ଖୁବ୍‍ଶୀଘ୍ର ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ଶିକ୍ଷା

ନୂଆଦିଲ୍ଲୀ : ଓଡ଼ିଆ ଭାଷଭାଷୀ ଛାତ୍ରଛାତ୍ରୀଙ୍କୁ ଖୁବ୍‍ଶୀଘ୍ର ନିଜ ମାତୃଭାଷାରେ ମିଳିବ ବୈଷୟିକ (ଇଞ୍ଜିନିୟରିଂ) ଶିକ୍ଷା। ବୈଷୟିକ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ଲାଗି ଅଖିଳ ଭାରତ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଇତିମଧ୍ୟରେ ଉଦ୍ୟମ ଆରମ୍ଭ କରିଛି। ଏହି କ୍ରମରେ ବୈଷୟିକ ଶିକ୍ଷା ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ଲାଗି ଆଭାସି ଜରିଆରେ ଏଆଇସିଟିଇ ଏବଂ ଓଡ଼ିଆ ଭାଷା ବିଶେଷଜ୍ଞଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭାଷା ଉପକରଣ ବ୍ୟବହାର ମାଧ୍ୟମରେ ବୈଷୟିକ ଶିକ୍ଷାର ସ୍ମାତକ ଏବଂ ଡିପ୍ଲୋମା ପାଠ୍ୟକ୍ରମକୁ କିପରି କମ୍‍ ସମୟରେ ଓଡ଼ିଆ ଭାଷାରେ ଅନୁବାଦ କରାଯାଇ ପାରିବ ସେ ବିଷୟରେ ବୈଠକରେ ବିଶେଷ ଭାବେ ଗୁରୁତ୍ୱ ଦିଆଯାଇଥିଲା।
ପୂର୍ବରୁ ଓଡ଼ିଆ ଭାଷା ସମେତ ଦେଶର ୧୧ଟି ଆଞ୍ଚଳିକ ଭାଷାରେ ବି. ଟେକ୍‍ ପାଠ୍ୟକ୍ରମକୁ ପଢ଼଼ାଇବା ପାଇଁ ଅଖିଳ ଭାରତ ବୈଷୟିକ ଶିକ୍ଷା ପରିଷଦ ସବୁଜ ସଙ୍କେତ ପ୍ରଦାନ କରିଥିଲା। ଏହି ଭାଷା ଗୁଡ଼ିକ ହେଲା ଓଡ଼ିଆ, ହିନ୍ଦୀ, ମରାଠୀ, ତାମିଲ, ତେଲୁଗୁ, କର୍ଣ୍ଣଡ଼, ଗୁଜୁରାତି, ମାଲୟାଲୟମ, ବଙ୍ଗାଳୀ, ଆସାମୀ ଓ ପଞ୍ଜାବୀ। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ଯୋଜନା ଅନୁଯାୟୀ ଅଖିଳ ଭାରତ ବୈଷୟିକ ଶିକ୍ଷା ପରିଷଦ ମାଧ୍ୟମରେ ଓଡ଼ିଶା ଭାଷା ଓ ଗବେଷଣା କେନ୍ଦ୍ରର ସହଯୋଗରେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଉପକରଣକୁ ବ୍ୟବହାର କରି ବୈଷୟିକ ଶିକ୍ଷା ପାଠ୍ୟକ୍ରମରେ ଥିବା ଇଂରାଜୀ ପୁସ୍ତକ ଓ ଶଦ୍ଦାବଳୀକୁ ଓଡ଼ିଆ ଭାଷାରେ ଅନୁବାଦ କରାଯିବ। ବିଶ୍ୱମାନର ବୈଜ୍ଞାନିକ ଏବଂ ବୈଷୟିକ ଶଦ୍ଦାବଳୀକୁ ଓଡ଼ିଆ ଭାଷା ସହ ଭାରତୀୟ ଭାଷାରେ ଅନୁବାଦ କରାଯାଇ ପୁସ୍ତକ ପ୍ରକାଶନ ହେବ।
ବିଶେଷକରି ଗଣିତ ଇଞ୍ଜିନିୟରିଂ ଏବଂ ବୈଜ୍ଞାନିକ ଶଦ୍ଦାବଳୀକୁ ଓଡ଼ିଆ ଭାଷାରେ ଅନୁବାଦ ଲାଗି ପ୍ରସ୍ତାବ ରହିଛି। ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ଶିକ୍ଷା ମିଳିଲେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଇଞ୍ଜିନିୟର ହେବା ସ୍ୱପ୍ନରେ ଭାଷା ଜନିତ ପ୍ରତିବନ୍ଧକ ଦୂର ହେବ।
