୫୨ ଘରିଆ ହାତୀଙ୍କ ଉପଦ୍ରବ: ୮ଘର ଭାଙ୍ଗିଲେ, ୩୦ ଏକର ଫସଲ ନଷ୍ଟ

0

ଚମ୍ପୁଆ (ନି.ପ୍ର)/ଚମ୍ପୁଆ/ହରିଚନ୍ଦନପୁର : ଚମ୍ପୁଆ ନିକଟସ୍ଥ ପତଳା ଜଙ୍ଗଲରେ ରହିଥବା ୩୨ ଘରିଆ ଓ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ସୁନାପେଣ୍ଠ ଗ୍ରାମର ୨୦ ଘରିଆ ହାତୀପଲ ଏହିପରି ସମୁଦାୟ ୫୨ ଘରିଆ ହାତୀପଲ ବୁଧବାର ରାତିରୁ ଉପଦ୍ରବ ଚଳାଇଛନ୍ତି। ଏମାନେ ନିକଟସ୍ଥ ବରାବାଳିଆ ସାହି ଓ ଟୁଣୁଟୁଣା ଗ୍ରାମରେ ୮ଟି ଘର ଭାଙ୍ଗିଥିବା ଜଣାଯାଇଛି। ଏଥିସହ ହରିଚନ୍ଦନପୁର ବ୍ଲକର ସୁନାପେଣ୍ଠ ଗ୍ରାମରେ ୩୦ ଏକର ଜମିର ଫସଲ ନଷ୍ଟ କରିଥିବା ଜଣାପଡ଼ିଛି।
୨୨ ଘରିଆ ହାତୀ ବୁଧବାର ରାତିରେ ପ୍ରଥମେ ବରାବାଳିଆ ସାହିରେ ପଶି ବନ୍ଧୁଆ ମହାନ୍ତ, ଶଙ୍କର୍ଷଣ ମହାନ୍ତ, ଲାଲମୋହନ ମହାନ୍ତ , ସନାତନ ମହାନ୍ତ ପ୍ରମୁଖଙ୍କ ଘର ଭାଙ୍ଗି ଦେଇଛନ୍ତି। ଏହା ପରେ ହାତୀ ପଲ ଟୁଣୁଟୁଣା ଗ୍ରାମର ଘନ ମୁଣ୍ଡାର ଘରଭାଙ୍ଗି ଘର ଭିତରେ ଥିବା ଧାନ, ଚାଉଳ ସବୁ ଖାଇବା ସହିତ ଆସବାବ ନଷ୍ଟ କରିଦେଇଛନ୍ତି। ହାତୀ ଗୁଡିକ ଘର ଭାଙ୍ଗିବା ବେଳେ ବନ ବିଭାଗ ଏମାନଙ୍କୁ ଘଉଡେଇବାରେ ବିଫଳ ହୋଇଥିଲେ। ଫଳରେ ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖିବାକୁ ମିଳି ଥିଲା।
ହାତୀ ପଲ ସେଠାରୁ ପ୍ରାୟ ୧କିମି ଦୁର ଟୁଣୁଟୁଣା ଆମ୍ବ ବଗିଚାରେ ଅବସ୍ଥାନ କରୁଛନ୍ତି। ବନ ବିଭାଗ ହାତୀ ଉପରେ ନଜର ରଖିଥିବା ସୂଚନା ମିଳିଛି। ଏହି ହାତୀପଲ ଯିବା ରାସ୍ତାରେ ଚମ୍ପୁଆ ସେକ୍ସନର ମଧ୍ୟ ୬ଟି ଘର ଭାଙ୍ଗି ଦେଇଛନ୍ତି। ସେହିପରି ଯୋଡା ସେକ୍ସନର ଦଡୁଆଁ ଗାଁର ତମ୍ବାଖଣି ସାହିର ସୁଦର ମୁଣ୍ଡା ଏବଂ ପ୍ରଧାନ ସାହୁର ବୈଦ ଲୋହାରଙ୍କ ଘର ଭାଙ୍ଗି ଦେଇଥିବା ଜଣାପଡିଛି। ବର୍ତ୍ତମାନ ଚମ୍ପୁଆ ସେକ୍ସନରେ ୨୩ଟି ହାତୀ ରହିଥିବା ବେଳେ ବାଲିବନ୍ଧ ସେକ୍ସନରେ ୭ଟି ହାତୀ ଏପରି ମୋଟ ୩୨ ହାତୀ ରହିଛନ୍ତି। ବାଲିବନ୍ଧ ସେକ୍ସନର ୭ ହାତୀ କନକନା ଜଙ୍ଗଲରେ ରହୁଛନ୍ତି। ଗୋଠ ଖଣ୍ଡଆ ହାତୀ ଯୋଡାରଝରଣଜଙ୍ଗଲ ନିକଟରେ ରହୁଥିବା ବେଳେ ମଣିଷ ମରା ଦନ୍ତା ୨୩ ଘରିଆ ଦଳରେ ମିଶି ଯାଇଥିବା ବନ ବିଭାଗ କହିଛି।
