ସଂସ୍କୃତ ପ୍ରାଧ୍ୟାପିକା ପ୍ରଭାତି ଦେବୀଙ୍କୁ ସମ୍ବର୍ଦ୍ଧନା
ଆଠଗଡ : ସଂସ୍କୃତ ବାଣୀବିକାଶ କେନ୍ଦ୍ରମ୍ ପକ୍ଷରୁ ଗୋପବନ୍ଧୁ ବିଜ୍ଞାନ କଲେଜରୁ ନିକଟରେ ଅବସର ଗ୍ରହଣ କରିଥିବା ସଂସ୍କୃତ ପ୍ରାଧ୍ୟାପିକା ପ୍ରଭାତି କୁମାରୀ ଦେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସ୍ଥାନୀୟ ରାଧାପତିପୁରସ୍ଥିତ ଶିଳାଧାମ ଆଶ୍ରମ ପରିସରରେ ଅନୁଷ୍ଠାନର ପରିଚାଳନା ମୁଖ୍ୟ ଆଚାର୍ଯ୍ୟ ଜଳନ୍ଧର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଦେବଯାନୀ ମହାପାତ୍ର, ସଂସ୍କୃତ ଶିକ୍ଷୟିତ୍ରୀ ଲିସାଲିନ ପଟ୍ଟନାୟକ, ରୁନୁ ସାହୁ, ଶୁଭେନ୍ଦୁ ଜେନା ପ୍ରମୁଖ ଯୋଗଦେଇ ସଂସ୍କୃତ ଭାଷା ସବୁଭାଷା ମଧ୍ୟରେ ଶ୍ରେଷ୍ଠ ବୋଲି କହିବା ସହ ପ୍ରାଧ୍ୟାପିକା ପ୍ରଭାତି ଦେବୀଙ୍କର ସଂସ୍କୃତ ଶିକ୍ଷାଦାନ ଦକ୍ଷତା ଅତୁୁଳନୀୟ ବୋଲି ପ୍ରକାଶ କରିଥିଲେ। ପରିଚାଳନା ମୁଖ୍ୟ ଶ୍ରୀ ସାହୁ ଭାରତର ପ୍ରତିଷ୍ଠାରେ ସଂସ୍କୃତ ଓ ସଂସ୍କୃତି ଦୁଇଟି ଯାକ ଅବିଚ୍ଛିନ୍ନ ଅଙ୍ଗ ବୋଲି ମତ ପୋଷଣ କରିଥିଲେ। ସଂସ୍କୃତ ପ୍ରେମୀ ହୋଇ ଏହି ଭାଷାର ପ୍ରସାର, ପ୍ରଚାର ଓ ବିକାଶ ଦିଗରେ ଶ୍ରୀମତୀ ପ୍ରଭାତି ଦେବୀଙ୍କର ଅବଦାନ ଅବିସ୍ମରଣୀୟ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ।
ଶ୍ରୀମତୀ ପ୍ରଭାତି ଦେବୀ ନିଜ ବକ୍ତବ୍ୟରେ ସଂସ୍କୃତ ପରିବାରର ମଙ୍ଗଳ କାମନା କରିବା ସହିତ ସଦାଚାର, ଶୃଙ୍ଖଳା ଓ ସଦ୍ଦିଚ୍ଛା ବଜାୟ ରଖି ସଂସ୍କୃତ ମାତାର ସେବା କଲେ ଜୀବନ ଧନ୍ୟ ହେବ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ଯୋଗଦେଇଥିବା ବହୁ ପୁରାତନ ସଂସ୍କୃତ ସ୍ନାତକଧାରୀ, ଅଧ୍ୟାପିକା ଓ ଶିକ୍ଷକ-ଶିକ୍ଷୟିତ୍ରୀ ସଂସ୍କୃତ ଶିକ୍ଷାକୁ ସବୁସ୍ତରରେ ଗୁରୁତ୍ୱ ଦେବା ସହ ସ୍ୱତନ୍ତ୍ର ପାଠ୍ୟଖସଡା ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଦ୍ୟାଳୟସ୍ତରରୁ ଛାତ୍ରଛାତ୍ରୀଙ୍କୁ ଗୀତା ଆବୃତ୍ତି, ସୂର୍ଯ୍ୟ ନମସ୍କାର, ସଂସ୍କୃତ ଶ୍ଲୋକ ଓ ମନ୍ତ୍ର ଆଦି ଶିକ୍ଷାଦେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା । ଏହି ଅବସରରେ ପ୍ରାଧ୍ୟାପିକା ଶ୍ରୀମତୀ ଦେବୀଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ସମବେତ ଛାତ୍ରଛାତ୍ର ଜଗନ୍ନାଥଷ୍ଟକମ୍ ଆବୃତ୍ତି କରିଥିଲେ।
Comments are closed.