୨.୧୫ କୁଇଣ୍ଟାଲ ଗଞ୍ଜେଇ ସମେତ କାର ଜବତ : ଜଣେ ଗିରଫ

ସମ୍ବଲପୁର  : ସମ୍ବଲପୁର ଦେଇ ନିୟମିତ ଦେଶର ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବାରୁ ଅବକାରୀ ବିଭାଗ ପକ୍ଷରୁ ମଧ୍ୟ ନିୟମିତ ଗଞ୍ଜେଇ ଯାଞ୍ଚ କରାଯାଉଛି । ଏହି କ୍ରମରେ ବିପୁଳ ଗଞ୍ଜେଇ ଚାଲାଣର ବିଶ୍ୱସ୍ତସୂତ୍ରରୁ ଖବର ପାଇ ଯାଞ୍ଚ ସମୟରେ ୨ କୁଇଣ୍ଟାଲ ୧୫ କିଗ୍ରା ଗଞ୍ଜେଇ ଅବକାରୀ ବିଭାଗର ଇଆଇଇବି ୟୁନିଟ ଧରିଛି । ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଖବର ପାଇ ସମ୍ବଲପୁର ଜିଲାର ଧମା ଥାନା ଅର୍ନ୍ତଗତ ଗଇଁପୁରା ଛକ ନିକଟରେ ଚେକିଂ କରାଯାଉଥିଲା। ଏକ ଦାମୀ କାର ଆସୁଥିବା ବେଳେ ସେହି ଗାଡିକୁ ଅଟକାଇ ଯାଞ୍ଚ କରାଯାଇଥିଲା। ତେବେ କାରଟି ଚକମା ଦେଇ ଫେରାର ମାରୁଥିବା ବେଳେ ତାକୁ ଅବକାରୀ ଦଳ ଗୋଡାଇ ଗୋଡାଇ ଧରିଥିଲେ। ଯାଞ୍ଚ ସମୟରେ ସେହି ଗାଡିରୁ ୨ କ୍ୱିଣ୍ଟାଲ ୧୫ କିଗ୍ରାର ଗଞ୍ଜେଇ ଜବତ କରାଯାଇଥିଲା । ଏଣୁ ଗାଡିର ଚାଳକ ସଦର ଥାନା ଅର୍ନ୍ତଗତ ରାସନପୁର ନିବାସୀ ଯଶୋବନ୍ତ ଗଡ (୩୦)ଙ୍କୁ ପୁଲିସ ଗିରଫ କରିଛି । ସେ ଏହି ଗଞ୍ଜେଇ ଗୁଡିକୁ ବୌଦ୍ଧ ଜିଲାରୁ ସମ୍ବଲପୁରକୁ ଆଣୁଥିବାର ପୁଲିସକୁ କହିଛନ୍ତି । ଏବେ ଚେକିଂ ବୃଦ୍ଧି ପାଇଥିବାରୁ ଏହି ଗଞ୍ଜେଇ ଗୁଡିକୁ ସମ୍ବଲପୁର ଜିଲାରୁ ସୁଯୋଗ ଦେଖି ପଡୋଶୀ ରାଜ୍ୟ ଝାଡଖଣ୍ଡକୁ ଚାଲାଣ କରିବାର ଯୋଜନା ରହିଥିଲା। ଜବତ ହୋଇଥିବା ଗଞ୍ଜେଇ ଓ ଗାଡିର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ବୋଲି ଅବକାରୀ ବିଭାଗ କହିଛି।

Comments are closed.