ବିଜୁଳି ବିଭ୍ରାଟ : ୨୦ ହଜାର କୋଟି ଖର୍ଚ୍ଚ ; ସୁଧୁରୁନି ଭିତ୍ତିଭୂମି
ନଥିରେ ଭୂତଳ କେବୁଲ ଓ ବାତ୍ୟା ସହନଶୀଳ ବିଜୁଳି ଖୁଣ୍ଟ ନିର୍ମାଣ
କଟକ : ଅଘୋଷିତ ବିଜୁଳି କାଟ୍କୁ ନେଇ ରାଜ୍ୟରେ ବଢୁଛି ଜନ ଅସନ୍ତୋଷ। ବିରୋଧୀ ବିଜେପି ବିଜୁଳି କାଟ୍ ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି। ଅନ୍ୟତମ ବିରୋଧୀ ଦଳ କଂଗ୍ରେସ ମଧ୍ୟ ଆସନ୍ତା ୧୯ରୁ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରିବା ସହ ବିଜୁଳି ଯୋଗାଣ ଭିତ୍ତିଭୂମି ସୁଧାରିବା ଲାଗି ରାଜ୍ୟ ସରକାର ଇତିମଧ୍ୟରେ ଖର୍ଚ୍ଚ କରିଥିବା ପାଣ୍ଠି ବିନିଯୋଗ ବାବଦ ଶ୍ବେତପତ୍ର ଜାରି କରନ୍ତୁ ବୋଲି ଦାବି ରଖିଛି। ଏଣେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ରାଜ୍ୟରେ ବିଜୁଳି କାଟ୍କୁ ବାରମ୍ବାର ଅସ୍ବୀକାର କରୁଥିବାବେଳେ ଭିତ୍ତିଭୂମି ତଥା ଯୋଗାଣ ଜନିତ ସମସ୍ୟା ରହିଥିବା ତ୍ରୁଟିକୁ ସ୍ବୀକାର କରିଛନ୍ତି। ଏଣେ ରାଜ୍ୟ ତଥା ଖୋଦ୍ ରାଜଧାନୀରେ ବିଜୁଳି ବିଭ୍ରାଟକୁ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ବିପଣନକାରୀ ସଂସ୍ଥା ଟାଟା ପାୱାର ଅଧିକାରୀଙ୍କ ସମେତ ଶକ୍ତି ବିଭାଗ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରି ସ୍ଥିତି ସୁଧାରିବାକୁ ନିର୍ଦେଶ ଦେଇଛନ୍ତି। ଏହାସତ୍ତ୍ବେ କ୍ରମାଗତ ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି କାଟ୍ ଲାଗି ରହିଛି। ତାତିରେ ଉପକୂଳରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ଡହଳ ବିକଳ ହେଉଥିବାବେଳେ ଦୁଇଦିନ ଧରି ଉପକୂଳରେ କାଳବୈଶାଖୀ ଓ ଲଘୁଚାପ ପ୍ରଭାବ ଲୋକଙ୍କୁ ଟିକିଏ ଆଶ୍ବସ୍ତି ଦେଇଛି। କିନ୍ତୁ ରାଜ୍ୟର ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ତାଳୁଫଟା ତାତିକୁ ଘଣ୍ଟା ଘଣ୍ଟା ବିଜୁଳି କାଟ ଜନଜୀବନକୁ ଦୁର୍ବିସହ କରି ପକାଇଛି। ଏହି ସମସ୍ୟା ସହର ଅପେକ୍ଷା ଅଧିକ ଗ୍ରାମାଞ୍ଚଳରେ ଦେଖାଯାଉଛି। ଯେଉଁ କେତେ ଘଣ୍ଟା ବିଜୁଳି ରହୁଛି, ସେତେବେଳେ ଲୋ-ଭୋଲଟେଜ୍ ସମସ୍ୟା ଲାଇନ୍ ଥାଇ ବି ନଥିବା ଭଳି ସ୍ଥିତି ଉପୁଜାଉଛି। ସହରାଞ୍ଚଳରେ ଯେତିକି ସମୟ ବିଜୁଳି ଯୋଗାଣ ଅବ୍ୟାହତ ରହୁଛି, ସେଥିମଧ୍ୟରୁ ଅଧିକାଂଶ ସମୟ ଲାଇନ୍ ଟ୍ରିପ୍ ହେଉଛି। ଆବଶ୍ୟକତା ଅନୁଯାୟୀ ଯୋଗାଣ ବ୍ୟବସ୍ଥାରେ ସମସ୍ୟା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ସବୁଠୁ ବଡ଼ ସମସ୍ୟାଟି ହେଉଛି, ଯଦି ଟିକିଏ ପବନ ହେଲା, ତାହେଲେ ବିଦ୍ୟୁତ୍ ଯୋଗାଣ ବିଚ୍ଛିନ୍ନ ହେଉଛି। କେବେ ଆସିବ ତାହା ଜାଣିହେଉନି। ଥରେ ବିଜୁଳି କଟିଲେ ପୁଣି ଥରେ ଆସିବାକୁ ୩ ରୁ ୪ ଘଣ୍ଟା ଲାଗୁଛି। ଏହା ଭିତରେ କଟା ଘା’ରେ ଚୂନ ଦେଉଛି ଶକ୍ତିମନ୍ତ୍ରୀଙ୍କ ବିଧାନସଭା ଓ ପରବର୍ତ୍ତୀ ସମୟରେ ବିଭାଗୀୟ କାର୍ଯ୍ୟାବଳୀ ସମୀକ୍ଷା ସମୟର ଦୃଢୋକ୍ତି- ଏଥର ବିଜୁଳି କାଟ୍ ହେବନି। ବର୍ଷକୁ ବର୍ଷ ବିଜୁଳି ଚାହିଦା ବଢୁଥିବା ନେଇ ସରକାର ଅବଗତ ଥିବା ସତ୍ତ୍ବେ ଭିତ୍ତିଭୂମି ନିର୍ମାଣରେ ମଧ୍ୟ ପାଣ୍ଠି ବିନିଯୋଗ ପର୍ଯ୍ୟାପ୍ତ ପରିମାଣର କରାଯାଉଛି। ଏହାସତ୍ତ୍ବେ କାହିଁକି ଭିତ୍ତିଭୂମି ସମସ୍ୟା ଉପୁଜୁଛି ବୋଲି ବୁଦ୍ଧିଜୀବୀ ମହଲରୁ ଆଲୋଚନା ହେଉଛି।
ବିଧାନସଭା ସ୍ଥାୟୀ ସମିତି ରିପୋର୍ଟ ଅନୁସାରେ, ବିଦ୍ୟୁତ ଭିତ୍ତିଭୂମି ସଜାଡ଼ିବା ପାଇଁ ରାଜ୍ୟରେ ଗତ ୩୦ ବର୍ଷରେ ୩୭ ହଜାର କୋଟି ଟଙ୍କା ବିନିଯୋଗ କରାଯାଇଛି। ବିଶେଷକରି ୨୦୧୩ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ବାତ୍ୟାପ୍ରବଣ ରାଜ୍ୟ ଓଡ଼ିଶାରେ ବିଦ୍ୟୁତ ଉପଭୋକ୍ତାଙ୍କ ଲାଗି ବିଜୁଳି ଯୋଗାଣ ଭିତ୍ତିଭୂମିକୁ ଦୃଢ କରାଯିବା ଲାଗି ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ସାମାନ୍ୟ କାଳବୈଶାଖୀକୁ ସମ୍ଭାଳି ପାରୁ ନଥିବା ରାଜଧାନୀବାସୀ କହୁଛନ୍ତି। ବିଶେଷକରି ଉପକୂଳ ଅଞ୍ଚଳରେ ଝଡ଼ବାତ୍ୟା ସହନଶୀଳ ବିଦ୍ୟୁତ ଖୁଣ୍ଟ ସ୍ଥାପନ ଓ ଭୂତଳ ବିଜୁଳି କେବୁଲ ବିଛାଇବା ଲାଗି ଯେଉଁ ଯୋଜନା କରାଯାଇଥିଲା ତାହାର ସ୍ଥିତିକୁ ନେଇ ପ୍ରଶ୍ନବାଚୀ ଉଠାଇଛନ୍ତି ବିରୋଧୀ। ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ପବନକୁ ସମ୍ଭାଳିବା କ୍ଷମତା ଥିବା ବିଜୁଳି ଖୁଣ୍ଟ ବସାଇବା ନେଇ ଭିତ୍ତିଭୂମି ନିର୍ମାଣ କୁଆଡେ ଗଲା ବୋଲି ଉଭୟ କଂଗ୍ରେସ ଓ ବିଜେପି ପ୍ରଶ୍ନ କରିଛନ୍ତି।
ବିଧାନସଭା ସ୍ଥାୟୀ ସମିତି ବିବରଣୀ ଅନୁଯାୟୀ, ବିଦ୍ୟୁତ ଭିତ୍ତିଭୂମି ସଜାଡ଼ିବା ପାଇଁ ବିଗତ ୧୦ ବର୍ଷରେ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରୁ ୧୩ ହଜାର କୋଟି ରାଜ୍ୟ ସରକାର ବିନିଯୋଗ କରିଥିବାବେଳେ କେନ୍ଦ୍ର ସରକାର ୭ ହଜାର କୋଟି ଟଙ୍କାର ପାଣ୍ଠି ଆବଣ୍ଟିତ କରିଛନ୍ତି। ଏହି ବିପୁଳ ଅର୍ଥକୁ ବାତ୍ୟା ପ୍ରତିରୋଧୀ ବିଦ୍ୟୁତ ଖୁଣ୍ଟ ଲଗାଇବା, ସମସ୍ତ ପୁରୁଣା ଟ୍ରାନ୍ସଫର୍ମର ବଦଳାଇବା, ପୁରୁଣା ତାର ବଦଳାଇବା ସହିତ ଭୂତଳ କେବଲିଂ ବାବଦରେ ଖର୍ଚ୍ଚ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ମାତ୍ର ଏହି ଯୋଜନା କୁଆଡେ ଗଲା ଓ କେଉଁଠି ଖର୍ଚ୍ଚ ହେଲା ବୋଲି ବିରୋଧୀ ଏନେଇ ରାଜ୍ୟ ସରକାରଙ୍କଠାରୁ ଶ୍ବେତପତ୍ର ଲୋଡିଛନ୍ତି। କୁହାଯାଉଛି, ବିଭିନ୍ନ ସମୟରେ ବିଦ୍ୟୁତ୍ ବଣ୍ଟନ ଦାୟିତ୍ୱରେ ଥିବା କମ୍ପାନୀଙ୍କୁ ରାଜ୍ୟ ସରକାର ଭିତ୍ତିଭୂମି ସଜାଡ଼ିବା ବାବଦରେ ୨୦ ହଜାର କୋଟି ଟଙ୍କା ଦିଆଯାଇଥିବା ସୂଚନା ମିଳିଛି। ଏପରିକି ଟାଟା ପାୱାର ଦାୟିତ୍ୱ ନେବା ପରେ କମ୍ପାନୀକୁ ପର୍ଯ୍ୟାୟ କ୍ରମେ ୫ ହଜାର କୋଟି ଟଙ୍କା ଦିଆଯାଇଛି। ଏତେ ପରିମାଣରୁ ପାଣ୍ଠି ପ୍ରଦାନ ସତ୍ତ୍ବେ ବିଜୁଳି ଯୋଗାଣ ଭିତ୍ତିଭୂମି ସୁଦୃଢ ହୋଇ ନ ପାରିବାକୁ ନେଇ ପ୍ରଶ୍ନ ଉଠୁଛି। ଅପେକ୍ଷାକୃତ ଅଧିକ ବିଜୁଳି ଦଳ ଓ ଉତ୍ପାଦନରେ ବଳକା ଥିବା ରାଜ୍ୟ ଓଡ଼ିଶାରେ ଘନ ଘନ ବିଜୁଳି ବିଭ୍ରାଟ ଉପଭୋକ୍ତାଙ୍କୁ ତାଳୁଫଟା ତାତିବେଳେ ଅଧିକ ଆକ୍ରୋଶିତ କରିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।
Comments are closed.