କୋଷ୍ଟାରିକାକୁ ୨-୦ରେ ହରାଇଲା ବ୍ରାଜିଲ
ସେଣ୍ଟ୍ ପିଟର୍ସବର୍ଗ : ଶୁକ୍ରବାର ଏଠାରେ ଖେଳାଯାଇଥିବା ବିଶ୍ୱକପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଏକ ଗ୍ରୁପ୍ ‘ଇ’ ମ୍ୟାଚରେ ବ୍ରାଜିଲ ୨-୦ ଗୋଲରେ କୋଷ୍ଟାରିକାକୁ ପରାସ୍ତ କରିଛି। ମ୍ୟାଚର ଅନ୍ତିମ କ୍ଷଣରେ ଦୁଇଟି ଗୋଲ ସ୍କୋର କରି ବ୍ରାଜିଲ ଦଳ ନାଟକୀୟ ବିଜୟ ହାସଲ କରିଛି। ଏହି ବିଜୟ ସହ ବ୍ରାଜିଲ ଦୁଇଟି ମ୍ୟାଚରୁ ୪ ପଏଣ୍ଟ ହାସଲ କରି ଏହି ଗ୍ରୁପ୍ରୁ ପ୍ରିକ୍ୱାର୍ଟର ଖେଳିବା ଆଶାକୁ ଉଜ୍ଜୀବିତ ରଖିପାରିଛି। ଏହି ପରାଜୟ ସହ କୋଷ୍ଟାରିକା ଚଳିତ ବିଶ୍ୱକପ୍ରୁ ବିଦାୟ ନେଇଛି।
ଶୁକ୍ରବାର ମ୍ୟାଚରେ ବ୍ରାଜିଲ ଦଳ ଫେଭରିଟ୍ ମାନ୍ୟତା ସହ ପଡିଆକୁ ଓହ୍ଲାଇଥିଲା। ଆଶାନୁଯାୟୀ ତାରକା ଖଚିତ ବ୍ରାଜିଲ ପ୍ରାରମ୍ଭରୁ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ପ୍ରଥମାର୍ଦ୍ଧର ଅଧିକାଂଶ ସମୟ ବ୍ରାଜିଲ ବଲକୁ ନିଜ ନିୟନ୍ତ୍ରଣରେ ରଖିଥିଲା। ପ୍ରଥମ ତିନି ମିନିଟ ମଧ୍ୟରେ ବ୍ରାଜିଲ ଗୋଲ ଦେବାର ଦୁଇଟି ସୁଯୋଗ ପାଇଥିଲେ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିପାରିନଥିଲା। କୋଷ୍ଟାରିକା ପେନାଲଟି ଏରିଆରେ ବଲ ପାଇ ସୁଦ୍ଧା ବ୍ରିୟାନ ରୁଇଜ୍ ନିୟନ୍ତ୍ରଣ ହରାଇବାରୁ ଏହି ସୁଯୋଗ ହାତଛଡା ହୋଇଥିଲା। ଏକ ମିନିଟ ବ୍ୟବଧାନରେ ଫିଲିପ କୁଟିନୋଙ୍କ ଶକ୍ତିଶାଳୀ ସଟ୍ କୋଷ୍ଟାରିକା ଗୋଲପୋଷ୍ଟ୍ର କ୍ରସବାର ଉପର ଦେଇ ଚାଲିଯାଇଥିଲା। ୧୦ ମିନିଟରେ ନିଏମାରଙ୍କ ଫ୍ରିକିକ୍କୁ କୋଷ୍ଟାରିକା ରକ୍ଷଣଭାଗ ଖେଳାଳି ଅଟକାଇଥିଲେ। ୧୨ ମିନିଟରେ ପ୍ରତିପକ୍ଷ ଖେଳାଳିଙ୍କ ସହ ଧକ୍କା ହେବାରୁ ବ୍ରାଜିଲର କାସିମିରୋ ନାକରେ ଆଘାତ ପାଇ ପଡିଆରୁ ବାହାରି ଯାଇଥିଲେ। କୋଷ୍ଟାରିକା ଦଳ ମଧ୍ୟ ପ୍ରତିଆକ୍ରମଣରୁ ଏକାଧିକ ସୁଯୋଗ ସୃଷ୍ଟି କରିଥିଲା। କ୍ରିଷ୍ଟିଆନ ଗାମ୍ବୋଆ ଓ ସେଲସୋ ବୋର୍ଜେସ ବ୍ରାଜିଲ ଗୋଲପୋଷ୍ଟକୁ ଲକ୍ଷ୍ୟ କରି ସଟ୍ ମାରିଥିଲେ ସୁଦ୍ଧା ଅଳ୍ପକେ ଲକ୍ଷ୍ୟଭ୍ରଷ୍ଟ ହୋଇଥିଲେ। ୨୬ ମିନିଟରେ ମାର୍ସେଲୋଙ୍କଠାରୁ ପାସ୍ ପାଇ ଗାବ୍ରିଏଲ ଜିସସ୍ ବ୍ରାଜିଲ ତରଫରୁ ଗୋଲ ସ୍କୋର କରିଥିଲେ ସୁଦ୍ଧା ରେଫେରୀ ଏହାକୁ ଅଫ୍ସାଇଡ ଘୋଷଣା କରିଥିଲେ। ପ୍ରଥମାର୍ଦ୍ଧର ଶେଷଆଡକୁ ବ୍ରାଜିଲ ଖେଳାଳି କୁଟିନୋ, ୱିଲିଆନ୍ ଓ ନିଏମାର ପ୍ରତିପକ୍ଷ ଗୋଲପୋଷ୍ଟକୁ ଲକ୍ଷ୍ୟ କରି ସଟ୍ ମାରିଥିଲେ ସୁଦ୍ଧା ଗୋଲ ଦେବାରେ ସକ୍ଷମ ହୋଇନଥିଲେ। ଫଳସ୍ୱରୂପ ମଧ୍ୟାନ୍ତର ସୁଦ୍ଧା ମ୍ୟାଚ ଗୋଲଶୂନ୍ୟ ରହିଥିଲା।
ବିରତି ପରେ ବ୍ରାଜିଲ ଦଳକୁ ଅଧିକ ଆକ୍ରମଣାତ୍ମକ ମୁଦ୍ରାରେ ଦେଖିବାକୁ ମିଳିଥିଲା। ୱିଲିଆନଙ୍କ ବଦଳରେ ଡଗଲାସ କୋଷ୍ଟା ପଡିଆକୁ ପ୍ରବେଶ କରିଥିଲେ। ୪୯ ମିନିଟରେ ଜେସସ୍ଙ୍କ ସଟ୍ କୋଷ୍ଟାରିକା ଗୋଲରକ୍ଷକ କେଲର ନାଭାସଙ୍କୁ ପରାସ୍ତ କରିଥିଲେ ସୁଦ୍ଧା ବଲ ଗୋଲପୋଷ୍ଟ ବାର୍ରେ ବାଜି ଫେରିଆସିଥିଲା। ବ୍ରାଜିଲ ଖେଳାଳିଙ୍କ ଏକାଧିକ ସଟ୍କୁ ନାଭାସ ଅଟକାଇବାରେ ସଫଳ ହୋଇଥିଲେ। ୭୨ ମିନିଟରେ କୋଷ୍ଟାରିକା ପେନାଲଟି ଏରିଆ ନିକଟରେ ବଲ ପାଇଥିଲେ ସୁଦ୍ଧା ନିଏମାରଙ୍କ ସଟ୍ ଗୋଲପୋଷ୍ଟକୁ ଭେଦ କରିପାରିନଥିଲା। ୭୮ ମିନିଟରେ ନିଏମାରଙ୍କୁ ଫାଉଲ କରାଯାଇଥିବା ଅଭିଯୋଗରେ ବ୍ରାଜିଲ ଖେଳାଳି ପେନାଲଟି କିକ୍ ଦାବି କରିଥିଲେ। ତେବେ ଭିଡିଓ ଫୁଟେଜକୁ ଅନୁଧ୍ୟାନ କରାଯିବାପରେ ମୁଖ୍ୟ ରେଫେରୀ ଏହାକୁ ନାକଚ କରିଦେଇଥିଲେ। ଏହି ମ୍ୟାଚ ଗୋଲଶୂନ୍ୟ ଭାବେ ଶେଷ ହେବା ନିଶ୍ଚିତ ଜଣାପଡୁଥିବାବେଳେ ଅନ୍ତିମ ଲଗ୍ନରେ ବ୍ରାଜିଲ ଦଳ ଚମତ୍କାର ପ୍ରଦର୍ଶନ ଜରିଆରେ ଦୁଇଟି ଗୋଲ ସ୍କୋର କରିଥିଲା। ୯୧ ମିନିଟରେ କୁଟିନୋ ଗୋଲ ସ୍କୋର କରି ବ୍ରାଜିଲକୁ ୧-୦ରେ ଆଗୁଆ କରିଥିଲେ। ଇନ୍ଜ୍ୟୁରୀ ସମୟର ୬ ମିନିଟରେ ଅର୍ଥାତ ୯୭ ମିନିଟରେ ନିଏମାରଙ୍କ ଗୋଲ ବଳରେ ବ୍ରାଜିଲ ୨-୦ ଗୋଲରେ ବିଜୟୀ ହୋଇଥିଲା।