www.samajalive.in
Wednesday, December 10, 2025
16.1 C
Bhubaneswar

ଏପଟେ କରୋନା ସେପଟେ ଉଛେଦ, ଶତାଧିକ ବ୍ୟବସାୟୀ ସର୍ବହରା

ବଲାଙ୍ଗିର: କିଛି ମାସର ନୀରବତା ପରେ ପୁଣି ବଲାଙ୍ଗିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଜବରଦଖଳ ଉଚ୍ଚେଦ ପ୍ରକ୍ରିୟା। କରୋନା ପାଇଁ ଏହି ଉଚ୍ଚେଦ କାମ ବନ୍ଦ ରହିଥିବା ବେଳେ ପୁଣି ଏହାର ଆରମ୍ଭ କରାଯାଇଛି। ଗତ ଦୁଇ ଦିନ ହେଲା ସହରର କିଛି ମୁଖ୍ୟ ଅଞ୍ଚଳରେ ବୁଲଡୋଜର ଗାଡି ନିଜର ପ୍ରଭାବ ବିସ୍ତାର କରିଚାଲିଛି। ଅନ୍ୟପଟେ ଛକ, ବଜାରରେ ଛୋଟ ଛୋଟ ଦୋକାନ କରି ରହିଥିବା ବ୍ୟବସାୟୀ ମାନେ ଚିତ୍କାର କରୁଛନ୍ତି। ଜିରୋ ଟୋଲୋରେନ୍ସ ନିୟମ ଆପଣାଇ ପ୍ରଶାସନ ନିଜର କର୍ତ୍ତବ୍ୟ କରି ଚାଲିଥିବା ବେଳେ ଶତାଧିକ ବ୍ୟବସାୟୀଙ୍କ ପିଠିରେ ଶକ୍ତ ଧକ୍କା ବାଜିଛି। ଡ୍ରେନ ହେଉ କି ରାସ୍ତା ନିର୍ମାଣ ପାଇଁ ଚାଲିଥିବା ଏହି ଜବରଦଖଳ ପ୍ରକ୍ରିୟାରେ ବହୁ ଜବରଦଖଳକାରୀଙ୍କ ଘର ମଧ୍ୟ ଭଙ୍ଗାଯାଇଛି। କିନ୍ତୁ ଯେଉଁମାନେ ଛୋଟ ଛୋଟ ଦୋକାନ କରି ପରିବାର ଚଲାଉଥିଲେ ସେମାନଙ୍କର କଣ ବ୍ୟବସ୍ଥା କରାଯାଇଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋଟିଏ ପଟେ କରୋନା ମହାମାରୀ ଯୋଗୁ ସମସ୍ତ ବର୍ଗର ଲୋକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଭଳି ଏକ ଦୁର୍ବିସହ ସମୟରେ ଜବରଦଖଳ ଉଚ୍ଚେଦ ଯୋଗୁ ଉଠାଦୋକାନୀ ମାନେ ଅସନ୍ତୋଷ ଜାହିର କରିଛନ୍ତି।

- Advertisement -

ସ୍ମାର୍ଟ ହେବ ବଲାଙ୍ଗିର ସହର। ସହର ଭିତରେ ଥିବା ରାସ୍ତାର ପ୍ରଶସ୍ତିକରଣ, ଡ୍ରେନ ପରିଚାଳନା ପାଇଁ କାର୍ଯ୍ୟକାରୀ କରାଯିବ ମାଷ୍ଟର ପ୍ଲାନିଂ। କିଛି ଏହିଭଳି ଲକ୍ଷ୍ୟ ନେଇ ସହରରେ ଜବରଦଖଳ ଉଚ୍ଚେଦ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ପର୍ଯ୍ୟାୟକ୍ରମେ ପୈାରପ୍ରଶାସନ ଜବରଦଖଳକାରୀ ମାନଙ୍କୁ ନାଲିଆଖି ଦେଖାଇଥିଲେ। ବ୍ରାହ୍ମଣପଡା, ବରପାଲିପଡା, ଦୈନିକ ବଜାର, ପାଟଣା ଛକ ଠାରୁ ଗାନ୍ଧିନଗରପଡା ଛକ, ଭାଗରଥୀଛକ, ମାଲପଡା ଭଳି ଅନେକ ଅଞ୍ଚଳରେ ଏହି ଉଚ୍ଚେଦ କରାଯାଇଥିଲା। ଗତ ଅଗଷ୍ଟରେ ହୋଇଥିବା ବନ୍ୟା ପରେ ଡ୍ରେନ ପରିଚାଳନା କରିବା ପାଇଁ ପ୍ରଶାସନ ପକ୍ଷରୁ ଏକ ମାଷ୍ଟର ପ୍ଲାନିଂ କରାଯାଇଥିଲା। ଏହାକୁ ସଫଳ କରିବା ପାଇଁ ଏହି ଜବରଦଖଳ ଉଚ୍ଚେଦ ପ୍ରକ୍ରିୟା ଯଦିଓ ଆରମ୍ଭ କରାଯାଇଥିଲା। ଏଥିରେ ରାସ୍ତା ପ୍ରଶସ୍ତିକରଣକୁ ମଧ୍ୟ ଧ୍ୟାନ ଦିଆଯାଇଥିଲା। ଫଳରେ ୨୬ ନଂ ଜାତୀୟ ରାଜପଥ କଡ, ଭାଗରଥୀ ଛକ ଠାରୁ ସାପ୍ତାହିକ ବଜାର ଛକ ଅଞ୍ଚଳରୁ ମଧ୍ୟ ଜବରଦଖଳ ହଟାଯାଇଥିଲା। ଏହି ସମୟରେ କରୋନା ଯୋଗୁ ପ୍ରଶାସନ ପକ୍ଷରୁ ଏହି ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା। ପ୍ରାୟ ଚାରି ମାସ ପରେ ପୁଣି ପ୍ରଶାସନ ପକ୍ଷରୁ ଏହି ଉଚ୍ଚେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ମଙ୍ଗଳବାର ଉପଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଅଞ୍ଚଳରେ ଜବରଦଖଳ ଉଚ୍ଚେଦ ହୋଇଥିଲା। ବୁଧବାର,ଗୁରୁବାର ବିଏସଏନଏଲ ଛକ ଠାରୁ ଟିକ୍ରପଡା ରାସ୍ତା, କଦମପଡାରୁ ସୁରେଶ୍ୱରୀ ମନ୍ଦିର ଛକ, ଚାନ୍ଦମନ୍ଦିର ଦେଇ ପ୍ରତାପସାଗରପଡା, ବିଏସଏନଲ ଅଫିସ ନିକଟସ୍ଥ ଏସପି ଅଫିସ ପଛପଟ ଅ-୍‍ଚଳକୁ ସଂପୂର୍ଣ୍ଣ ଭାବେ ଖାଲି କରାଯାଇଥିଲା। ଏହି ଜବରଦଖଳ ଉଚ୍ଚେଦ ପ୍ରକ୍ରିୟାକୁ କିଛି ବର୍ଗର ଲୋକେ ସ୍ୱାଗତ କରିଛନ୍ତି। କିନ୍ତୁ ଏହି ପ୍ରକ୍ରିୟାରେ ଶତାଧିକ ଉଠାଦୋକାନୀ, ଛୋଟ ଦୋକାନୀ ନିଜ ରୋଜଗାର ହରାଇଥିବା ଅଭିଯୋଗ ଆଣିଛନ୍ତି। କରୋନା ଭଳି ମହାବିପଦ ସମୟରେ ଏହି କାମକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଗୋଟିଏ ପଟେ ଆବଶ୍ୟକତା ଅନୁସାରେ ବ୍ୟବସାୟ ହେଉନାହିଁ ଅନ୍ୟପଟେ ଉଚ୍ଚେଦରେ ଦୋକାନ ହରାଇ ବେକାର ହୋଇଥିବା ଅନେକ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି। ଉଚ୍ଚେଦ ଓ ବ୍ୟବସାୟୀ ରାସ୍ତାକୁ ଚାଲିଆସିବା ସହରରେ କିଛି ନୁଆ କଥା ନୁହଁ। ଉଠାଦୋକାନୀ ଓ ଛୋଟ ଦୋକାନୀ ମାନଙ୍କୁ ଥଇଥାନ କରିବା ପାଇଁ ଭେଣ୍ଡିଂଜୋନ ବ୍ୟବସ୍ଥା କରିବା ଦାବି ଦୀର୍ଘ ବର୍ଷ ହେଲା ହୋଇଆସିଛି। କିନ୍ତୁ ଏହାର ସମଧାନ ପ୍ରଥମେ ନକରି ଏହି ଉଚ୍ଚେଦ କାମ ତ୍ୱରାନ୍ୱିତ କରିବା କେତେ ଯୁକ୍ତିଯୁକ୍ତ ବୋଲି ଏବେ ପ୍ରଶ୍ନ ଉଠିବାରେ ଲାଗିଛି।

ପୂର୍ବରୁ ଖାଲିକରାଯାଇଥିବା ସ୍ଥାନ ଗୁଡିକରେ ହେବାକୁ ଥିବା କାମ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇନାହିଁ। ଫଳରେ ଉଚ୍ଚେଦ ହୋଇଥିବା ଦୋକାନୀ ପୁଣି ସେଠାରେ ଦୋକାନ ଲଗାଇଲେଣି। ତେବେ ମୋଟାମୋଟି ଭାବେ ଦେଖିବାକୁ ଗଲେ ଯଦିଓ ଜବରଧଖଳ ହଟାଇବାକୁ ଲୋକେ ସ୍ୱାଗତ କରୁଛନ୍ତି କିନ୍ତୁ ଯେଉଁକାମ ପାଇଁ ଏହା କରାଯାଉଛି ତାହା ପ୍ରଥମେ ସମାପ୍ତ କରିବା ପାଇଁ ସହରବାସୀ ଦାବି କରିଛନ୍ତି। ଯେଉଁ ଲକ୍ଷ୍ୟ ନେଇ ଏହି ଉଚ୍ଚେଦ କରାଯାଉଛି ତାହା ଖୁବଶୀଘ୍ର ସଂପୂର୍ଣ୍ଣ ହେବ ଓ ସେଥିରୁ ସହରବାସୀ ଲାଭ ପାଇବେ ତେଣୁ ଏହାକୁ ସହଯୋଗ କରିବା ଉଚିତ ବୋଲି ଉପଜିଲାପାଳ ସଞ୍ଜୟ ମିଶ୍ର ପ୍ରତିକ୍ରୀୟାରେ କହିଛନ୍ତି।

Hot this week

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

Related Articles

Popular Categories