ସମବାୟ ସମିତି ସଭାପତିଙ୍କୁ କୃଷିମନ୍ତ୍ରୀଙ୍କ ସମ୍ବର୍ଦ୍ଧନା
ଆଠଗଡ : ଆଠଗଡ ଓ ତିଗିରିଆ ବ୍ଲକ ଅନ୍ତର୍ଗତ ୩୫ଟି ପ୍ରାଥମିକ କୃଷି ସେବା ସମବାୟ ସମିତିର ନବନିର୍ବାଚିତ ସଭାପତିଙ୍କୁ ବୁଧବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମ୍ବର୍ଦ୍ଧିତ କରିଛନ୍ତି। ସମବାୟ ବ୍ୟାଙ୍କର ପୂର୍ବତନ ନିର୍ଦ୍ଦେଶକ ନୃସିଂହ ଚରଣ ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମବାୟ ସମିତି ଗୁଡିକରେ ସ୍ୱଚ୍ଛତା ଅବଲମ୍ବନ କରିବା ସହ କୃଷକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ଲାଗି ନବନିର୍ବାଚିତ ସଭାପତିମାନଙ୍କୁ ପରାମର୍ଶ ଦେଇଥିଲେ । ଏଥି ସହିତ ନିକଟରେ ରାଜ୍ୟ ସରକାର ଖରିଫ ଧାନଚାଷ ପାଇଁ କୃଷକମାନଙ୍କ ପାଇଁ ବିନା ସୁଧରେ ୧ଲକ୍ଷ ଟଙ୍କା ଋଣ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଥିବାରୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ।
ଆଠଗଡ ଓ ତିଗିରିଆ ବ୍ଲକର ମୋଟ ୩୭ଟି ପ୍ରାଥମିକ କୃଷି ସେବା ସମବାୟ ସମିତିରେ ପ୍ରଥମ ପର୍ଯ୍ୟାୟରେ ୫ଜଣ ଲେଖାଏଁ ଉପଯୁକ୍ତ ଚାଷୀଙ୍କୁ ଏହି ଋଣ ପ୍ରଦାନ ଲାଗି ମନୋନୟନ କରିବା ନିମନ୍ତେ ନିର୍ବାଚିତ ସଭାପତିମାନଙ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଦାୟିତ୍ୱ ଦେଇଥିଲେ। ପରବର୍ତ୍ତୀ ସମୟରେ ଅନ୍ୟଚାଷୀମାନଙ୍କୁ ମଧ୍ୟ ଏହି ଋଣ ସୁବିଧା ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆଠଗଡ ବ୍ଲକ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଅଧ୍ୟକ୍ଷ ରବିନ୍ଦ୍ରନାଥ ରାଉତ ଓ ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଅଶୋକ କୁମାର ପାଣି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କୃଷକନେତା ନିରାକାର ଲେଙ୍କା, ଲକ୍ଷ୍ମୀନାରାୟଣପୁର ସମବାୟ ସମିତି ସଂପାଦକ ଶୈଳେନ୍ଦ୍ର ନାରାୟଣ ସ୍ୱାଇଁ, ସମବାୟ ଉପନିବନ୍ଧକ ଆଲୋକ କୁମାର ବଳ ଓ ସଂଜୀବ କୁମାର ପଣ୍ଡା, ସମବାୟ ନିରୀକ୍ଷକ କାହ୍ନୁଚରଣ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Comments are closed.