ଆଜି ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ ; ବିପୁଳ ସମ୍ବର୍ଦ୍ଧନା ଲାଗି ପ୍ରସ୍ତୁତି ଶେଷ

କମିସନରେଟ ପୁଲିସ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା, ଯାତ୍ରାର ୩ ଘଣ୍ଟା ପୂର୍ବରୁ ବିମାନ ବନ୍ଦରରେ ପହଞ୍ଚିବାକୁ ପରାମର୍ଶ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ନୂଆଦିଲ୍ଲୀର ‘କ୍ୟାପିଟାଲ ଫାଉଣ୍ଡେସନ୍‌ ସୋସାଇଟି’ ପକ୍ଷରୁ ପ୍ରଦାନ କରାଯାଇଛି। ୬ ଦିନିଆ ନୂଆଦିଲ୍ଲୀ ଗସ୍ତ ସାରି ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଓଡ଼ିଶା ଫେରୁଛନ୍ତି। ଏହି ପରିପ୍ରେକ୍ଷୀରେ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋ‌େ‌କ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।
୫୦ ହଜାରରୁ ଅଧିକ ଲୋକ ସ୍ୱାଗତ ଉତ୍ସବରେ ସମାଗମ ହେବେ ବୋଲି ଆକଳନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ବିମାନବନ୍ଦର ସମେତ ସହରର ବିଭିନ୍ନ ଛକରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ସମୟରେ ବିମାନ ଯାତ୍ରା କରୁଥିବା ସାଧାରଣ ଯାତ୍ରୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ପୁଲିସ ଗୁରୁତ୍ବ ଦେଇଛି । ଯାତ୍ରାର ୩ ଘଣ୍ଟା ପୂର୍ବରୁ ବିମାନ ବନ୍ଦରରେ ପହଞ୍ଚିବା ପାଇଁ ପୁଲିସ ଉପାୟୁକ୍ତ ପ୍ରତୀକ ସିଂହ କହିଛନ୍ତି।
ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପାଇଁ ବିମାନ ବନ୍ଦର ନିକଟରେ ସ୍ବତନ୍ତ୍ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୋମବାର ପୁଲିସ ଉପାୟୁକ୍ତ ଶ୍ରୀ ସିଂହ ସେଠାରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ପୁଲିସ ପକ୍ଷରୁ ସହରରେ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ସମେତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ । ଏଥିରେ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ୧୦୦ରୁ ଅଧିକ ବରିଷ୍ଠ ପୁଲିସ ଅଧିକାରୀ ସୁରକ୍ଷା ଉପରେ ନଜର ରଖିବେ। ସବୁ ଛକରେ ପୁଲିସ ପହରା ଦେବ, ବିଭିନ୍ନ ଅଞ୍ଚଳରୁ ସ୍ବାଗତ ଉତ୍ସବରେ ଯୋଗଦେବା ପାଇଁ ଆସୁଥିବା ଗାଡ଼ି ମୋଟର ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଉତ୍ସବ ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ କଡା ନଜର ରଖିଛି ।

kalyan agarbati

Comments are closed.