାତିରେ ପଶ୍ଚିମବଙ୍ଗ ଉପକୂଳ ଓ ବାଂଲାଦେଶ ଉପକୂଳକୁ ବାଲେଶ୍ୱର ଓ ସାଗରଦୀପ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିଛି। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ପୁନଶ୍ଚ ଅବପାତ ପଶ୍ଚିମ-ଉତ୍ତର-ପଶ୍ଚିମରେ ଝାଡଖଣ୍ଡ ଓ ଉତ୍ତର ଛତିଶଗଡରେ ପହଞ୍ଚି ଦୁର୍ବଳ ହୋଇଯିବ।
ଶୁକ୍ରବାର ସକାଳ ସାଢେ ୮ଟାରୁ ଅପରାହ୍ଣ ସାଢେ ୫ଟା ମଧ୍ୟରେ ବାଲେଶ୍ବରରେ ୧୫.୪ ମିମି ବର୍ଷା ରେକର୍ଡ କରାଯାଇ ଥିବାବେଳେ ଚାନ୍ଦବାଲି ୧୭.୬ମିମି, କେନ୍ଦ୍ରାପଡା ୧୩.୬ମିମି, ଜଗତସିଂହପୁର ୪୧ମିମି, ଅନୁଗୋଳ, ୪୫ ମିମି, ବାରିପଦା ୪.୪ମିମି, କେନ୍ଦୁଝର ୦.୨ମିମି, ଭଦ୍ରକ ୧୦.୫ମିମି, ତାଳଚେର ୩୪ମିମି, କୋରାପୁଟ ୩୨ମିମି, ଫୁଲବାଣୀ ୪୭.୮ମିମି, ମାଲକାନଗିରି ୪୪.୪ମିମି ଏବଂ ଦେବଗଡ ୨୬ମିମି ବର୍ଷା ହୋଇଛି। ପଶ୍ଚିମବଙ୍ଗରେ ସର୍ବାଧିକ ୭୦ମିମି ବର୍ଷା ହୋଇଥିବା ଜଣାପଡିଛି। ତା’ସହିତ ଉପକୂଳ ଓଡ଼ିଶାର ସମସ୍ତ ଅଞ୍ଚଳରେ ହାଲୁକା ବର୍ଷା ହୋଇଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି) ପ୍ରଦୀପ ଜେନା କହିଛନ୍ତି, ଗଭୀର ଅବପାତ ଉପକୂଳ ଆଡ଼କୁ ମୁହାଁଇଲେ ଉତ୍ତର ଓଡ଼ିଶା ନିକଟସ୍ଥ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଆଡ଼କୁ ଗତି କରିବ। ଏହା ପ୍ରଭାବରେ ଶନିବାର ସକାଳ ସାଢେ ୮ଟା ମଧ୍ୟରେ କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୋଳ, ଦେବଗଡ, ସୁନ୍ଦରଗଡ, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର ଏବଂ ଯାଜପୁରରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲା ଗୁଡିକର କିଛି ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ।
ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ମହାନଦୀ ଅବବାହିକାରେ ପ୍ରବଳ ବର୍ଷା ହୋଇପାରେ। ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହିତ ସହରାଞ୍ଚଳରେ ଜଳମଗ୍ନ ପରିସ୍ଥିତି ଉପୁଜିପାରେ। ପାହାଡରୁ ମାଟି ଅତଡା ଧସିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ହୀରାକୁଦର ୮ଟି ଫାଟକକୁ ବନ୍ଦ କରିଦିଆଯାଇ ଏବେ ୨୦ଟି ଗେଟ୍ ଜରିଆରେ ଜଳ ନିଷ୍କାସନ ଜାରି ରହିଛି। ଅନ୍ୟପକ୍ଷରେ ପୂର୍ବରୁ ହୀରାକୁଦ ୪୦ଟି ଫାଟକ ଦେଇ ମହାନଦୀରେ ଛାଡିଥିବା ବନ୍ୟାଜଳ ଶୁକ୍ରବାର ସନ୍ଧ୍ୟାରେ ମୁଣ୍ଡୁଳିରେ ପହଞ୍ଚିବ ବୋଲି ଉଭୟ ଏସ୍ଆରସି ଓ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଥିଲେ। ଆଜି ଏସଂପର୍କରେ
