ପ୍ରଖ୍ୟାତ ବିଦେଶୀ ସାମ୍ବାଦିକଙ୍କ ବିସ୍ଫୋରକ ତଥ୍ୟ : ବିଶ୍ବକୁ ବିନାଶ କରିବ ଚୀନ
ଆନ୍ଥ୍ରାକ୍ସଠୁ ଭୟଙ୍କର ଜୀବାଣୁ ଉପରେ ହେଉଛି ଗବେଷଣା

ନୂଆଦିଲ୍ଲୀ : ବିଶ୍ବକୁ କରୋନା ଭୂତାଣୁ ଦେଇ ସମୁଚ୍ଚୟ ମାନବ ଜାତି ପାଇଁ ବିପର୍ଯ୍ୟୟ ସୃଷ୍ଟି କରିଥିବା ଚୀନ୍ର ଏବେ ଆଉ ଏକ ମାରାତ୍ମକ ଚାଲ୍ ଧରାପଡିଛି। କରୋନା ଭୂତାଣୁ ପରେ ଜୈବିକ ଯୁଦ୍ଧାସ୍ତ୍ର ପ୍ରସ୍ତୁତି ଆରମ୍ଭ କରିଦେଇଛି ଚୀନ୍। ନିଜକୁ ସର୍ବଶକ୍ତିମାନ୍ କରିବା ଲକ୍ଷ୍ୟରେ ଏକ ଘାତକ ଖେଳ ଖେଳିବାକୁ ଯାଉଛନ୍ତି ଏହାର ରାଷ୍ଟ୍ରମୁଖ୍ୟ ସି ଜିନ୍ପିଙ୍ଗ୍। ଏହି ଭୟଙ୍କର ଜୈବାସ୍ତ୍ର ପ୍ରସ୍ତୁତି କ୍ଷେତ୍ରରେ ସର୍ବଦା ଚୀନ୍ର ହାତଟେକାକୁ ଚାହିଁ ରହିଥିବା ପଡୋଶୀ ପାକିସ୍ତାନ ପୂର୍ଣ୍ଣ ସହଯୋଗ କରୁଛି। ପାକିସ୍ତାନ ଓ ଚୀନ୍ ମଧ୍ୟରେ ଏଥିପାଇଁ ସ୍ବାକ୍ଷରିତ ହୋଇଛି ଏକ ଗୋପନ ଚୁକ୍ତି। କରୋନା ଭୂତାଣୁକୁ ବିଶ୍ବବ୍ୟାପକ କରିଥିବା ଚୀନ୍ର ଅପଖ୍ୟାତ ଉହାନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭିରୋଲୋଜି ସହିତ ପାକିସ୍ତାନ ମିଲେଟାରୀର ପ୍ରତିରକ୍ଷା ବିଜ୍ଞାନ ଓ ବୈଷୟିକ ସଂଗଠନ (ଡିଇଏସଟିଓ) ମିଳିତ ଭାବେ ଏକ ଭୟଙ୍କର ଜୀବାଣୁ ଉପରେ ଏବେ ଗବେଷଣା ଆରମ୍ଭ କରିଛନ୍ତି।
କରୋନା ଭୂତାଣୁ ଉହାନ୍ ଭିରୋଲୋଜି ଗବେଷଣାଗାରରୁ ଆସିଥିବା ଆମେରିକା ବହୁ ପୂର୍ବରୁ ସୂଚନା ଦେବା ପରେ ଏବେ ଉକ୍ତ ଗବେଷଣାଗାରକୁ ଚୀନ୍ ଏକପ୍ରକାର ବନ୍ଦ କରିଦେଇଛି। ଅଧିକରୁ ଅଧିକ ଘାତକ ଓ ମହାମାରୀ ସୃଷ୍ଟିକାରୀ ଭୂତାଣୁ ପ୍ରସ୍ତୁତ କରି ବିଶ୍ବର ସମୃଦ୍ଧଶାଳୀ ରାଷ୍ଟ୍ର ଓ ଶତ୍ରୁ ରାଷ୍ଟ୍ରଙ୍କଠାରେ ପ୍ରୟୋଗ କରିବା