ସଂକଟରେ ଗଜରାଜ ……………..

ସଂଯୁକ୍ତା ବସା , ପୂର୍ବତନ ଅବୈତନିକ ବନ୍ୟପ୍ରଣୀ ସଂରକ୍ଷିକା

ପୃଥିବୀ ପୃଷ୍ଠରେ ସର୍ବବୃହତ ଜୀବ ହାତୀ ବା ଗଜରାଜ ଆଜି ଖୁବ ସଂକଟରେ। ଏ ସଂଙ୍କଟ ପୁଣି ହାତୀ ମଣିଷ ସଂଘର୍ଷର ସଙ୍କଟ। ମଣିଷ ଜୀବନ ତୁଳନାରେହାତୀ ଜୀବନ ତୁଛ। ଏହି ବିଚାର ସଙ୍କଟ ହିଁ ଗଜରାଜ ପାଇଁ ବିପଦ ସୃଷ୍ଟି କରିଛି। ଆସନ୍ତୁ ଆଜି ବିଶ୍ୱ ହସ୍ତୀ ଦିବସ ଅବସରରେ ଏ ସମ୍ପର୍କରେ ଟିକିଏ ଅଧିକ ଆଲୋଚନା କରିବା ଏବଂ ସତେତନତାକୁ ବ୍ୟାପକ କରିବା ଦିଗରେ ପ୍ରୟାସ କରିବା।
ଏସିଆ ଓ ଆଫ୍ରିକା ମହାଦେଶର ହାତୀ ଦେଖାଯାଆନ୍ତି। ପଶ୍ଚିମରେ ଭାରତ, ଉତରରେ ନେପାଳ, ଦକ୍ଷିଣରେ ସୁମାତ୍ରା ଓ ପୂର୍ବରେ ବର୍ଣ୍ଣିଓ ପର୍ଯ୍ୟନ୍ତ ହାତୀ ମାନଙ୍କର ଉପସ୍ଥିତି ରହିଛି। ପ୍ରାକୃତିକ ଜଙ୍ଗଲ ହିଁ ହାତୀର ବାସସ୍ଥାନ। ଯଦ ଓ ଏକ ତୃତୀୟାଂଶ ହାତୀକୁ ପୋଷା ଭାବରେ ମଧ୍ୟ ରଖାଯାଇଛି। ତେବେ ଜଙ୍ଗଲରେ ଥିବା ହାତୀ ସଂଖ୍ୟା ଅତି ଦ୍ରୃତ ଗତିରେ କମୁଛି। ପ୍ରକୃତିର ସୁରକ୍ଷା ପାଇଁ ଆନ୍ତର୍ଜାତୀୟ ସଂଗଠନ (ଓଟଉଘ)ହାତୀକୁ ଅବକ୍ଷୟମୁଖି ବୋଲି ଘୋଷଣା କରିସାରିଛି। ଏଭଳି ଦ୍ରୃତ ଅବକ୍ଷୟ ପଛରେ ମଧ୍ୟ ଅନେକ କାରଣ ରହିଛି। ପ୍ରାୟ ୨.୬ ଟନ୍‍ରୁ ଉର୍ଦ୍ଧ (ମାଈ ହାତୀ) ଓ ୪ରୁ ୫.୫(ଅଣ୍ଡିରା)ଟନ୍‍ ବିଶିଷ୍ଟ ହାତୀ ପାଇଁ ଦୈନିକ ପାଖା ପାଖି ଦେଢ କୁଇଣ୍ଟାଲ ଖାଦ୍ୟ ଆବଶ୍ୟକ। ତୃଣଭୋଜି ହାତୀଟି ପାଇଁ ଜଙ୍ଗଲ ହିଁ ଏହି ଖାଦ୍ୟ ଯୋଗାଇ ଥାଏ। ଜନସଂଖ୍ୟାର ଦ୍ରୃତ ଅଭିବୃଦ୍ଧି ଓ ମଣିଷର ଦୈନନ୍ଦିନ ଆବଶ୍ୟକତା ,ଚାଷ ଜମିର ସଂପ୍ରସାରଣ ,କଳକାରଖାନା ,ସଡକ,ରେଳପଥର ବିକାଶ ଆଦି କାରଣରୁ ଜଙ୍ଗଲ ସଂକୁଚିତ ହେବାକୁ ଲାଗିଲା। ହାତୀର ଖାଦ୍ୟ ଆବଶ୍ୟକତା ମେଣ୍ଟାଇବା ଜଙ୍ଗଲ ପକ୍ଷରେ ଆଉ ସମ୍ଭବ ହେଉନାହିଁ। ଫଳରେ ଖାଦ୍ୟ ଅନେଶ୍ୱଷଣରେ ହାତୀ ଏବେ ଗାଁ ଓ ସହର ଅଭିମୁଖୀ ହେଉଥିବାରୁ ହାତୀ ମଣିଷ ଲଢେଇ ଜୋରଦାର ହୋଇଛି। ହାତୀ କେବଳ ମଣିଷର କ୍ଷତି କରୁଛି ବୋଲି ସାଧାରଣରେ ଏକ ବଦ୍ଧମୂଳ ଧାରଣା ତିଆରି ହୋଇଛି। ତେବେ ହାତୀଯେ ମଣିଷ ସମାଜର ମିତ୍ର ଏକଥା ବହୁ କ୍ଷେତ୍ରରେ କୁହାଯାଇଛି। ସେଥିପାଇଁ ହାତୀକୁ ନେଇ ଅନେକ କାହାଣୀ। ହାତୀ ଜଙ୍ଗଲ ସ୍ୱାସ୍ଥ୍ୟର ସୁରକ୍ଷା କରେ। ଜଳବାୟୂ ପରିବର୍ତନ ବିରୋଧରେ ସଂଗ୍ରାମ କରେ, ଜୀବ ବପନରେ ସହାୟକ ହୁଏ।

