୨ୟ ଇନିଂସରେ ଇଂଲଣ୍ଡ ୮୧ରେ ଅଲଆଉଟ୍‌, ଭାରତ ପାଇଁ ଟାର୍ଗେଟ ୪୯

ଅହମ୍ମଦାବାଦ: ଏଠାରେ ଚାଲିଥିବା ୩ୟ ଦିବାରାତ୍ର ଟେଷ୍ଟ ମ୍ୟାଚରେ ଭ୍ରମଣକାରୀ ଦଳ ପୁଣି ଥରେ ବ୍ୟାଟିଂ ବିଫଳତାର ଶିକାର ହୋଇଛି। ସମ୍ପୂର୍ଣ୍ଣ ସ୍ପିନରମାନଙ୍କୁ ସୁହାଉଥିବା ଏହି ଲୋ ସ୍କୋରିଂ ପିଚ୍‌ରେ ଇଂଲଣ୍ଡ ୨ୟ ଇନିଂସରେ ମାତ୍ର ୮୧ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ଫଳରେ ପ୍ରଥମ ଇନିଂସରେ ୩୩ ରନ୍‌ରେ ପଛୁଆ ଥିବା ଭ୍ରମଣକାରୀ ଦଳ ଘରୋଇ ଦଳକୁ ୪୯ ରନ୍‌ର ବିତଜୟ ଲକ୍ଷ୍ୟ ଦେଇଛି।

ପ୍ରଥମ ଇନିଂସରେ ଇଂଲଣ୍ଡ ୧୧୨ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଏହାର ଜବାବରେ ଭାରତ ବ୍ୟାଟିଂ କରି ୧୪୫ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଇଂଲଣ୍ଡ ୨ୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବାବେଳେ ଭାରତୀୟ ସ୍ପିନରଙ୍କୁ ସାମ୍ନା କରିବା କଷ୍ଟସାଧ୍ୟ ହୋଇଥିଲା। ଅକ୍ଷର ପଟେଲ ୫ଟି, ରବିଚନ୍ଦ୍ରନ ଅଶ୍ଵିନ ୪ଟି ଉଇକେଟ୍‌ ନେଇ ଇଂଲଣ୍ଡ ଟିମ୍‌ର ବ୍ୟାଟିଂ ବିପର୍ଯ୍ୟୟର କାରଣ ସାଜିଥିଲେ। ଫଳରେ ଦଳ ମାତ୍ର ୮୧ ରନରେ ସମସ୍ତ ଉଇକେଟ୍‌ ହରାଇ ଦେଇଥିଲା।

୪୯ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଟିମ୍‌ ଇଣ୍ଡିଆ ଏହାର ୨ୟ ଇନିଂସ ଖେଳ ଆରମ୍ଭ କରିଛି। ୨ୟ ସେସନ ଖେଳ ଜାରି ରହିଥିବାବେଳେ ଭାରତ ବିନା କୌଣସି ଉଇକେଟ୍‌ ହରାଇ ୬ ରନ୍‌ ସଂଗ୍ରହ କରିନେଇଛି। ଆଜି ୩ୟ ସେସନ ଖେଳ ଶେଷ ସୁଦ୍ଧା ମ୍ୟାଚ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଯିବା ସମ୍ଭାବନା ରହିଛି।

Comments are closed.