୧୯୩୬ ମସିହାରେ ଭାଷା ଆଧାରରେ ଗଠିତ ଓଡ଼ିଶା ରାଜ୍ୟରେ ଛାତ୍ରଛାତ୍ରୀଙ୍କୁ ନିଜ ମାତୃଭାଷା ଓଡ଼ିଆରେ ବୈଷୟିକ ଶିକ୍ଷା ଲାଗି ଭାରତ ସରକାରଙ୍କ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହାଦ୍ୱାରା ପଛୁଆ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ରଛାତ୍ରୀ ବିଶେଷକରି ଗରିବ, ଦଳିତ ଏବଂ ପଛୁଆ ବର୍ଗର ଛାତ୍ରଛାତ୍ରୀ ବିଶେଷ ଭାବେ ଉପକୃତ ହେବେ। ଯୋଜନା ଅନୁଯାୟୀ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ସୁହାଇଲା ଭଳି ଶ୍ରେଣୀଗୃହରେ ପ୍ରତ୍ୟେକ ବିଷୟରେ ଶିକ୍ଷାଦାନ ପଦ୍ଧତି, ଭିଡ଼ିଓ ଏବଂ ସୂଚନା ସ୍ଲାଇଡ଼କୁ ଅନୁବାଦ କରାଯିବ। ସେହିପରି ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରର ଗବେଷଣା ଏବଂ ନବସୃଜନ ଉପରେ ଆଧାରିତ ତଥା ଇଂରାଜୀ ଭାଷାରେ ପ୍ରକାଶିତ ବୈଜ୍ଞାନିକ ଜର୍ଣ୍ଣାଲକୁ ଓଡ଼ିଆ ଭାଷାରେ ଅନୁବାଦିତ କରିବାକୁ ପ୍ରୋତ୍ସାହିତ କରାଯିବ। ଏହାଦ୍ୱାରା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ମିଳିବା ସହ ସେମାନଙ୍କୁ ସହଜରେ ରୋଜଗାର ମିଳିପାରିବ।
ଓଡ଼ିଆ ଭାଷାଭାଷୀ ଛାତ୍ରଛାତ୍ରୀଙ୍କୁ ନିଜ ମାତୃଭାଷାରେ ଶିକ୍ଷାଦାନ ସୁବିଧା ଉପଲବ୍ଧ କରାଇବାକୁ ଅଖିଳ ଭାରତ ବୈଷୟିକ ଶିକ୍ଷା ପରିଷଦର ଉଦ୍ୟମକୁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଛନ୍ତି। ଟ୍ୱିଟ ଜରିଆରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ବୈଷୟିକ ଶିକ୍ଷାରୁ ଭାଷା ପ୍ରତିବନ୍ଧକ ଦୂର କରିବା ପାଇଁ ଅଖିଳ ଭାରତ ବୈଷୟିକ ଶିକ୍ଷା ପରିଷଦ ଦ୍ୱାରା ନିଆଯାଇଥିବା ପଦକ୍ଷେପ ପ୍ରଶଂସନୀୟ। ଓଡ଼ିଆ ଭାଷାରେ ବୈଷୟିକ ପାଠ୍ୟକ୍ରମ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବ। ବିଶେଷ ଭାବେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଷୟିକ ଶିକ୍ଷା ପଢ଼଼ିବା ଲାଗି ଆଗ୍ରହ ସୃଷ୍ଟି କରିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

Comments are closed.