prayash

ହାତୀ ଗୋଟିଏ ଦିନରେ ଅନେକ ପଥ ଅତିକ୍ରମ କରୁଥିବାରୁ ତାର ମଳରେ ବିଭିନ୍ନ ସ୍ଥାନରେ ଅନେକ ନୂତନ ଚାରା ଅଙ୍କୁରୋଦଗମ ହୁଏ ଏବଂ ବୃକ୍ଷ ସୃଷ୍ଟିରେ ସହାୟକ ହୋଇଥାଏ।  ହାତୀ ସୁରକ୍ଷା ପାଇଁ ସରକାର ବହୁବିଧ ଯୋଜନା,କାର୍ଯ୍ୟକ୍ରମ କରୁଛନ୍ତି। ଓଡିଶାରେ ୧୯ ଟି ଅଭୟାରଣ୍ୟ ରହିଛି। ସେଥିମଧ୍ୟରୁ ମୟୁରଭଂଜରେ ଶିମିଳିପାଳ ଅଭୟାରଣ୍ୟ ଅନ୍ୟତମ। ୨୨୦୦ ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ରହିଥିବା ଜଙ୍ଗଲ ଏହାର ବାସସ୍ଥାନ। ୧୯୭୩ ମସିହାରେ ୨୭୫୦ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଘୋଷଣା କରିଛନ୍ତି ସରକାର। ପୁଣି ଏହା ହାତୀମାନଙ୍କର ପ୍ରମୁଖ ବାସସ୍ଥାନ ଦୃଷ୍ଟିରୁ ୨୦୦୧ ମସିହାରେ ମୟୁରଭଂଜ ଜିଲ୍ଲାକୁ ହସ୍ତୀ ସଂରକ୍ଷଣ ପ୍ରକଳ୍ପ ଭାବେ ଘୋଷିତ ହୋଇଛି। ଯାହାର ପରିସିମା ୭୦୪୩.୭୪ ବର୍ଗ କିଲୋମିଟର। ଯେଉଁଥିରେ ଶିମିଳିପାଳ ସମେତ ମୟୂରଭଂଜ ଜିଲ୍ଲା ତିନୋଟି ବନଖଣ୍ଡ ସହିତ ହଦଗଡ ଓ ନିଳଗିରିର କୁଲଡିହା ଜଙ୍ଗଲକୁ ସାମିଲ କରାଯାଇଛି। ଶିମିଳିପାଳ,ହଦଗଡ ଦେଇ ମହାନଦୀ ପର୍ଯ୍ୟନ୍ତ ରହିଛି ସୁଦୀର୍ଗ ହାତୀ ଚଲାପଥ। ଏଚଲାପଥରେ ଆସୁଛି ଅନେକ ଗାଁ,ଗଣ୍ଡା ଓ ଫସଲ କ୍ଷେତ୍ର। ଯେତେବେଳେ ଜୀବନ ଓ ଜୀବିକା ହାତୀ ମାନଙ୍କ ପାଇଁ ପ୍ରଭାବିତ ହେଉଛି ସେଇଠି ଆରମ୍ଭ ହେଉଛି ସଂଘର୍ଷର ସୂତ୍ରପାତ। କେବଳ ସେତିକି ନୁହେଁ ହାତୀ ଦାନ୍ତ,ଚମଡା ଆଦି ବ୍ୟବସାୟକୁ ଆଧାର କରି ବିଷ ଦେଇ ନଚେତ ବନ୍ଧୁକ ଗୁଳିରେ ଶିକାର ହେଉଛି ହାତୀ। ୨୦୧୦ ମସିହାର କଥା ମୁଁ ସେତେବେଳେ ଅବୈତନିକ ବନ୍ୟ ପ୍ରଣୀ ସଂରକ୍ଷିକା ଭାବେ ଦାୟୀତ୍ୱ ନିର୍ବାହ କରୁଥାଏ ଶିମିଳିପାଳ ଅଭୟାରଣ୍ୟ ଅନ୍ତର୍ଗତ ନଅଣା ,ଧୁଡୁରୁଚମ୍ପା,ପିଠାବଟା ଓ କେନ୍ଦୁମୁଣ୍ଡି ରେଞ୍ଜ ମଧ୍ୟରେ ୧୨ ଟି ହାତୀ ଦାନ୍ତ ପାଇଁ ଶିକାର କରାଯାଇଥିଲା। ସେତେବେଳେ ଏହା ସମଗ୍ର ରାଜ୍ୟରେ ପରିବେଶବିତଙ୍କୁ ଅନ୍ଦୋଳଳିତ କରିଥିଲା।। ହାତୀ ମୃତ୍ୟୁ ଘଟଣାର ତଦନ୍ତ ଭାର ମୋତେ ଦିଆଯାଇଥିଲା। ସେବେଠାରୁ ହାତୀ ମୃତ୍ୟୁକୁ ନେଇ ଅନେକ ଅସମାନିତ ପ୍ରଶ୍ନ ମୋତେ ଆନ୍ଦୋଳିତ କରିଛି।

