ଅଷ୍ଟ୍ରେଲିଆକୁ ୨-୧ରେ ହରାଇଲା ଫ୍ରାନ୍ସ
କାଜାନ୍ : ୧୯୯୮ର ଚମ୍ପିଆନ ଦଳ ଫ୍ରାନ୍ସ ବିଜୟ ସହ ଚଳିତ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି। ଶନିବାର ଏଠାରେ ଖେଳାଯାଇଥିବା ଗ୍ରୁପ୍-ସି’ର ଏକ ମ୍ୟାଚରେ ଫ୍ରାନ୍ସ ୨-୧ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଫ୍ରାନ୍ସ ଅପେକ୍ଷାକୃତ ଶକ୍ତିଶାଳୀ ଦଳ ହୋଇଥିଲେ ସୁଦ୍ଧା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ନିକଟରୁ କଡା ମୁକାବିଲାର ସମ୍ମୁଖୀନ ହେବାକୁ ପଡିଥିଲା। ମ୍ୟାଚ ପ୍ରାରମ୍ଭରେ ଫ୍ରାନ୍ସ ଦଳ ଆକ୍ରମଣାତ୍ମକ ରଣନୀତି ଅବଲମ୍ବନ କରି ପ୍ରତିପକ୍ଷ ଗୋଲ ଏରିଆରେ ଚାପ ସୃଷ୍ଟି କରିଥିଲା। ପ୍ରଥମାର୍ଦ୍ଧର ୨ ମିନିଟରେ ଫ୍ରାନ୍ସକୁ କର୍ଣ୍ଣର କିକ୍ ମିଳିଥିଲା। ତେବେ ଅଷ୍ଟ୍ରେଲିଆ ଗୋଲରକ୍ଷକ ଏହାକୁ ପଞ୍ଚ୍ ମାରି ବାହାରକୁ ପଠାଇ ଦେଇଥିଲେ। ଏକ ମିନିଟ ବ୍ୟବଧାନରେ ଫ୍ରାନ୍ସର ତାରକା ଖେଳାଳି ପଲ୍ ପୋଗ୍ବାଙ୍କ ଶକ୍ତିଶାଳୀ ସଟ୍ ସିଧାସଳଖ ଅଷ୍ଟ୍ରେଲିଆ ଗୋଲରକ୍ଷକଙ୍କ ହାତକୁ ଯାଇଥିଲା। ପ୍ରଥମାର୍ଦ୍ଧର କୋଡିଏ ମିନିଟ ପର୍ଯ୍ୟନ୍ତ ଫ୍ରାନ୍ସ ଫରୱାର୍ଡବାହିନୀ ପ୍ରାଧାନ୍ୟ ବିସ୍ତାର କରିଥିଲେ। ୧୭ ମିନିଟରେ ଅଷ୍ଟ୍ରେଲିଆକୁ ସୁବର୍ଣ୍ଣ ସୁଯୋଗ ମିଳିଥିଲେ ସୁଦ୍ଧା ସେନ୍ସବରି ଏହାର ସଦୁପଯୋଗ କରିପାରିନଥିଲେ। ୩୦ ମିନିଟରେ ଫ୍ରାନ୍ସ ଫରୱାର୍ଡ ଆଣ୍ଟୋଇନ୍ ଗ୍ରିଜ୍ମ୍ୟାନ ପ୍ରାୟ ତିରିଶ ଗଜ ଦୂରରୁ ଶକ୍ତିଶାଳୀ ସଟ୍ ମାରିଥିଲେ ସୁଦ୍ଧା ଏହା ଅଳ୍ପକେ ଅଷ୍ଟ୍ରେଲିଆ ଗୋଲପୋଷ୍ଟ ଉପର ଦେଇ ଚାଲିଯାଇଥିଲା। ଚାପରେ ଥାଇ ସୁଦ୍ଧା ଅଷ୍ଟ୍ରେଲିଆ ଦଳର ପ୍ରତିଆକ୍ରମଣ ଜାରି ରହିଥିଲା। ୪୫ ମିନିଟରେ ସେମାନଙ୍କୁ ଆଉ ଏକ ସୁଯୋଗ ମିଳିଥିଲେ ସୁଦ୍ଧା ବେହିକ୍ ଏହାକୁ କାର୍ଯ୍ୟକାରୀ କରିପାରିନଥିଲେ। ଫଳରେ ମଧ୍ୟାନ୍ତର ସୁଦ୍ଧା ମ୍ୟାଚ ଗୋଲଶୂନ୍ୟ ରହିଥିଲା।