ବର୍ତ୍ତମାନ ହାତୀ ଘଉଡେଇବା ପାଇଁ ଚମ୍ପୁଆ ସେକ୍ସନରେ ୫ଜଣ ଗାର୍ଡ, ଉଖୂଣ୍ଡା ସେକ୍ସନରେ ୫ଜଣ ଗାର୍ଡ, ବାଲିବନ୍ଧ ସେକ୍ସନରେ ୫ଜଣ, ବାମେବାରୀ ସେକ୍ସନରେ ୪ଜଣ ଓ ଯୋଡା ସେକ୍ସନରେ ୫ଜଣ ଗାର୍ଡ ନିୟୋଜିତ ଅଛନ୍ତି। ମାତ୍ର ସେଥି ନିମନ୍ତେ କେବଳ ୨ଗୋଟି ଗାଡି ନିୟୋଜିତ ଅଛି। ଆବଶ୍ୟକ ସଂଖ୍ୟକ ଗାଡି, କର୍ମଚାରୀ ଗାର୍ଡ, ବାଣ, ଟର୍ଚ୍ଚ ଲାଇଟ ଅଭାବରୁ ହାତୀ ଲୋକଙ୍କ ଧନ ଜୀବନ ହାନି ଘଟାଉଛି। ହାତୀ ଘଉଡେଇବା ପାଇଁ ଅଧିକରୁ ଅଧିକ ସହାୟତା ପ୍ରଦାନ କରିବା ନିମିତ ସାଧାରଣରେ ଦୃଢ ଦାବୀ ହେଉଛି।
ସେହିପରି ହରିଚନ୍ଦନପୁର ବ୍ଲକ ସୁନାପେଣ୍ଠ ଗ୍ରାମ ପଞ୍ଚୟତର ବଡଶିଆଡିମାଳ ଓ କମଳାଙ୍ଗି ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ୨୦ ଘରିଆ ବଣୁଆ ହାତୀପଲ ଗ୍ରାମ ନିକଟସ୍ଥ ପାହାଡକୁ ଲାଗି ରହିଥିବା ଜମି ଗୁଡିକରେ ପକା ହୋଇଥିବା ଧାନ ତଳା ଓ ରୁଆ ହୋଇଥିବା ଧାନ ଜମିଗୁଡିକର ଧାନ ଗଛ ଗୁଡିକୁ ଖାଇବା ସହ ପାଦରେ ଦଳିଚକଟି ଦେବାରୁ ୩୦ ଏକର ଜମିର ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। କମଳାଙ୍ଗି ଗ୍ରାମର ଡମ୍ବରୁଧର ମହାନ୍ତ, ମହେନ୍ଦ୍ର ମହାନ୍ତ,୨ ତ୍ରିଲୋଚନ ମହାନ୍ତ, ରାଧାକାନ୍ତ ମହାନ୍ତ, ମହେଶ୍ୱର ମହାନ୍ତ, ପରମାନନ୍ଦ ମହାନ୍ତ, ଗଙ୍ଗାଧର ହାସଦା, ଲକ୍ଷ୍ମଣ ମହାନ୍ତ, ନବକିଶୋର ମହାନ୍ତ, ସଞ୍ଜୟ ମହାନ୍ତ, ଗଦାଧର ମହାନ୍ତ, ଲେମ୍ବୁଧର ମାହାନ୍ତ, ବିଦ୍ୟାଧର ମହାନ୍ତ, କୁଳମଣି ମହାନ୍ତ ସେହିଭଳି ବଡଶିଆଡିମାଳ ଗ୍ରାମର ବୈକୁଣ୍ଠ ମହାନ୍ତ, ରଇବୁ ମହାନ୍ତ, ନିତ୍ୟାନନ୍ଦ ମହାନ୍ତ, ଅଭି ମହାନ୍ତ, ଶିରିସି ମହାନ୍ତ, ଚିନ୍ତାମଣି ମହାନ୍ତ, ହୃଷିକେଶ ମହାନ୍ତ, ବକୁଳି ମହାନ୍ତ, ଭୀମସେନ ମହାନ୍ତ, ଗୌରାଙ୍ଗ ମହାନ୍ତ, ଘନଶ୍ୟାମ ମହାନ୍ତ ପ୍ରମୁଖଙ୍କ ଚାଷଜମି ଗୁଡିକ ନଷ୍ଟ ହୋଇଥିବାର ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ହରିଚନ୍ଦନପୁର ବନବିଭାଗ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ନଷ୍ଟ ହୋଇଥିବା ଗରିବ ଚାଷୀଙ୍କ ଜମି ପାଇଁ କ୍ଷତିପୂରଣ ପ୍ରଦାନ ଲାଗି ଦାବି ହୋଇଛି।

Leave A Reply