ଆଗରୁ ହାତୀ ଫସଲ ନଷ୍ଟ କଲେ, ଜୀବନ ହାନି କଲେ କ୍ଷତି ପୁରଣ ବ୍ୟବସ୍ଥା ନ ଥିଲା। ତା ସତ୍ୱେ ବିବାଦ ନ ଥିଲା। ଏବେ ପ୍ରଚୁର କ୍ଷତି ପୁଣ ଦେଉଛି ବନ ବିଭାଗ କିନ୍ତୁ ଲଢେଇ ଥମୁନି ବରଂ ବଢୁଛି। ହାତୀ ପରିବର୍ତେ ମଣିଷ ଅଧିକ ହିଂସ୍ର ହୋଇଛି ମୋର ଘର ବାଙ୍ଗିରିପୋଷିରେ। ଦ୍ୱାରଶୁଣି ପାହାଡ ତଳେ ଆମର ଚାଷ ଜମି। ଧାନ ପାଚିଲେ ହାତୀ ଆସୁଥିଲେ। ଜଣେ ଜଣେ ଲୋକ ହାତୀ ଘଉଡାଇ ପାରୁଥିଲେ। ହାତୀ ଫେରୀଯାଉଥିଲେ ଜଙ୍ଗଲକୁ। ମୋର ମନେ ପଡୁଛି ଆମ ଘରେ ବାରମାସିଆ ଥାଏ କରଣ ମାଝୀ। ଧାନ ପାଚିବା ଆରମ୍ଭ କଲେ ବିଲ ହିଡରେ କୁମାଟିଏ ତିଆରି କରେ। ଶୀତଦିନ ଅନ୍ଧାର ଆସିଲେ କଣକଣି ଶୀତରେ ପେଟେ ଗରମ ଭାତ ଖ।।ଇ,ମୋଟା କମ୍ବଳଟିଏ ଘୋଡାଇ ହୋଇ ମୂଳି ବାଉଁଶ ଠେଙ୍ଗାଟିଏ ଓ ଚିନି ମିନି ଆଲୁଅଟିଏ ଧରି ବାହାରିଯାଏ କୁମାକୁ। କୁମା ଆଗରେ ଧୂନିଟିଏ ଲଗାଇ ଭିତରେ ଦଉଡିଆ ଖଟଟିଏରେ ଜଗି କି ଶୋଇଥାଏ। ରାତି ଅଧିକ ହେଲେ ହାତୀ ଧାନ ଖାଇବା ପାଇଁ ଆସନ୍ତି। ଲୋକେ ମଧ୍ୟ ଏ କଥା ଜାଣି ସ୍ୱତନ୍ତ୍ର ଭାବେ କୋୟା ଧାନ ଚାଷ କରିଥାନ୍ତି। ଧାନ ଆଗରେ ସିଙ୍ଗ ଭଳିଥାଏ। ହାତୀ ସେ ଧାନ ଖାଇବା ସହଜ ହୁଏ ନାହିଁ। ତେବେ ହାତୀ ନ ଆସିବା ପାଇଁ ମଝିରେ ମଝିରେ ଟିଣ ପିଟି କରଣ ମାଝୀ ହାତୀ କୁ ଡରାଏ। ତେବେବି ହାତି ଆସିଲେ ବିଲରୁ କରଣ ମାଜୀ “ଏ ଗିରିହା ହାତୀ ଆସିଛି” ବୋଲି ବଡ ଡାକ ଟିଏ ଛାଡେ। ସତେ ଯେମିତି ହାତୀ ତା ଗିରିହାକୁ ଡରେ। ସତକୁ ସତ ହାତୀ ଧାନ କ୍ଷତି ନକରି ଜଙ୍ଗଲକୁ ପଳାଏ। ସୁରକ୍ଷିତ ଭାବେ ପାହାଡ ତଳ ଚାଷ ଜମିରୁ ଖଳାକୁ ଧାନ ଆସେ। ତେବେ ପ୍ରଶ୍ନ ହେଉଛି ଜଣେ ଜଣେ କରଣ ମାଝୀ ମାନେ ଯଦି ହାତିକୁ ଘଉଡେଇ ପାରୁଥିଲେ, ଆଜି ବନ ବିଭାଗ ଲକ୍ଷ ଲକ୍ଷ ଟଙ୍କା ,ମେଞ୍ଚା ମେଞ୍ଚା ଲୋକ ଲଗେଇ ସୁଦ୍ଧା କାହିଁକି ସଫଳ ହୋଇପାରୁ ନାହିଁ। ଏଥିପାଇଁ ଅଧିକ ଗବେଷଣାର ଆବଶ୍ୟକତା ରହିଛି ନିଶ୍ଚୟ।