ଲାଗି ଚୀନ୍ କରୁଥିବା ଷଡ଼ଯନ୍ତ୍ରରେ ଏବେ ଦେବାଳିଆ ପାକିସ୍ତାନ ସରକାର ସାମିଲ ହୋଇଛି। ଆନ୍ଥ୍ରାକ୍ସ ଭଳି ଭୟଙ୍କର ଭୂତାଣୁ ଉପରେ ଗବେଷଣା କରି ଏହାକୁ ଜୈବିକ ଅସ୍ତ୍ର ରୂପେ ଶତ୍ରୁ ରାଷ୍ଟ୍ରଙ୍କ ଉପରେ ପ୍ରୟୋଗ କରିବାକୁ ଚୀନ୍ ଚାଲ୍ ଚଳାଇଛି। ଏଥିପାଇଁ ଉହାନ୍ରୁ ଗବେଷଣାଗାରକୁ ଉଠାଇ ନେଇ ପାକିସ୍ତାନର ଏକ ଗୋପନୀୟ ସ୍ଥଳରେ ଏହି କାର୍ଯ୍ୟ ଜାରି ରଖିବା ଲାଗି ଉଭୟ ସଂସ୍ଥା ମଧ୍ୟରେ ଏକ ୩ ବର୍ଷିୟା ଗୋପନ ଚୁକ୍ତି ହୋଇସାରିଥିବା ଅଷ୍ଟ୍ରେଲିଆର ଖ୍ୟାତନାମା ଅନୁସନ୍ଧାନକାରୀ ସାମ୍ବାଦିକ ଆଣ୍ଟୋନୀ କ୍ଲାନ୍ ଉଲ୍ଲେଖ କରିଛନ୍ତି।
ଆମେରିକା ସହିତ ବାଣିଜ୍ୟ ଯୁଦ୍ଧ, ଭାରତ ବିରୋଧରେ ସୀମା ବିବାଦ ଏବଂ ଜାପାନ, ଅଷ୍ଟ୍ରେଲିୟା, ବ୍ରିଟେନ୍ ଭଳି ରାଷ୍ଟ୍ରଙ୍କ ଉପରେ ନିଜର ବିସ୍ତାରବାଦୀ ଆଭିମୁଖ୍ୟ ଚଳାଇବା ଲାଗି ଚୀନ୍ ତା’ର ପ୍ରତିରକ୍ଷା ବ୍ୟବସ୍ଥାରେ ଏଭଳି ଘାତକ ଜୈବିକ ଅସ୍ତ୍ର ସାମିଲ କରିବା ଲାଗି ଏଭଳି ଗବେଷଣା ଓ ଅନୁସନ୍ଧାନ ଚଳାଇଥିବା କ୍ଲାନ୍ ତାଙ୍କ ଅନୁସନ୍ଧାନମୂଳକ ଆଲେଖ୍ୟ, ‘ଚାଇନାଜ୍ ଉହାନ୍ ଲାବ୍ଅପରେଟିଂ କଭର୍ଟ ଅପରେସନ୍ ଇନ୍ ପାକିସ୍ତାନ’ରେ ଉଲ୍ଲେଖ କରିଛନ୍ତି। ଏସମସ୍ତ ପ୍ରକଳ୍ପ କାର୍ଯ୍ୟ ଲାଗି ଚୀନ୍ ଆର୍ଥିକ, ବୈଷୟିକ, ଯାନ୍ତ୍ରିକ ଓ ବୈଜ୍ଞାନିକ ସହାୟତା ପାକିସ୍ତାନକୁ ଯୋଗାଇବ। ଏହି ପ୍ରକଳ୍ପରେ କିଭଳି ବ୍ୟାସିଲସ୍ ଥୁରିନ୍ଜେନେସିସ୍ (ବିଟି)କୁ ଆଇସୋଲେଟ୍ (ଅଲଗା) କରାଯାଇପାରିବ ଏବଂ ଏହାଦ୍ବାରା ଉକ୍ତ ବୀଜାଣୁ ଅଧିକ ଘାତକ ହୋଇପାରିବ ସେଥିପାଇଁ ପାକିସ୍ତାନରେ ଚୀନ୍ ସଫଳ ମାଟି ପରୀକ୍ଷଣ କରିସାରିଛି। ବାସିଲସ୍ ଆନ୍ଥ୍ରାସିସ୍ କିମ୍ବା ଆନ୍ଥ୍ରାକ୍ସର ନମୁନାକୁ ଆଣି ବିଭିନ୍ନ ରସାୟନିକ ଉପାୟରେ କିଭଳି ଏହି ପରଜୀବୀ (ପାଥୋଜେନ୍)କୁ କିଭଳି ଅଧିକ ମାରାତ୍ମକ କରାଯିବା ଏବଂ ଜୈବିକ ଯୁଦ୍ଧାସ୍ତ୍ରର ଏକ ଏଜେଣ୍ଟ ଭାବେ ପ୍ରୟୋଗ କରାଯାଇପାରିବ ସେଦିଗରେ ପ୍ରଭାବୀ କାର୍ଯ୍ୟକ୍ରମ ଚାଲିଛି।
ଚୀନ୍ ବୈଜ୍ଞାନିକ ଏନେଇ ପାକିସ୍ତାନ ବିଜ୍ଞାନୀଙ୍କୁ ଆବଶ୍ୟକ ତାଲିମ ଦେଉଛନ୍ତି। ଚୀନ୍ ଗୋଟିଏ ପଟେ ନିଜକୁ ଆର୍ଥିକ ସମୃଦ୍ଧ କରୁଥିବାବେଳେ ଅନ୍ୟପଟେ ତା’ର ଏହି ଘାତ ପ୍ରକଳ୍ପରେ ଭାରତ ବିରୋଧୀ ପାକିସ୍ତାନକୁ ଲଗାଇ ଦେଇଛି। ପାକିସ୍ତାନ କେତେକ ଭୂତାଣୁ ସଂଗ୍ରହ କରି ତା’ର ଡାଟାବେସ୍ ପ୍ରସ୍ତୁତ କରୁଛି। ପାକିସ୍ତାନ ଏହାକୁ ବିକଶିତ କରି ପ୍ରଥମେ ଭାରତ ଉପରେ ପ୍ରୟୋଗ କରୁ ବୋଲି ଚୀନ୍ ପ୍ରକାରାନ୍ତରେ ଚାହୁଁଛି। କ୍ରିମିଆନ୍ କଙ୍ଗୋ ହେମୋରୋହାଜିକ୍ ଫିଭର ଭାଇରସ୍ (ସିସିଏଚଏଫଭି) ଭଳି ଏକ ଜ୍ବର ସୃଷ୍ଟିକାରୀ ଭୂତାଣୁ ଉପରେ ଚୀନ୍-ପାକିସ୍ତାନ ଜୈବିକ ପ୍ରକଳ୍ପ ଚଳାଇଛନ୍ତି। ଏହି ଜ୍ବରରେ ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୨୫ ପ୍ରତିଶତ ନିଶ୍ଚିତ ମୃତ୍ୟୁବରଣ କରିବା ଆଶଙ୍କା ରହିଛି। ଇବୋଲା ଭଳି ଏହା ଏକ ମାରାତ୍ମକ ଭୂତାଣୁ ବୋଲି କୁହାଯାଉଛି।
ଉହାନ୍ ପରୀକ୍ଷାଗାରରୁ କରୋନା ସଂକ୍ରମଣ ବ୍ୟାପିବା ପରେ ଏହି ପ୍ରତିଷ୍ଠାନର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚୀନ୍ ବୈଜ୍ଞାନିକ ମଧ୍ୟ ଚିନ୍ତିତ ରହିଛନ୍ତି। ୪ର୍ଥ ଶ୍ରେଣୀ ରୋଗର ଭୂତାଣୁକୁ ନିୟନ୍ତ୍ରଣ କରିବାରେ ଲ୍ୟାବ୍ ସୁରକ୍ଷିତ ନୁହେଁ ବୋଲି ଚୀନ୍ ଭୂତାଣୁବିତ୍ ଜାଣିପାରିଛନ୍ତି। ତେଣୁ ସଂପୂର୍ଣ୍ଣ ନିୟନ୍ତ୍ରଣରେ ଥିବା ସଖୀ କଣ୍ଢେଇ ପଡୋଶୀ ପାକିସ୍ତାନରେ ଏଭଳି ପରୀକ୍ଷା ଚଳାଇ ଜୈବିକ ଯୁଦ୍ଧାସ୍ତ୍ରକୁ ନିଜ ନିୟନ୍ତ୍ରଣରେ ରଖିବାକୁ ବେଜିଂ ଗୋପନ ଚୁକ୍ତି କରିଛି।
