୨୨ଟିକିଆ ହାତୀଦଳରେ ଯୋଗଦେଲେ ଆଉ ଦୁଇ
ବାଳି କଲେଜ ପଛରେ ଦିନ ତମାମ ଜମାଇଲେ ଆସ୍ତାନ
ଗୁରୁଡିଝାଟିଆ : ଚନ୍ଦକାରୁ ଆଉ ୨ ହାତୀ ଆସି ୨୨ଟିକିଆ ହାତୀଦଳରେ ଯୋଗଦେଇଛନ୍ତି। ଏଥିସହିତ ବ୍ରାହ୍ମଣବସ୍ତରେ ଗୋଟିଏ ଦଳଛଡା ହାତୀ ଘୁରିବୁଲୁଛି । ଏବେ ମୋଟ ହାତୀସଂଖ୍ୟା ୨୫ରେ ପହଞ୍ଚିଛି । ପଛରେ ଆସିଥିବା ୨ ହାତୀ ମଧ୍ୟରେ ଏକ ଦନ୍ତାହାତୀ ରହିଥିବା ବେଳେ ଅନ୍ୟଟି ମାଖନ। ଆଜି ଦିନ ତମାମ ବାଳିସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ପଛପଟେ ଥିବା ଖେଳପଡିଆ, ବୁଦୁବୁଦିଆ ଝାଟି ଜଙ୍ଗଲ ଭିତରେ ରହିଥିଲେ। ଯେହେତୁ ଆସ୍ତାନ ଜମାଇଥିବା କଲେଜ ପଛ ଠାରୁ କିଛି ଦୂରତାରେ ସୁନିଆମୁହଁ ପାଟ ଓ ନାକଚୁଣି ବାଟ ରହିଅଛି ତେଣୁ ଏଠାରେ ପାନୀୟଜଳ ପ୍ରଯ୍ୟାପ୍ତ ପରିମାଣର ରହିଥିବାରୁ ହାତୀପଲ ଦିନ ତମାମ କଲେଜ ପଛପାଖରେ ଆସ୍ତାନ ଜମାଇଛନ୍ତି । ହାତୀସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହା କୃଷକମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି। କୃଷକଙ୍କ ମନୋଭାବକୁ ବିଭାଗ ପ୍ରତି ଦୃଷ୍ଟିଦେବା ନିମନ୍ତେ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁ ବିଭିନ୍ନ ପଞ୍ଚାୟତର ଜନସାଧାରଣଙ୍କୁ ଭେଟି ହାତୀ ସଂପର୍କିତ ସୂଚନା ଦେବା ସହ ଟର୍ଚ୍ଚ ପ୍ରଦାନ କରିଥିଲେ । ମଞ୍ଚେଶ୍ୱର, କଖଡି, ଧୁରୁଷିଆ, କୁଷ୍ପଙ୍ଗି, ଓରନ୍ଦା, ଘଣ୍ଟିଖାଲ, ଛଅଗାଁ, ଗୋବରା, କୁମାରପୁର, ଗୁରୁଡିଝାଟିଆ, ରାଧାକିଶୋରପୁର, ଖୁଣ୍ଟୁଣୀ ଓ ଅନନ୍ତପୁର ଆଦି ପଞ୍ଚାୟତ ସମୂହରେ ୧୫୦ଟି ଟର୍ଚ୍ଚ ଜନପ୍ରତିନିଧିମାନଙ୍କୁ ପ୍ରଦାନ କରିଛନ୍ତି। ଅପରପକ୍ଷରେ କୃଷକମାନଙ୍କ ପାଇଁ ଏହା ସମୁଦ୍ରକୁ ଶଙ୍ଖେ ହୋଇଥିବା ବେଳେ ବିଭାଗ ବାସ୍ତବ ସ୍ଥିତିକୁ ଭୁଲିଯାଇ ଟର୍ଚ୍ଚ ପ୍ରଦାନ କଲେ କଣ ଭୋକିଲାହାତୀଙ୍କ ମୁହଁରୁ ଫସଲର ସୁରକ୍ଷା ଦେଇପାରିବ? ବିଭାଗୀୟ କର୍ତ୍ତୃପକ୍ଷ ଜଙ୍ଗଲରେ ହାତୀଙ୍କ ପାଇଁ ଆବଶ୍ୟକ ଖାଦ୍ୟ ଯଥା ବାଉଁଶ, କୁମ୍ଭି ଓ ବିଭିନ୍ନ ଫଳ ଜାତୀୟ ଗଛ ସୃଷ୍ଟି କରୁନଥିବା ବେଳେ ଯେଉଁ ସବୁ ଜଳାଶୟ ଖୋଳାଯାଇଛି ତାହା ମଧ୍ୟ ଆବଶ୍ୟକ ମୁତାବକ ବନ୍ୟଜନ୍ତୁଙ୍କ ପାଇଁ ସଠିକ୍ ପାଣି ଯୋଗାଇ ପାରୁନାହିଁ । ଯାହାକି ତଦନ୍ତ ସାପେକ୍ଷ ହେବା ଆବଶ୍ୟକତା ବୋଲି କୃଷକମାନେ ଦାବି କରିଥିବା ବେଳେ ଯେଭଳି ଆମର ଫସଲକୁ ହାତୀମୁହଁରୁ ରକ୍ଷା କରାଯାଇପାରିବ ସେଥିପ୍ରତି ବିଭାଗ ଦୃଷ୍ଟିଦେବା ସହିତ କ୍ଷତିପୂରଣ ଦେବା ନିମନ୍ତେ ଦାବି କରିଛନ୍ତି। ୨୫ଟିକିଆ ହାତୀପଲ ପାଇଁ ନଦୀକୂଳ ଓ ନବେଢା ଅଞ୍ଚଳର ଜନସାଧାରଣ ଏକ ପ୍ରକାର ଭୟଭୀତ ଅବସ୍ଥାରେ ଅଛନ୍ତି। ସନ୍ଧ୍ୟା ହେଲେ ଘରକୁ ନଫେରିବା ପର୍ଯ୍ୟନ୍ତ ଆଶଙ୍କା ମଧ୍ୟରେ ପରିବାର ସଦସ୍ୟ ଓ ପିଲାଛୁଆ ସଦସ୍ୟ ରହୁଛନ୍ତି।
Comments are closed.