www.samajalive.in
Monday, December 15, 2025
14.1 C
Bhubaneswar

ଫେସବୁକ୍‌ ତଥ୍ୟ ଚୋରିକୁ ନେଇ ଜୁକରବର୍ଗଙ୍କ ଦୁଃଖ ପ୍ରକାଶ

ୱାଶିଂଟନ : ଫେସବୁକ୍‌ ବ୍ୟବହାରକାରୀ (ୟୁଜର୍ସ)ଙ୍କ ତଥ୍ୟ ଚୋରି ହେବା ନେଇ ମାର୍କ ଜୁକରବର୍ଗ କ୍ଷମାପ୍ରାର୍ଥନା କରିଛନ୍ତି। ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ) ଫେସବୁକ ପ୍ରତିଷ୍ଠାତା ଜୁକରବର୍ଗ କହିଛନ୍ତି ଯେ ୟୁଜର୍ସଙ୍କ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଆଗାମୀ ଦିନରେ ଅଧିକ ପଦକ୍ଷେପ ନିଆଯିବ। ଫେସବୁକ୍‌ ତଥ୍ୟକୁ କେମ୍ବ୍ରିଜ ଆନାଲିଟିକା ଭଳି କମ୍ପାନୀ ଚୋରି କରି ବିଭିନ୍ନ ଦେଶର ନିର୍ବାଚନକୁ ପ୍ରଭାବିତ କରୁଥିବା ନେଇ ଅଭିଯୋଗ ଉପରେ ଜୁକରବର୍ଗ ଏପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜୁକରବର୍ଗ କହିଛନ୍ତି ଯେ ଫେସବୁକ୍‌ରୁ ତଥ୍ୟ ଚୋରି ହେବା ଏକ ଭୁଲ୍‌। ଏହି ଭୁଲ୍‌ ପାଇଁ ସେ ଦାୟୀ। କେବଳ ତଥ୍ୟ ଚୋରି ନୁହେଁ; ଫେସବୁକ୍‌ରେ ଯାହା କିଛି ଅସୁବିଧା ସୃଷ୍ଟି ହେଉଛି ସେଥିପାଇଁ ସେ ଦାୟୀ। ତେଣୁ ଆଗାମୀ ଦିନରେ ଫେସବୁକ୍‌ ୟୁସର୍ଜଙ୍କ ତଥ୍ୟ ସୁରକ୍ଷିତ ରଖିବା ଦିଗରେ ସେ ଯତ୍ନବାନ ହେବେ। ଯଦି ୟୁଜର୍ସଙ୍କ ତଥ୍ୟକୁ ସୁରକ୍ଷିତ ରଖି ନ ପାରିବୁ ତେବେ ଆମେ ସେବା ଯୋଗାଇ ଦେବାକୁ ଅଯୋଗ୍ୟ ମନେ କରିବୁ। ଫେସବୁକ୍‌ରୁ ତଥ୍ୟ ଚୋରି ହେବା ଅଭିଯୋଗ ଉପରେ ୩୩ବର୍ଷୀୟ ଜୁକରବର୍ଗଙ୍କ ଏହା ପ୍ରଥମ ପ୍ରତିକ୍ରିୟା। ଗୁରୁବାର ସେ ତାଙ୍କର ଫେସବୁକ୍‌ ପୋଷ୍ଟ ମାଧ୍ୟମରେ ଏହି ପ୍ରତିକ୍ରିୟା ରଖିଛନ୍ତି। ପରବର୍ତ୍ତୀ ସମୟରେ ସିଏନଏନ ଦେଇଥିବା ସାକ୍ଷାତକାରରେ ମଧ୍ୟ ସେ ଭୁଲ୍‌ ସ୍ୱୀକାର କରିବା ସହ ଦୁଃଖ ପ୍ରକାଶ କରିଥିଲେ।
ଜୁକରବର୍ଗ ସ୍ୱୀକାର କରିଛନ୍ତି ଯେ ‘ ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ଏହି ସାମାଜିକ ଗଣମାଧ୍ୟମକୁ ଆରମ୍ଭ କରିଥିଲି। ମୁଁ ବୈଷୟିକ ତ୍ରୁଟି ଓ ବ୍ୟାବସାୟିକ ତ୍ରୁଟି କରିଛି। ମୁଁ ଭୁଲ ଲୋକଙ୍କୁ ସାଥିରେ ନେଇ କାମ କରିଥିଲି। ସେମାନଙ୍କୁ ବିଶ୍ୱାସ କରିଥିଲି।’ କେଉଁ ଆପ୍ସକୁ ଅଧିକ ତଥ୍ୟ ଟ୍ରାନ୍ସଫର ହୋଇଛି ତାକୁ ଆଗ ଯାଞ୍ଚ କରାଯିବ। ତଥ୍ୟ ଚୋରି ଅଭିଯୋଗ ପରେ ମଙ୍ଗଳବାର କେମ୍ବ୍ରିଜ୍‌ ଆନାଲିଟିକା (ସିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଲେକଜାଣ୍ଡାର ନିକ୍ସଙ୍କୁ ନିଲମ୍ବନ କରାଯାଇଛି। ସିଏ ପ୍ରାୟ ୫୦ନିୟୁତ ଫେସବୁକ୍‌ ୟୁଜର୍ସଙ୍କ ତଥ୍ୟ ଚୋରି କରିଛି। ଯେଉଁସବୁ ୟୁଜର୍ସଙ୍କ ତଥ୍ୟ ଚୋରି ହୋଇଛି ସେମାନଙ୍କୁ ଫେସବୁକ ଜଣାଇଦେବ।