ସୂଚନାଯୋଗ୍ୟ ଦିନକ ତଳେ ଏଭଳି ଏକ ଖବରକୁ ମଧ୍ୟ ଆମେରିକା ଗୁଇନ୍ଦା ସଂସ୍ଥା ଉନ୍ମୋଚନ କରିବା ପରେ ଟ୍ରମ୍ପ୍ ପ୍ରଶାସନ ଚୀନ୍ ଉପରେ ବର୍ଷିଛନ୍ତି। ଆମେରିକା ବିଦେଶ ମନ୍ତ୍ରୀ ମାଇକ୍ ପମ୍ପିଓ ମଧ୍ୟ ଏନେଇ ଚୀନ୍କୁ ଅଧିକ ଘେରାବନ୍ଦୀ କରିବାକୁ ସମସ୍ତ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରଙ୍କୁ ଆହ୍ବାନ ଦେଇଛନ୍ତି।
ଚୀନ୍ର ଏଭଳି ଘାତକ ଷଡ଼ଯନ୍ତ୍ର ଉପରେ ମାର୍କିନ୍ ଗୁଇନ୍ଦା ସଂସ୍ଥା ସିଆଇଏ ତଥ୍ୟ ପ୍ରଦାନ କରିଛି। ପ୍ରଥମେ ଡୋକ୍ଲାମ୍ ଓ ନିକଟରେ ପୂର୍ବ ଲଦାଖର ଗଲାୱାନ୍ ଘାଟିରେ ଚୀନ୍ ସେନା ଭାରତୀୟ ଯବାନଙ୍କଠାରୁ ପ୍ରତ୍ୟକ୍ଷ ଯୁଦ୍ଧରେ କଡ଼ା ମୁକାବିଲାର ସାମ୍ନା କରିବା ପରେ ଏବେ ପାକିସ୍ତାନ ମାଟିରେ ତା’ର ଗୋପନ ଜୈବିକ ଯୁଦ୍ଧାସ୍ତ୍ର ପ୍ରକଳ୍ପକୁ ଚଳାଇ ବିଶ୍ବରେ ଏକଛତ୍ରବାଦୀ ଆଭିମୁଖ୍ୟ ପ୍ରଦର୍ଶନ କରିବାକୁ ଚୀନ୍ ମୁଖିଆ ଜିଙ୍ଗ୍ପିନ୍ ରଣନୀତି କରିଛନ୍ତି। ତେବେ ଜୈବିକ ଯୁଦ୍ଧାସ୍ତ୍ରର ପରିଣତି ଯେ କିଭଳି ମାନବିକ, ସାମାଜିକ, ଆର୍ଥିକ ଓ ପରିବେଶଭିତ୍ତିକ ବିପର୍ଯ୍ୟୟ ସୃଷ୍ଟି କରିବ ତାହା ଚୀନ୍ ଭୁଲିଯିବା ଅନୁଚିତ। କାରଣ ଅନ୍ୟ ପାଇଁ ଗାତ ଖୋଳିଲେ ସେଥିରେ ନିଜେ ପଡିବା କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଭାରତ ବିରୋଧୀ ଉଭୟ ପାକିସ୍ତାନ ଓ ଚୀନ୍ ଏହା ବୁଝିବା ଉଚିତ।
Comments are closed.