ଫୁଲୁଛି ବୈତରଣୀ; ତଳିଆ ଅଞ୍ଚଳରେ ପଶିଲା ପ୍ରଥମ ବନ୍ୟାଜଳ

0

ଆରଡି: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ବୈତରଣୀ ନଦୀର ଉପରମୁଣ୍ଡରେ ଜଳସ୍ତର ବଢିବା ଦ୍ୱାରା ତଳମୁଣ୍ଡ ଅର୍ଥାତ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳ ଭାବେ ପରିଚିତ ସୁନ୍ଦରପୁର, ଓଳଗ, ନାନ୍ଦପୁର ଓ ଆରଡି ପଞ୍ଚାୟତରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପୁଜିଛି। ଏପଟେ ଆଗକୁ ପୂର୍ଣ୍ଣିମା ତିଥି ଥିବାରୁ ସମୁଦ୍ର ଜୁଆରିଆ ରହିବା ସହ ବୈତରଣୀ ନଦୀ ଫୁଲିବାରେ ଲାଗିଛି। ଫଳରେ ବୈତରଣୀ ନଦୀର ଉପରମୁଣ୍ଡରୁ ଆସୁଥିବା ବନ୍ୟାଜଳ ନିଷ୍କାସନରେ ବାଧା ସୃଷ୍ଟି ହୋଇଛି ।


ଉପରମୁଣ୍ଡର ବନ୍ୟାଜଳ ଓ ତଳମୁଣ୍ଡରେ ଜୁଆର ପାଣି ବୈତରଣୀ ନଦୀ ଜଳସ୍ତରକୁ ଦ୍ବିଗୁଣିତ କରିଥିବାରୁ ବିଭିନ୍ନ ଏସକେପ୍ ଓ ମାହାର ଦେଇ ତଳିଆ ଅଞ୍ଚଳ ଗୁଡିକରେ ପ୍ରଥମ ବନ୍ୟାଜଳ ପ୍ରବେଶ କରିବା ସହ ଶହଶହ ହେକ୍ଟର ସାରଦ ଧାନକ୍ଷେତରେ ବନ୍ୟାଜଳ ଲହଡି ଭାଙ୍ଗୁଛି । ତାହାସହ ବୈତରଣୀ ନଦୀର ସୁନ୍ଦରପୁର ଠାରେ ଧଲେଇତି ମାହାରା ନିକଟରେ ଖରାଦିନେ ବେଆଇନ ଭାବେ ବାଲି ଉତ୍ତୋଳନ କରୁଥିବାରୁ ସେଠାରେ ନଦୀବନ୍ଧ ଅତି ଦୁର୍ବଳ ଅବସ୍ଥାରେ ରହିଛି। ଫଳରେ ଏବେ ବୈତରଣୀରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତ ଦେଖା ଦେଇଥିବାରୁ ସେଠାରେ ବିପଦ ଦେଖା ଦେଇଛି। ଏପରିକି ଜଳସେଚନ ବିଭାଗ ପକ୍ଷରୁ ଉକ୍ତ ଧଲେଇତିମାହାରା ବନ୍ଧରେ ବାଲିବସ୍ତା ପକା ଯାଇଥିଲେ ମଧ୍ୟ ଯଦି ସଂଧ୍ୟା ସୁଧା ନଦୀରେ ଜଳସ୍ତର ବୃଦ୍ଧି ପାଏ ତାହାଲେ ସେଠାରେ ଘାଇ ସୃଷ୍ଟି ହେବ ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି।

Leave A Reply