୧୫୪୫ ବାଣିଜ୍ୟିକ ଉପଭୋକ୍ତାଙ୍କ କଟିଲା ବିଦ୍ୟୁତ ସଂଯୋଗ – ଆଦାୟ ୫କୋଟି ୩୮ଲକ୍ଷ

ଭୁବନେଶ୍ବର: ବକେୟା ବିଦ୍ୟୁତ ବିଲ୍ ଦେଇ ନଥିବା ଉପଭୋକ୍ତାଙ୍କ ବିଦ୍ୟୁତ ବିଚ୍ଛିନ୍ନ କରିବା ପକ୍ରିୟା ଗୁରୁବାର ଠାରୁ ଆରମ୍ଭ କରିଛି ସେସୁ। ଆଜି ପ୍ରଥମ ଦିନରେ ସେସୁ ପକ୍ଷରୁ ବକେୟା ବିଲ୍ ଦେଇନଥିବା ୧୩ ହଜାର ୪୧୧ ଜଣ ବାଣିଜ୍ୟିକ ଉପଭୋକ୍ତାଙ୍କ ବିଦ୍ୟୁତ ବିଚ୍ଛନ୍ନ କରିବା ପାଇଁ ପକ୍ରିୟା କରାଯାଇଥିଲା। ଏଥିରେ ୫୩୩ ଜଣ ସ୍ବତନ୍ତ୍ର ବିଦ୍ୟୁତ ବିଚ୍ଛିନ୍ନ କର୍ମଚାରୀ ନିୟୋଜିତ ଥିଲେ। ଏହି ୧୩ ହଜାର ୪୧୧ ଜଣ ବାଣିଜ୍ୟିକ ଉପଭୋକ୍ତାଙ୍କ ମଧ୍ୟରୁ ୧ହଜାର ୫୪୫ଜଣ ଉପଭୋକ୍ତାଙ୍କ ଘରୁ ବିଦ୍ୟୁତ ବିଚ୍ଛିନ୍ନ କରାଯାଇଥିବା ବେଳେ ଅନ୍ୟ ଉପଭୋକ୍ତାଙ୍କ ପାଖରୁ ୫କୋଟି ୩୮ଲକ୍ଷ ଟଙ୍କାର ବକେୟା ବିଦ୍ୟୁତ ବିଲ୍ ଆଦାୟ କରାଯାଇଛି। ଏଥି ମଧ୍ୟରୁ ୩ହଜାର ୯୭୧ଜଣ ଉପଭୋକ୍ତା ସେମାନଙ୍କ ବିଦ୍ୟୁତ ବିଲରେ ତ୍ରୁଟି ଥିବା ଅଭିଯୋଗ କରିଥିବା ବେଳ ୨ହଜାର ୩୪୬ଜଣ ଉପଭୋକ୍ତାଙ୍କୁ ଇନଷ୍ଟଲମେଣ୍ଟରେ ବିଦ୍ୟୁତ ବିଲ ଦେବା ପାଇଁ ସୁବିଧା ଯୋଗାଇ ଦିଆଯାଇଛି।

ସେସୁର ସୂଚନା ଅନୁସା‌ରେ ୩ଟି ପର୍ୟ୍ୟାୟରେ ଲାଇନ କଟା ହେବ। ପ୍ରଥମେ ବକେୟା ରଖିଥିବା ବାଣିଜ୍ୟିକ ସଂସ୍ଥାର ଲାଇନ୍ କଟାଯାଉଛି। ୨ୟ ପର୍ୟ୍ୟାୟରେ ଅଧିକ ବକେୟା ରଖିଥିବା ଘରୋଇ ଉପଭୋକ୍ତାଙ୍କ ବିଦ୍ୟୁତ ବିଚ୍ଛିନ୍ନ କରାଯିବ। କେବଳ ସେତିକି ନୁହେଁ ଆୟକର ଦେଉଥିବା ସତ୍ତ୍ଵେ ବିଦ୍ୟୁତ୍ ବିଲ୍ ଦେଉନଥିବା ବିତ୍ତଶାଳୀ ଲୋକଙ୍କ ଲୋକଙ୍କ ଲାଇନ୍ ମଧ୍ୟ କଟାଯିବ। ୩ୟ ପର୍ୟ୍ୟାୟରେ ଅନ୍ୟ ସମସ୍ତଙ୍କର ବକେୟା ଉପଭୋକ୍ତାଙ୍କ ଲାଇନ୍ କଟିବ। ବର୍ଷବର୍ଷ ଧରି ବାକି ରଖିଥିବା ଉପଭୋକ୍ତାଙ୍କ ବିଦ୍ୟୁତ୍ ୩ୟ ପର୍ୟ୍ୟାୟରେ ବିଚ୍ଛିନ୍ନ କରାଯିବ ବୋଲି ଘୋଷଣା କରିଛି ସେସୁ। ତେବେ ଗୁରୁବାର ସହିଦନଗର ଓ ବରମୁଣ୍ଡା ଅଂଚଳର ସମସ୍ତ ବାଣିଜ୍ୟିକ ଉପଭୋକ୍ତା ସେମାନଙ୍କ ବକେୟା ପୈଠ କରିଥିବା ସେସୁ କହିଛି।

Comments are closed.