୨୦୧୨ ସମିହାରୁ ହସ୍ତୀ ଦିବସ ପାଳନ ହୋଇ ଆସୁଛି। ଉଦେଶ୍ୟ ଲୋକଙ୍କୁ ଅଧିକ ସଚେତନ କରିବା ଏବଂ ହାତୀ ମଣିଷ-ଲଢେଇରେ ପୂର୍ଣ୍ଣଛେଦ ଟାଣିବା। କେବଳ ଗୋଟିଏ ଦିନରେ ସଚେତନତା ଭିତରେ ଏହାକୁ ସୀମାବଦ୍ଧ ରଖିଲେ ଲକ୍ଷ୍ୟ ହାସଲ ସମ୍ଭବ ନୁହେଁ। ଏହାକୁ ପିଲାମାନଙ୍କ ପାଠ୍ୟକ୍ରମରେ ଯୋଡିବା ସହିତ ପାରମ୍ପାରିକ ପଦ୍ଧତି ସମ୍ପର୍କରେ ଅଧିକ ଅନୁଶୀଳନ କରି ତାକୁ କାମରେ ଲଗାଇବା ସହିତ ବ୍ୟବସାୟୀ ପାଇଁ ହାତୀ ଶିକାରକୁ ପ୍ରତିହତ କରିବା ପାଇଁ କଠୋର ଆଇନ ସହିତ ବିଚାର ବ୍ୟବସ୍ଥା ଅଧିକ କଠୋର ନ ହେଲେ ପୃଥିବୀର ସର୍ବବୃହତ ସ୍ତନପାୟୀ ପ୍ରାଣୀ ଓ ଜାତୀୟ ଐତିହ୍ୟ ପ୍ରାଣୀ ହାତୀ ଆଗାମୀ ଶତାଦ୍ଦୀରେ ଇତିହାସ ହେବାକୁ ବେଶୀ ଡେରି ଲାଗିବ ନାହିଁ।

kalyan agarbati

Comments are closed.