ବଡ଼ ବନ୍ୟାର ବିପଦ ନାହିଁ; ଆଜି ମୁଣ୍ଡଳି ଦେଇ ପ୍ରବାହିତ ହେବ ୧୦ଲକ୍ଷ ଘନଫୁଟଜଳ
ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ମହାନଦୀ ଓ ଏହାର ଅବବାହିକାରେ ବନ୍ୟା ପରିସ୍ଥିତି ଦେଖାଦେବ ବୋଲି ଆଗୁଆ ଆକଳନ କରାଯାଇଥିଲା। ତେବେ ଗତ ୨୪ଘଣ୍ଟା ମଧ୍ୟରେ ମହାନଦୀ ଅବବାହିକାର ତଳମୁଣ୍ଡରେ ବର୍ଷା କମିବା ସହିତ ତେଲ ନଦୀ ଅବବାହିକାରେ ମଧ୍ୟ ବର୍ଷା ଛାଡ଼ିଯାଇଛି। ମହାନଦୀରେ ପ୍ରବାହିତ ବନ୍ୟା ଜଳ ମଧ୍ୟରୁ ଆଂଶିକ ପାର୍ଶ୍ବବର୍ତ୍ତୀ ଉପନଦୀ ଓ ଖାଲୁଆ ଅଞ୍ଚଳରେ ପ୍ରବେଶ କରିଛି। ଫଳରେ ନଦୀରେ ପ୍ରବାହିତ ବନ୍ୟା ଜଳର ପରିମାଣ ହ୍ରାସ ପାଉଛି।
ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା ତେଲ ନଦୀର ପଥରଲାଠାରେ ସେକେଣ୍ଡ ପିଛା ୩.୫୩ଲକ୍ଷ ଘନଫୁଟ, ମହାନଦୀର ଖଇରମାଳଠାରେ ସେକେଣ୍ଡ ପିଛା ୫.୧୪ ଲକ୍ଷ ଘନଫୁଟ, ବରମୂଳଠାରେ ୯.୨୦ଲକ୍ଷ ଘନଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି। ମୁଣ୍ଡଳି ଦେଇ ୫ଲକ୍ଷ ୩୫ହଜାର ୬୭୨ ଘନଫୁଟ ଜଳ ପ୍ରବାହିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ଏହାର ପ୍ରାକ ଆକଳନରେ କିଛି ପରିବର୍ତ୍ତନ କରିଛି। ଏବେ ବନ୍ୟା ଜଳ କିଛି ମାତ୍ରାରେ ହ୍ରାସ ପାଉଥିବାରୁ ମୁଣ୍ଡଳିଠାରେ ଆସନ୍ତାକାଲି ସକାଳ ସୁଦ୍ଧା ପ୍ରତି ସେକେଣ୍ଡ ପିଛା ପ୍ରାୟ ୯.୫୦ଲକ୍ଷରୁ ୧୦ଲକ୍ଷ ଘନଫୁଟ ମଧ୍ୟରେ ବନ୍ୟାଜଳ ପ୍ରବାହିତ ହେବ ବୋଲି ଅନୁମାନ କରାଯାଉଛି। ତେଣୁ ବଡ଼ ଧରଣର ବନ୍ୟାର ସମ୍ଭାବନା ନାହିଁ। ମୁଣ୍ଡଳି ଦେଇ ଯେଉଁ ଜଳ ପ୍ରବାହିତ ହେବ େସଥିପାଇଁ ନଦୀବନ୍ଧ ପ୍ରତି ସେତେଟା ବିପଦ ନାହିଁ ବୋଲି କୁହାଯାଇଛି। ଏଭଳି ସ୍ଥିତିରେ ଜନସାଧାରଣ ଆତଙ୍କିତ ନହେବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଜଳସମ୍ପଦ ବିଭାଗ ତଥ୍ୟ ଆଧାରରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସନ୍ଧ୍ୟା ୬ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ନରାଜଠାରେ ମହାନଦୀ, ଆଳିପିଙ୍ଗଳଠାରେ ଦେବୀ, ସୁନ୍ଦରଗଡ଼ଠାରେ ଇବ୍, ଆଖୁଆପଦାଠାରେ ବୈତରଣୀ, ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ୁଛି। ମାତ୍ର ସବୁଠି ଜଳସ୍ତର ବିପଦସଙ୍କେତ ତଳେ ପ୍ରବାହିତ ହେଉଛି। ଅନ୍ୟାନ୍ୟ ନଦୀର ଜଳସ୍ତର ହ୍ରାସପାଉଛି।
ଆଜି ହୀରାକୁଦ ଜଳଭଣ୍ଡାରର ଗୋଟିଏ ଗେଟ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ ହୋଇଥିଲେ ମଧ୍ୟ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଅପରାହ୍ନ ୨ଟା ସୁଦ୍ଧା ଏହାକୁ ବନ୍ଦ କରିଦିଆଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ଫୁଟ ଥିବା ସ୍ଥଳେ ଆଜି ପୂର୍ବାହ୍ନରେ ଫାଟକ ଖୋଲାଯିବାବେଳକୁ ଜଳଭଣ୍ଡାର ଜଳସ୍ତର ୬୧୮ଫୁଟ ଥିଲା। ତେବେ ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାର ଜଳସ୍ତର ୬୧୯.୪୭ଫୁଟ ଥିବାବେଳେ ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୧,୮୨,୨୨୫ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ୧୫,୩୮୨ ଘନଫୁଟ ଜଳ ନିଷ୍କାସିତ ହେଉଥିଲା।
ମହାନଦୀ ଅବବାହିକାରେ ନଦୀବନ୍ଧର ଯେକୌଣସି ସ୍ଥାନରେ ଘଳିଆ ପଡ଼ିବା କିମ୍ବା ବନ୍ୟା ଜଳ ବନ୍ଧ ଉପରେ ପ୍ରବାହିତ ହେବା ସମ୍ପର୍କରେ କୌଣସି ସୂଚନା ପାଇଲେ ତୁରନ୍ତ ନିକଟସ୍ଥ ଜଳସମ୍ପଦ ବିଭାଗର ଅଧିକାରୀଙ୍କ ଦୃଷ୍ଟିକୁ ଆଣିବା ନିମନ୍ତେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଅକ୍ଷୟକୁମାର ବାନାର୍ଜୀ ଜଣାଇଛନ୍ତି। ତେବେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଶାସନକୁ ସଜାଗ ରଖାଯାଇଛି। ପ୍ରଭାବିତ ଅଞ୍ଚଳରେ ୧୫ଟି ଓଡ଼୍ରାଫ ଟିମ, ୩ଟି ଏନଡ଼ିଆରଏଫ ଏବଂ ଅଗ୍ନିଶମ ବାହିନୀ ମୁତୟନ କରାଯାଇଥିବା ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି।
Comments are closed.