ସିଫାରେ ମତ୍ସ୍ୟଜ୍ଞାନ ଉତ୍ସବ: ଜୀବନ୍ତ ମଧୁରମାଛ ସଂପର୍କରେ ଜ୍ଞାନ ଆହରଣ

ପିପିଲି :ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ପକ୍ଷରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଦିବସୀୟ ମତ୍ସ୍ୟଜ୍ଞାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ୱର, ପିପିଲି ସମେତ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଏକ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଯୋଗଦେଇ ବିଭିନ୍ନ ପ୍ରକାର ଜୀବନ୍ତ ମଧୁରମାଛ ସଂପର୍କରେ ଜ୍ଞାନ ଆହରଣ କରିଥିଲେ।
ବିଜ୍ଞାନକୁ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ସିଫା ପକ୍ଷରୁ କରାଯାଉଥିବା ବିଭିନ୍ନ ଫ୍ଲାଗ୍ସିପ୍ କାର୍ଯ୍ୟକ୍ରମ ମଧ୍ୟରୁ ଏହା ଅନ୍ୟତମ ଥିଲା। ଛାତ୍ରଛାତ୍ରୀମାନଙ୍କୁ ମାଛମାନଙ୍କ ପ୍ରଜାତି ଚିହ୍ନଟ ସହ ମାଛଚାଷ କିପରି ଖାଦ୍ୟ ନିରାପତ୍ତାରେ ସାହାଯ୍ୟ କରୁଛି, ଜୀବିକା ନିର୍ବାହର ମାଧ୍ୟମ ଓ ପରିବେଶ ସୁରକ୍ଷାରେ ସହାୟକ ହୋଇପାରୁଛି ସେ ସଂପର୍କରେ ଅବଗତ କରାଯାଇଥିଲା। ଏଥିରେ ବିଜ୍ଞାନ ପ୍ରଦର୍ଶନୀ, ଜୀବନ୍ତ ମାଛ ପ୍ରଦର୍ଶନ, ଶିକ୍ଷାର୍ଥୀ ଓ ବୈଜ୍ଞାନିକଙ୍କ ମଧ୍ୟରେ ଭାବ ବିନିମୟର ଏକ ସୁଯୋଗ ସୃଷ୍ଟି କରିଥିଲା।

ତତ୍ସହିତ ଜଳକୃଷି ଉପରେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରଦର୍ଶନ ସହ ଡ୍ରୋନ୍ ମାଧ୍ୟମରେ କିପରି ମାଛଖାଦ୍ୟ ପୋଖରୀରେ ପକାଯାଉଛି ତାହା ପ୍ରଦର୍ଶନ କରାଯାଇଥିଲା। ଏହି ପ୍ରଦର୍ଶନୀରେ ୨୫ଗୋଟି ଆକ୍ୱାରିୟମରେ ଥିବା ଜୈବ ବିବିଧତା ସଂପନ୍ନ ମଧୁରମାଛ ଗୁଡ଼ିକୁ ଛାତ୍ରଛାତ୍ରୀମାନେ ବୁଲି ଦେଖିଥିଲେ। ମୃତ୍ତିକା ଓ ଜଳ ପରୀକ୍ଷଣ, ମାଛଖାଦ୍ୟ ପ୍ରସ୍ତୁତ ପ୍ରଣାଳୀ, ମାଛରୋଗ ଓ ତାର ନିରାକରଣ ସଂପର୍କରେ ଶିକ୍ଷାର୍ଥୀମାନଙ୍କୁ ଅବଗତ କରାଯାଇଥିଲା। ଛାତ୍ରଛାତ୍ରୀମାନେ ବ୍ୟବହାରିକ ଜ୍ଞାନ ପାଇଁ ବିଭିନ୍ନ ବୈଜ୍ଞାନିକ ଉପକରଣ ଗୁଡ଼ିକୁ ଦେଖିବା ସହ ତାର ବ୍ୟବହାର ମଧ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମରେ କୃଷିବିଜ୍ଞାନ କେନ୍ଦ୍ର, ମିଶନଶକ୍ତି, ଷ୍ଟେଟ୍ବ୍ୟାଙ୍କ ଏବଂ ଓମ୍ଫେଡ୍ ପକ୍ଷରୁ ବିଭିନ୍ନ ପ୍ରଦର୍ଶନୀ କରାଯାଇଥିଲା।

ସିଫାର ନିର୍ଦ୍ଦେଶକ ଡ. ପ୍ରମୋଦ କୁମାର ସାହୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ଅବସରରେ ଏହି ମତ୍ସ୍ୟଜ୍ଞାନ ଉତ୍ସବ କିଶୋରମାନଙ୍କ ବୈଜ୍ଞାନିକ ଅନୁସନ୍ଧିତ୍ସତାକୁ ବୃଦ୍ଧି କରିବାରେ ସହାୟକ ହେବ ଓ ସେମାନେ ବିଜ୍ଞାନକୁ ଗଭୀର ଭାବରେ ବୁଝିବା ସହିତ ମତ୍ସ୍ୟ ବିଜ୍ଞାନରେ ନିଜର କ୍ୟାରିଅର ଗଠନ ପାଇଁ ଉତ୍ସାହିତ ହେବେ ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମଟି ଶ୍ରେଣୀ ଗୃହ ବାହାରେ ପିଲାମାନଙ୍କୁ ଜ୍ଞାନ ଆହରଣ କରିବାରେ ଯଥେଷ୍ଟ ସାହାଯ୍ୟ କରିବ ବୋଲି ଯୋଗଦାନ କରିଥିବା ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନେ ମତପ୍ରକାଶ କରିଥିଲେ।

Comments are closed.