ଝାରସୁଗୁଡ଼ା : ଆର୍ଥିକ ଅପରାଧୀମାନେ ଫୋନ ବା ଅନଲାଇନ ଜରିଆରେ ଲୋକଙ୍କୁ ଠକି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗ ହୋଇଆସୁଥିବାରୁ ଝାରସୁଗୁଡ଼ା ପୁଲିସ ସଚେତନତା ଅଭିଯାନ ଆରମ୍ଭ କରିଛି। ଏଣିକି ଜିଲାର ବ୍ୟାଙ୍କ ସମୂହର ସହୟତାରେ ଜିଲାବାସୀଙ୍କୁ ସ୍ଥାନୀୟ ଭାଷାରେ ସଚେତନ କରାଯିବ ବୋଲି ପୁଲିସ ସୂତ୍ରରୁ କୁହାଯାଇଛି। ଆଜି ଏନେଇ ଏସପିଙ୍କ ନେତୃତ୍ୱରେ ପୁଲିସ କର୍ତ୍ତୃପକ୍ଷ ଏସବିଆଇ ମୁଖ୍ୟ ଶାଖାରେ ଲିଡ ବ୍ୟାଙ୍କ ମ୍ୟାନଜର ଓ ଅନ୍ୟମାନଙ୍କ ସହ ଆଲୋଚନା କରିଥିଲେ। ଏହି କ୍ରମରେ ବ୍ୟାଙ୍କ ଗୁଡ଼ିକ ପକ୍ଷରୁ ପ୍ରତିଦିନ ନିଜ ନିଜ ଗ୍ରାହକଙ୍କୁ ଫୋନ କରି ଆର୍ଥିକ ଠକାମୀ ସଂକ୍ରାନ୍ତରେ ସଚେତନ କରିବାକୁ ଏସପି ପରାମର୍ଶ ଦେଇଥିଲେ। ଏହା ଛଡ଼ା ପ୍ରତିଦିନ ଭିନ୍ନ ଭିନ୍ନ ବ୍ୟାଙ୍କ କର୍ତ୍ତୃପକ୍ଷ ସ୍ଥାନୀୟ ଭାଷାରେ ମାଇକିଂ କରି ଲୋକଙ୍କୁ ସଚେତନ କରିବା ଉପରେ ଏସପି ଗୁରୁତ୍ୱାରୋପ କରିଥିଲେ। ଗ୍ରାହକଙ୍କୁ କୌଣସି ଦ୍ୱିଧା ହେଲେ ବ୍ୟାଙ୍କ କିମ୍ବା ପୁଲିସକୁ ଫୋନ କରିବାକୁ ସଚେତନ କରିବାକୁ କହିଥିଲେ। ଏସପି ରାହୁଲ ପିଆର ଓ ଲିଡ ବ୍ୟାଙ୍କ ମ୍ୟାନେଜରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
Popular Categories



