କୋଏମ୍ବାଟୁର: ଶୀର୍ଷକଟି ପଢ଼ି କିଛିଟା ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏଭଳି ଘଟଣା ସାମ୍ନାକୁ ଆସିଛି ତାମିଲନାଡୁର କୋଏମ୍ବାଟୁରରେ। ସଫେଇ କର୍ମଚାରୀ ପଦବୀ ପାଇଁ ଆବେଦନ କରୁଛନ୍ତି ଇଞ୍ଜିନିୟରିଂ, ସ୍ନାତକ ଏବଂ ଡିପ୍ଲୋମା ଡିଗ୍ରୀଧାରୀ। ଦେଶରେ ବେକାରୀ ସମସ୍ୟା ଏବେ କେଉଁଭଳି ସ୍ତରକୁ ଖସିଆସିଲାଣି ଏହା ହେଉଛି ତାହାର ଏକ ଜ୍ଵଳନ୍ତ ଉଦାହରଣ।
କୋଏମ୍ବାଟୁର ମହାନଗର ନିଗମରେ ୫୪୯ଟି ଗ୍ରେଡ୍-୧ ସଫେଇ କର୍ମଚାରୀ ପଦବୀରେ ନିଯୁକ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କଠାରୁ ଆବେଦନପତ୍ର ଆହ୍ବାନ କରାଯାଇଛି। ଏଥିପାଇଁ ୭୦୦୦ ଆବେଦନ ପତ୍ର ଆସି ପହଞ୍ଚିଛି। ଆଶ୍ଚର୍ଯ୍ୟର କଥା ହେଉଛି ପ୍ରାୟ ସମସ୍ତ ଆବେଦନକାରୀ ଇଞ୍ଜିନିୟର, ସ୍ନାତକ ଏବଂ ଡିପ୍ଲୋମା ଡିଗ୍ରୀଧାରୀ। ଅଧିକାଂଶ ଆବେଦନକାରୀ କୌଣସି ଘରୋଇ କମ୍ପାନୀରେ ଚାକିରି କରୁଛନ୍ତି। କିନ୍ତୁ ସରକାରୀ ଚାକିରି ଖଣ୍ଡେ କରିବା ଲାଗି ଏହି ଆବେଦନ କରିଛନ୍ତି। ଯୋଗ୍ୟତା ଅନୁସାରେ ଚାକିରି ମିଳୁ ନ ଥିବାରୁ ଅଧିକାଂଶ ସ୍ନାତକ ଡିଗ୍ରୀଧାରୀ ଘରୋଇ କମ୍ପାନୀରେ ମାସିକ ୬/୭ ହଜାର ଟଙ୍କା ଦରମାରେ କାର୍ଯ୍ୟ କରୁଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କରୁ ୧୨ ଘଣ୍ଟା କାର୍ଯ୍ୟରେ ଲଗାଉଛନ୍ତି। ତେଣୁ ସଫେଇ କର୍ମଚାରୀ ପଦବୀ ହେଉ ପଛକେ, ସରକାରୀ ଚାକିରି କରିବାକୁ ସେମାନେ ଆଗ୍ରହୀ ହେଉଛନ୍ତି ବୋଲି ଅନେକ ଆବେଦନକାରୀ କହିଛନ୍ତି।