କୌଣସି ସୂଚନା ଦିଆଯାଇନି। ପାଲଟା ଏସଆରସି କହିଛନ୍ତି ଯେ, ମହାନଦୀରେ ଜଳସ୍ତର କମୁଛି; ଆଉ ବଢିବା ସମ୍ଭାବନା ନାହିଁ। ସୂଚନାଯୋଗ୍ୟ, ପ୍ରଥମେ ହୀରାକୁଦ ୩୪ଟି ଫାଟକ ଖୋଲିଥିବାବେଳେ ମୁଣ୍ଡୁଳିରେ ୧୨ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେଉଥିଲା। ପରେ ୨୮ଟି ଫାଟକ ଜରିଆରେ ହୀରାକୁଦରୁ ଆସୁଥିବା ପାଣି ମୁଣ୍ଡୁଳିରେ ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ୯ ଲକ୍ଷ ୩୩ ହଜାର କ୍ୟୁସେକ୍ ପ୍ରବାହିତ ହେଉଥିବା ଦର୍ଶାଯାଇଛି। ତେବେ ୨୮ଟି ପରେ ଯେଉଁ ୪୦ଟି ଫାଟକ ଦେଇ ଗତକାଲି ପୂର୍ବାହ୍ଣ ପର୍ଯ୍ୟନ୍ତ ଛଡାଯାଇଥିବା ପାଣି ମୁଣ୍ଡୁଳିରେ ପହଞ୍ଚିବା ପରେ କେତେ ବଢିବ ସେ ସଂପର୍କରେ ତଥ୍ୟ ମିଳିପାରିନି। ଏହି ପାଣି ଯଦି ୧୨ ଲକ୍ଷ କ୍ୟୁସେକ୍ରୁ ଅଧିକ ହୁଏ, ତେବେ ତଳମୁଣ୍ଡ ପାଇଁ ବିପଦ ବଢିପାରେ। ଏବେବି ଲୋକମାନେ ଅନେକ ଗାଁରେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଛତିଶଗଡ଼ ସମେତ ଓଡ଼ିଶାର ମହାନଦୀ ଅବବାହିକାରେ ଆସନ୍ତାକାଲି ବର୍ଷା ସମ୍ଭାବନା ବି ରହିଛି। ଏଭଳିସ୍ଥିତିରେ ଉପରୁ ବର୍ଷା ବିପଦ ସହ ମହାନଦୀ ଜଳ ସ୍ତର ବଢିଲେ ବିପତ୍ତି ଅଧିକ ବଢିବା ଆଶଙ୍କା ସୃଷ୍ଟି ହୋଇଛି।
ଏଣେ ତୀବ୍ର ଅବପାତ କାରଣରୁ ଉତ୍ତର ଓଡ଼ିଶାରେ ଲଗାଣ ବର୍ଷା ଆସନ୍ତାକାଲି ପର୍ଯ୍ୟନ୍ତ ହେବାକୁ ଥିବାରୁ ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ସାଳନ୍ଦୀ ଓ ଇବ୍ର ଜଳସ୍ତର ବଢାଇପାରେ। ଏହା ମଧ୍ୟ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଉପଜୁଯାଇବା ଆଶଙ୍କା ରହିଛି। ଏଥିପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ଏନଡିଆରଏଫ, ଓଡ୍ରାପ୍ ଦଳକୁ ମଧ୍ୟ ସେଠାକୁ ପଠାଯାଇଥିବା ଏସଆରସି ଶ୍ରୀ ଜେନା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ତୀବ୍ର ଅବପାତ ବାତ୍ୟା ରୂପ ନେବ ବୋଲି ଆମେରିକୀୟ ସଂସ୍ଥା ଜେଟିଡବ୍ଲ୍ୟୁସି ମଡେଲ ଆକଳନ କରିଥିବା ବେଳେ ଏହାକୁ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ (ଆଇଏମଡି, ଡିଜି) ଡ. ମୃତ୍ୟୁଞ୍ଜୟ ମହାପାତ୍ର ଖଣ୍ଡନ କରିଥିଲେ।
Comments are closed.