ରାଉରକେଲା : ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ହକି ୨୦୨୨-୨୩ ସଂସ୍କରଣର ଭାରତ ଘରୋଇ ଅଭିଯାନ ଶେଷକରିଛି। ବୁଧବାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଶେଷ ଲିଗ୍ ମ୍ୟାଚ୍ରେ ଭାରତ ପେନାଲ୍ଟି ସୁଟ୍ଆଉଟ୍ ସଡନଡେଥ୍ ୨-୨ (୪-୩) ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ମ୍ୟାଚ ନିର୍ଦ୍ଧାରିତ ସମୟ ୨-୨ ଗୋଲ ବରାବର ରହିବାରୁ ପେନାଲ୍ଟି ସୁଟ୍ଆଉଟ୍ର ଆଶ୍ରୟ ନିଆଯାଇଥିଲା। ପେନାଲ୍ଟି ସୁଟ୍ଆଉଟ୍ ୩-୩ ଗୋଲ ବରାବର ରହିବାରୁ ସଡନଡେଥ୍ ହୋଇଥିଲା। ଏଥିରେ ଭାରତ ୧-୦ଗୋଲରେ ବିଜୟୀ ହୋଇଥିଲା। ଏହି ବିଜୟ ସହ ଭାରତ ଶୀର୍ଷ ସ୍ଥାନ ବଜାୟ ରଖିଛି। ଭାରତ ୮ଟି ମ୍ୟାଚରୁ ୫ଟି ବିଜୟ, ଦୁଇଟି ସୁଟ୍ଆଉଟ୍ ବିଜୟ ଓ ଗୋଟିଏ ପରାଜୟ ସହ ୧୯ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ଭାରତ ମେ ୨୬ରେ ପରବର୍ତ୍ତୀ ମ୍ୟାଚ ଲଣ୍ଡନରେ ବେଲଜିୟମ ବିପକ୍ଷରେ ଖେଳିବ।
ପ୍ରଥମ ରାଉଣ୍ଡରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବା ଭାରତ ଘରୋଇ ପଡ଼ିଆେର ଶେଷ ମ୍ୟାଚରେ ଉତ୍ସାହର ସହିତ ଖେଳିଥିଲା। ପ୍ରଥମ ମିନିଟ୍ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ବିବେକ ସାଗର ପ୍ରସାଦ ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ପ୍ରଥମ କ୍ବାର୍ଟର ସୁଦ୍ଧା ଭାରତ ୧-୦ରେ ଆଗୁଆ ରହିଥିଲା। ୨ୟ କ୍ବାର୍ଟରରେ ଉଭୟ ଦଳ ଗୋଲ ଦେବା ନେଇ ଆକ୍ରମଣ ଓ ପ୍ରତି ଆକ୍ରମଣ କରିଥିଲେ । ୨୦ ମିନିଟ୍ରେ ଅଷ୍ଟ୍ରେଲିଆକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଗୋଲ ବରାବର କରିବା ନେଇ ଦଳ ନିକଟରେ ସୁଯୋଗ ଥିଲେ ମଧ୍ୟ ଏହାକୁ ହାତଛଡ଼ା କରିଥିଲା। ଭାରତ ୨୩ ମିନିଟ୍ରେ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ଗୋଲ ଦେବାରେ ବିଫଳ ହୋଇଥିଲା। ଦ୍ବିତୀୟ କ୍ବାର୍ଟର ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୧-୦ରେ ଆଗୁଆ ରହିଥିଲା। ୩୬ ମିନିଟ୍ରେ ଅଷ୍ଟ୍ରେଲିଆ ଗୋଲ ବରାବର କରି ନେଇଥିଲା। ନାଥନ ଏଫରାଓମୁସ୍ ଗୋଲ ଦେଇ ମ୍ୟାଚକୁ ୧-୧ ବରାବର କରି ନେଇଥିଲା। ତୃତୀୟ କ୍ବାର୍ଟର ସୁଦ୍ଧା ଖେଳ ୧-୧ ଗୋଲ ବରାବର ରହିଥିଲା। ଅନ୍ତିମ କ୍ବାର୍ଟର ଆରମ୍ଭରୁ ଭାରତ ଗୋଲ ଦେଇ ଅଗ୍ରଣୀ ହାସଲ କରିଥିଲା। ୪୬ ମିନିଟ୍ରେ ସୁଖଜିତ ସିଂହ ଗୋଲ ଦେଇ ଭାରତକୁ ୨-୧ରେ ଆଗୁଆ କରିଥିଲେ। ଅଷ୍ଟ୍ରେଲିଆ ଗୋଲ ବରାବର କରିବା ନେଇ ଉଦ୍ୟମ କରିଥିଲା। ୫୧ ମିନିଟ୍ରେ ଅଷ୍ଟ୍ରେଲିଆକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଟମ୍ ହେୱାର୍ଡ ଗୋଲରେ ପରିଣତ କରି ମ୍ୟାଚକୁ ୨-୨ ବରାବର କରିଥିଲେ। ଶେଷ ମିନିଟ୍ ପର୍ଯ୍ୟନ୍ତ ଉଭୟ ଦଳ ଆଉ କେହି କାହାରିକୁ ଗୋଲ ଦେବାରେ ସଫଳ ହୋଇନଥିଲେ। ନିର୍ଦ୍ଧାରିତ ସମୟ ୨-୨ ରହିବାରୁ ପେନାଲ୍ଟି ସୁଟ୍ଆଉଟ୍ ହୋଇଥିଲା। ପେନାଲ୍ଟି ସୁଟ୍ଆଉଟରେ ଭାରତ ପକ୍ଷରୁ ହରମନପ୍ରୀତ ସିଂହ, ଦିଲ୍ପ୍ରୀତ ସିଂହ, ସୁଖଜିତ ସିଂହ ଗୋଲ ଦେଇଥିଲେ। ଅଷ୍ଟ୍ରେଲିଆ ୩-୧ରେ ଆଗୁଆ ରହିଥିଲା। ଭାରତୀୟ ଗୋଲରକ୍ଷକ ପି.ଆର ଶ୍ରୀଜେଶ କ୍ରମାଗତ ୩ଟି ସୁଟ୍ଆଉଟ୍କୁ ରୋକି ଦଳକୁ ବିଜୟୀ କରାଇଥିଲେ। ପ୍ରଥମ ରାଉଣ୍ଡରେ ଭାରତ ୫-୪ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ବିବେକ ସାଗର ପ୍ରସାଦ ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ଅଷ୍ଟ୍ରେଲିଆ ୮ଟି ମ୍ୟାଚ୍ରୁ ୨ଟି ବିଜୟ, ୨ଟି ସୁଟ୍ଆଉଟ୍ ପରାଜୟ ଓ ୪ଟି ପରାଜୟ ସହ ୮ ପଏଣ୍ଟ ପାଇ ୬ଷ୍ଠ ସ୍ଥାନରେ ରହିଛି। ୧୦ରୁ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମରେ ଜର୍ମାନୀ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି ଉତ୍ସବ ଶେଷହୋଇଛି। ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ସଡନଡେଥ୍ରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ
Popular Categories