ଫେସବୁକ୍‌ର ତଥ୍ୟକୁ ବି୍ରଟେନର କେମ୍ବ୍ରିଜ ଆନାଲିଟିକା (ସିଏ) ନାମକ କମ୍ପାନୀ ଚୋରି କରି ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ପ୍ରଭାବିତ କରିଥିଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିର୍ବାଚନରେ ବିଜୟୀ କରିବା ଲାଗି ରୁଷ୍‌ କେମ୍ବ୍ରିଜ ଆନାଲିଟିକାର ସହଯୋଗ ନେଇଥିଲା। ଟ୍ରମ୍ପଙ୍କ ଡିଜିଟାଲ ନିର୍ବାଚନ ପ୍ରଚାରକୁ ଏହା ପରିଚାଳନା କରିଥିଲା। ଏପରିକି ନାଇଜେରିଆ, କେନିଆ, ବ୍ରାଜିଲ ନିର୍ବାଚନ ଓ ବ୍ରେକଜିଟ୍‌ ଗଣଭୋଟକୁ ପ୍ରଭାବିତ କରିଥିବା ଅଭିଯୋଗ ହୋଇଛି। ଆଗାମୀ ଦିନରେ ଭାରତର ନିର୍ବାଚନକୁ ପ୍ରଭାବିତ କରିବା ଲାଗି ଏହା ଯୋଜନା ଚଳାଇଥିଲା। ଏହା ଜଣାପଡିବା ପରେ ଦୁଇ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ହୋଇଛି। ତେବେ ଭାରତର ନିର୍ବାଚନରେ ସ୍ୱଚ୍ଛତା ବଜାୟ ରଖିବା ଦିଗରେ ଫେସବୁକ ପ୍ରତିଶ୍ରୁତିବଦ୍ଧ ବୋଲି ଜୁକରବର୍ଗ କହିଛନ୍ତି। ଭାରତର ନିର୍ବାଚନକୁ ପ୍ରଭାବିତ କରିବା ନେଇ ଫେସବୁକ୍‌ ଉଦ୍ୟମ କରିବା ନେଇ ସରକାର କ୍ଷୁବ୍ଧ ହୋଇଥିଲେ। ବୁଧବାର କେନ୍ଦ୍ର ଆଇନ ତଥା ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ ଫେସବୁକ୍‌ର ଏପରି କାର୍ଯ୍ୟ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକ ପଡିଲେ ଏହାର ପ୍ରତିଷ୍ଠାତା ଜୁକରବର୍ଗଙ୍କୁ ସମନ ଜାରି କରାଯିବ।
ମନ୍ତ୍ରୀ ରବିଶଙ୍କର ଅଭିଯୋଗ କରିଥିଲେ ଯେ ୨୦୧୯ ସାଧାରଣ ନିର୍ବାଚନରେ ବିଜୟୀ ହେବା ଲାଗି କଂଗ୍ରେସ କେମ୍ବ୍ରିଜ ଆନାଲିଟିକା ଭଳି କମ୍ପାନୀର ସହଯୋଗ ନେଇଛି। ମାତ୍ର କଂଗ୍ରେସ ଏପରି ଅଭିଯୋଗକୁ ଖଣ୍ଡନ କରିଥିଲା। କଂଗ୍ରେସ ପାଲଟା ଅଭିଯୋଗ କରିଥିଲା ଯେ ୨୦୧୦ ବିହାର ନିର୍ବାଚନରେ ବିଜେପି-ଜେଡିୟୁ ମେଣ୍ଟ କେମ୍ବ୍ରିଜ ଆନାଲିଟିକାର ସହଯୋଗ ନେଇଥିଲା। ବିଜେପି ଏହାର ପାଲଟା ଜବାବ ଦେଇ କହିଥିଲା ଯେ ୨୦୧୩ରେ କେମ୍ବ୍ରିଜ୍‌ ଆନାଲିଟିକା କମ୍ପାନୀର ପ୍ରତିଷ୍ଠା ହୋଇଥିଲା। ତେଣୁ ୨୦୧୦ରେ ଏହି କମ୍ପାନୀର ସହଯୋଗ ନେବା ସମ୍ପର୍କିତ ଅଭିଯୋଗ ଭିତ୍ତିହୀନ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories