www.samajalive.in
Sunday, December 14, 2025
23.1 C
Bhubaneswar

ପୁଅ ପଜିଟିଭ ବୋଲି ବାପାଙ୍କୁ ମିଳିଲା ନାହିଁ ଚାରି କାନ୍ଧ; ଗାଡ଼ିରେ ବୁହାହେଲା ଶବ

ସୋରଡ଼ା: ସମୟ ବଢିଲା, କରୋନା ସଂକ୍ରମଣ ମଧ୍ୟ ବଢିଲା। ଧିରେ ଧିରେ କମିଗଲା ମଣିଷ ମନରୁ ମାନବିକତା। ସୋରଡ଼ା ସହରରେ ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଲାଗୁଛି ସତରେ ମରି ଯାଇଛି ମାନବିକତା। ପୁଅ କରୋନା ସଂକ୍ରମିତ ଜଣାପଡିବା ପରେ ବାପାର ମୃତଦେହକୁ ମିଳିଲାନି ଚାରି କାନ୍ଧ। ବନ୍ଧୁବାନ୍ଧବ, ବଂଶ, ସାହି ପଡ଼ିଶା କେହି ବି ଆସିଲେନି। ଶେଷରେ ସ୍ଥାନୀୟ ପ୍ରଶାସନର ସହଯୋଗରେ ଶବକୁ ଏକ ଗାଡ଼ି ଯୋଗେ ମଶାଣିକୁ ନିଆଯାଇ ଦୁଇତିନି ଜଣ ଏନ୍‍ଏସି କର୍ମଚାରୀଙ୍କ ସହ ପୁଅ ଓ ପୁତୁରା କଲେ ବାପାଙ୍କ ଶେଷକୃତ୍ୟ।

- Advertisement -

ସୂଚନା ମୁତାବକ ସୋରଡ଼ା ସହରର ଅଫିସ୍‍ ଲାଇନ୍‍ ବାହିନୀପତି କଲୋନୀରେ ରହୁଥିବା ରାଜେନ୍ଦ୍ର ସୁଆରଙ୍କ ସ୍ତ୍ରୀ ଗତ ୧ ତାରିଖରେ କୌଣସି କାରଣରୁ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ସଂଗେ ସଂଗେ ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରୁ ବ୍ରହ୍ମପୁର ବଡ଼ମେଡିକଲ୍‍କୁ ନେଇ ଚିକିତ୍ସା କରାଯାଉଥିବାବେଳେ ସେଠାରେ ସେ ମୃତ୍ୟୁବରଣ କରିଥିଲେ। ଆମ୍ବୁଲାନ୍ସ ଯୋଗେ ଶବକୁ ଆଣି ସୋରଡ଼ାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ସାହିି ପଡ଼ିଶା, ବଂଶ, ବନ୍ଧୁବାନ୍ଧବ ସମସ୍ତେ ସେହି ସମୟରେ ଯୋଗ ଦେଇଥିଲେ। ସ୍ତ୍ରୀଙ୍କ ମୃତ୍ୟୁ ହେବା ଦିନ ଠାରୁ ସ୍ୱାମୀ ରାଜେନ୍ଦ୍ର ମଧ୍ୟ ସାମାନ୍ୟ ଅସୁସ୍ଥ ଥିଲେ। ଏହାରି ମଧ୍ୟରେ ରାଜେନ୍ଦ୍ରଙ୍କ ବଡ ପୁଅ ଥଣ୍ଡା ଓ ଜ୍ୱର ରୋଗରେ ପୀଡ଼ିତ ହେବାରୁ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ତାଙ୍କର ସ୍ୱାବ୍‍ ପରୀକ୍ଷା କରାଯାଇଥିଲା। ଗୁରୁବାର ତାଙ୍କର ରିପୋର୍ଟ ପଜିଟିଭ୍‍ ଆସିଥିଲା। ଆଗରୁ ଅସୁସ୍ଥ ଥିବା ବାପା ରାଜେନ୍ଦ୍ର ମଧ୍ୟ ଘରେ ମୃତ୍ୟୁବରଣ କରିଥିଲେ। ପୁଅର ପଜିଟିଭ୍‍ ବାହାରିବା ଶୁଣି ବାପାର ଶବ ସଂସ୍କାର ପାଇଁ କେହି ମଧ୍ୟ ଆସିନଥିଲେ। ଦୀର୍ଘ ସମୟ ଧରି ଘରେ ପଡ଼ି ରହିଥିଲା ଶବ।

ଶେଷରେ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ତହସିଲ୍‍ଦାର ରବୀନ୍ଦ୍ର କୁମାର ମିଶ୍ର, ଏନ୍‍.ଏ.ସିର ୱାର୍ଡ଼ ଅଫିସର ପ୍ରମୋଦ କୁମାର ଅଧିକାରୀ ସେମାନଙ୍କର ସମ୍ପର୍କୀୟ ଓ ବଂଶଧରଙ୍କୁ ବୁଝାଇଲେ ମଧ୍ୟ କେହି ରାଜି ହୋଇନଥିଲେ। ଫଳରେ ମୃତକଙ୍କ ସାନ ପୁଅ ଓ ଜଣେ ପୁତୁରା ଓ ଭାଇ, ଏନ୍‍.ଏ.ସି.ର କିଛି କର୍ମଚାରୀଙ୍କ ସହ ମିଶି ଏକ ଗାଡ଼ି ଯୋଗେ ସୋରଡ଼ା ପଞ୍ଚାନନ ମନ୍ଦିର ନିକଟ ଶ୍ମଶାନକୁ ନେଇଥିଲେ। ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଶେଷକୃତ୍ୟରେ ଯୋଗ ଦେଇଥିବା ଭାଇ ଓ ପୁତୁରା ସହିତ ସମ୍ପୁର୍ଣ୍ଣ ପରିବାରକୁ ଆଇସୋଲେସନ୍‍ରେ ରଖାଯାଇଛି। ପଜିଟିଭ୍‍ ବାହାରିଥିବା ବଡ ପୁଅକୁ କୋଭିଡ୍‍ କେୟାର ସେଣ୍ଟରକୁ ପଠାଯାଇଛି। ସ୍ଥାନୀୟ ପ୍ରଶାସନ ସହଯୋଗ ନକରିଥିଲେ ବାପାଙ୍କର ଶବ ସଂସ୍କାର ହୋଇପାରିନଥାନ୍ତା ବୋଲି ଅତ୍ୟନ୍ତ କୋହଭରା କଣ୍ଠରେ କହିଛନ୍ତି ସାନପୁଅ ରବୀନ୍ଦ୍ର ସୁଆର। ଉକ୍ତ ଅଞ୍ଚଳକୁ ଏନ୍‍.ଏ.ସି. ର ଭାରପ୍ରାପ୍ତ ପରିମଳ ନିରୀକ୍ଷକ ଶାନ୍ତନୁ ଶତପଥିଙ୍କ ତତ୍ତ୍ବାବଧାନରେ ସମ୍ପୂର୍ଣ୍ଣ ସାନିଟାଇଜ୍‍ କରାଯାଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories