ଇପିଏଫ୍ ସୁଧ ହାର ହ୍ରାସ: ୫ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଲା
ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(ଇପିଏଫ୍) ସୁଧ ହାର ଚଳିତ ବର୍ଷ ୮.୫୫%କୁ ହ୍ରାସ ପାଇଛି। ବିଗତ ୫ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ବୋଲି ଜଣାପଡ଼ିଛି। ଇପିଏଫ୍ଓ ପକ୍ଷରୁ ଏ ସଂକ୍ରାନ୍ତରେ ନିର୍ଦେଶନାମା ଜାରି ହୋଇଛି। ଗତ ଫେବ୍ରୁଆରୀ ୨୧ ତାରିଖରେ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ସୁଧ ହାର ହ୍ରାସ ପାଇଁ ନିଷ୍ପତ୍ତି ନେଇଥିଲେ ହେଁ ଅର୍ଥ ମନ୍ତ୍ରାଳୟର ଅନୁମୋଦନ ମିଳିବାରେ ବିଳମ୍ବ ହୋଇଥିଲା। ଅନୁମୋଦନ ମିଳିବା ପରେ କର୍ଣ୍ଣାଟକ ନିର୍ବାଚନ ପରିପ୍ରେକ୍ଷୀରେ ଆଚରଣ ବିଧି ଦୃଷ୍ଟିରୁ ଏହା ଘୋଷଣା ହୋଇପାରି ନ ଥିଲା। ୨୦୧୬-୧୭ ଆର୍ଥିକ ବର୍ଷରେ ଇପିଏଫ୍ ସୁଧ ହାର ୮.୬୫% ଥିବା ବେଳେ ୨୦୧୫-୧୬ରେ ୮.୮%, ୨୦୧୪-୧୫ ଓ ୨୦୧୩-୧୪ରେ ରେ ୮.୭୫% ଥିଲା। ୨୦୧୨-୧୩ରେ ସୁଦ ହାର ୮.୫% ଥିଲା।