ଦ୍ୱିତୀୟାର୍ଦ୍ଧରେ ଫ୍ରାନ୍ସ ଦଳ ଆକ୍ରମଣାତ୍ମକ ଆଭିମୁଖ୍ୟ ଅବ୍ୟାହତ ରଖିଥିଲା। ୫୪ ମିନିଟରେ ପୋଗ୍ବାଙ୍କ ସଟ୍ ଅଷ୍ଟ୍ରେଲିଆ ପେନାଲଟି ଏରିଆ ମଧ୍ୟରେ ପ୍ରତିପକ୍ଷ ଖେଳାଳିଙ୍କ ହାତରେ ବାଜିଥିଲା। ଫ୍ରାନ୍ସ ଖେଳାଳିଙ୍କ ଦାବି ସତ୍ତ୍ବେ ରେଫରୀ ପେନାଲଟି କିକ୍ ନିର୍ଦେଶ ଦେଇନଥିଲେ। ତେବେ ଫ୍ରାନ୍ସ ଦଳ ଭିଡିଓ ରିପ୍ଲେର ସହାୟତା ନେଇ ସଫଳ ହୋଇଥିଲେ। ୫୮ ମିନିଟରେ ଗ୍ରିଜ୍ମ୍ୟାନ ଏହି କିକ୍କୁ ଗୋଲରେ ପରିବର୍ତ୍ତନ କରି ଫ୍ରାନ୍ସକୁ ୧-୦ରେ ଆଗୁଆ କରିଥିଲେ। ଦୁଇ ମିନିଟ ବ୍ୟବଧାନରେ ଅର୍ଥାତ ୬୦ ମିନିଟରେ ଫ୍ରାନ୍ସ ଡିଫେଣ୍ଡର ସାମୁଏଲ ଉମ୍ତିତି ନିଜ ପେନାଲଟି ଏରିଆରେ ହେଡ୍ କରିବାକୁ ଉଦ୍ୟତ ହେଉଥିବାବେଳେ ତାଙ୍କ ହାତରେ ବଲ ବାଜିଥିଲା। ଫଳରେ ଅଷ୍ଟ୍ରେଲିଆକୁ ପେନାଲଟି କିକ୍ ମିଳିଥିଲା। ଜେଡିନାକ୍ କୌଣସି ତ୍ରୁଟି ନ ଦର୍ଶାଇ ଏହାକୁ ଫ୍ରାନ୍ସ ଗୋଲପୋଷ୍ଟ ମଧ୍ୟକୁ ପଠାଇ ମ୍ୟାଚକୁ ୧-୧ ସ୍ଥିତିକୁ ଆଣିଥିଲେ। ୬୯ ମିନିଟରେ ଫ୍ରାନ୍ସ ପ୍ରଶିକ୍ଷକ ଗ୍ରିଜ୍ମ୍ୟାନଙ୍କ ପରିବର୍ତ୍ତେ ଅଲିଭର ଜିରୋଡ୍ଙ୍କୁ ପଡିଆକୁ ଓହ୍ଲାଇଥିବାବେଳେ ଅଷ୍ଟ୍ରେଲିଆ ମଧ୍ୟ ଦୁଇଜଣ ଖେଳାଳିଙ୍କୁ ପରିବର୍ତ୍ତନ କରିଥିଲା। ୮୧ ମିନିଟରେ ପୋଗ୍ବାଙ୍କ ସଟ୍ ଅଷ୍ଟ୍ରେଲିଆ ଗୋଲପୋଷ୍ଟ୍ର କ୍ରସବାର୍ରେ ବାଜି ଭିତରେ ପ୍ରବେଶ କରିଥିଲା। ଉରୁଗୁଏ ରେଫେରୀ ଆଣ୍ଡ୍ରିଆସ୍ କୁନ୍ହା ନିଜର ହାତଘଣ୍ଟାରେ ଥିବା ଗୋଲଲାଇନ ମନିଟରକୁ ଅନୁଧ୍ୟାନ କରି ଏହାକୁ ବୈଧ ଘୋଷଣା କରିବା ଫଳରେ ଫ୍ରାନ୍ସ ୨-୧ ଗୋଲରେ ବିଜୟୀ ହୋଇଥିଲା। ଏହି ବିଜୟ ଫଳରେ ଫ୍ରାନ୍ସକୁ ୩ ପଏଣ୍ଟ ମିଳିଥିବାବେଳେ ଅଷ୍ଟ୍ରେଲିଆ କୌଣସି ପଏଣ୍ଟ ପାଇନାହିଁ। ଆସନ୍ତା ୨୧ରେ ଫ୍ରାନ୍ସ ତାହାର ପରବର୍ତ୍ତୀ ମ୍ୟାଚରେ ପେରୁକୁ ଭେଟିବ।